ଭୁବନେଶ୍ୱର: ବିଧାନସଭା ପରିସର ପାଲଟିଛି ରଣକ୍ଷେତ୍ର। ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ବିବୃତ୍ତି ଦାବି କରି ବିଜୁ ଜନତା ଦଳର ସଦସ୍ୟମାନେ ବୁଧବାର ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି। ସରକାରଙ୍କ ହିଟଲରୀ ଶାସନ ବିରୋଧରେ ବିଜେଡି କରିଛି କକ୍ଷତ୍ୟାଗ। ପ୍ଲାକାର୍ଡ ଧରି ବିଜେଡି ବିଧାୟକମାନେ ପ୍ରତିବାଦ କରିଛନ୍ତି।
ସୂଚନା ଅନୁଯାୟୀ, ଆଜି ତାରା ବାହିନୀପତି ଓ ରମେଶ ଜେନାଙ୍କୁ ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡିଛି। ପୂର୍ବରୁ ତାରାଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବନ କରାଯାଇଥିବାବେଳେ ଆଜି ପୁଣିଥରେ ତାଙ୍କୁ ନିଲମ୍ବନ କରାଯାଇଛି। ଏପରିକି ରାତିରେ ମାଡ଼ ମାରିବା ସହ ସୁନାଚେନ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ତାରା ବାହିନୀପତି। ତେବେ ନାରୀ ନିର୍ଯାତନା ପ୍ରସଙ୍ଗ ଓ ବିଧାୟକମାନଙ୍କ ନିଲମ୍ବନକୁ ନେଇ ଗତକାଲି ରାତିରୁ ଏପର୍ଯ୍ୟନ୍ତ କଂଗ୍ରେସର ଧାରଣା ଓ ପ୍ରତିବାଦ ଜାରି ରହିଛି। ଏପରିକି କଂଗ୍ରେସକୁ ସାଥ୍ ଦେଇ ବ୍ୟାରିକେଡ୍ ଭାଙ୍ଗି ରାସ୍ତାକୁ ଆସି ପ୍ଲାକାର୍ଡ଼ ଧରି ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ।
ଗତକାଲି ବିରୋଧୀ କଂଗ୍ରେସର ୧୨ଜଣ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ନିମନ୍ତେ ସାତଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ବିଧାୟକମାନେ ଗୃହ ନ ଛାଡ଼ି ଧାରଣାରେ ବସିବାରୁ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ବିଧାୟକଙ୍କୁ ମାଡ଼ ମାରି ରାସ୍ତାରେ ଛାଡିଦେଇଥିବା ଅଭିଯୋଗ କରିଥିଲା କଂଗ୍ରେସ। ଏହି ଘଟଣାକୁ କଂଗ୍ରେସ ବିଧାୟ ତାରା ବାହିନୀପତି ନିନ୍ଦା କରିବା ସହ ଭାବବିହ୍ବଳ ହୋଇ କାନ୍ଦିପକାଇଥିବା ଦୃଶ୍ୟ ମଧ୍ଯ ଦେଖିବାକୁ ମିଳିଥିଲା।
Comments are closed.