ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ବାକ୍ ଯୁଦ୍ଧ ଉଗ୍ର ରୂପ ନେଇଛି। ଉଭୟ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି। ରାଜ୍ୟର ସ୍ୱାର୍ଥ ବିରୁଦ୍ଧରେ କାମ କରିବାର ଅଭିଯୋଗ ମଧ୍ୟ ଉଠିଛି। ସଂସଦରେ MMDR ସଂଶୋଧନ ବିଲ୍ ପାସ୍ ହେବା ପରେ ବିଜେପି ଉପରେ କଡ଼ା ଆକ୍ରମଣ କରି ବିଜେଡି ନେତା ତଥା ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ କେନ୍ଦ୍ର ଏବଂ ଓଡ଼ିଶା ସରକାର ଏହି ଆଇନ ଆଣି ଓଡ଼ିଶାବାସୀଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି।
ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଏମଏମଡିଆର ଵିଲ୍ ଓଡ଼ିଶାର ସ୍ୱାର୍ଥ ବିରୋଧୀ। ଏମଏମଡିଆର ସଂଶୋଧନ ବିଲ୍ ମାଧ୍ୟମରେ ରାଜ୍ୟର ନ୍ୟାର୍ଯ୍ୟ ପ୍ରାପ୍ୟ ଯେତେବେଳେ ଛଡାଇ ନିଆଯାଉଥିଲା, ସେତେବେଳେ ବିଜେପିର ୨୦ ଜଣ ଲୋକସଭା ସଦସ୍ୟ ଓ ୫ ଜଣ ରାଜ୍ୟସଭା ସଦସ୍ୟ ଏହାକୁ ହାତ ଟେକି ସମର୍ଥନ କରିଥିଲେ। ଇତିହାସ ଏମାନଙ୍କୁ କେବେ କ୍ଷମା ଦେବ ନାହିଁ। ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ବିଜେପିର ସାଂସଦ ମାନେ ନିଜ ପାର୍ଟିର ସ୍ୱାର୍ଥ ପାଇଁ କାର୍ଯ୍ୟ କଲେ। ଏହି ସାଂସଦ ମାନଙ୍କ ପାଇଁ ମାଟି ବଡ଼ ନୁହେଁ ବରଂ ପାର୍ଟି ବଡ଼। ଓଡ଼ିଶାର ସ୍ଵାର୍ଥକୁ ବଳି ପକାଇ ଦେବା ପାଇଁ ବିଜେପି ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଏମଏମଡିଆର ମାଧ୍ୟମରେ ଏକ ଷଡଯନ୍ତ୍ର ରଚାଯାଇଥିଲା। ପୁଞ୍ଜିପତି ମାନଙ୍କୁ ଫାଇଦା ଦେବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯାଇଛି। ଏହି ଆକ୍ଟ ପାରିତ ହେବା ଯୋଗୁ ଓଡିଶା ଏକ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବକେୟା ଆଦାୟ କରିବାରୁ ବଞ୍ଚିତ ହୋଇଛି।
ଅନ୍ୟପକ୍ଷରେ, ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ପୂର୍ବ ବିଜେଡି ଶାସନ ସମୟରେ ହୋଇଥିବା ଖଣି ଦୁର୍ନୀତି ସମ୍ପର୍କରେ ଉଲ୍ଲେଖ କରି ଅଭିଯୋଗ କରିଛନ୍ତି ଯେ ବିଜେଡି ଥିବା ବେଳେ ବଡ଼ ଧରଣର ଦୁର୍ନୀତି ଯୋଗୁଁ ରାଜ୍ୟ ୫୯,୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ହରାଇଛି। ତେଣୁ, ବିଜେଡି ଏବଂ କଂଗ୍ରେସ ପକ୍ଷରୁ ରାଜସ୍ୱ କ୍ଷତି ବିଷୟରେ ଦାବି କରିବା ହାସ୍ୟାସ୍ପଦ।
ଉଲ୍ଲେଖଯୋଗ୍ୟ, ସଂସଦ ଅଗଷ୍ଟ ୧୩ ତାରିଖରେ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୬ ପାସ୍ କରିଥିଲା। ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି ବିଲ୍ ଆଇନରେ ପରିଣତ ହେବ। ଏହା ପରଠୁ ବିଜେଡି ଅଭିଯୋଗ କରିଛି ଯେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରଠାରୁ ରାଜ୍ୟର ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେଉଛି ଏବଂ ଏହି ଆଇନରେ ସଂଶୋଧନ ଯୋଗୁଁ ରାଜ୍ୟ ପ୍ରଚୁର ରାଜସ୍ୱ କ୍ଷତି ସହିବ।
ଡ. ଲେନିନ ମହାନ୍ତି କହିଛନ୍ତି, ଖଣି ରାଜସ୍ୱ ଓଡ଼ିଶାର ବିକାଶର କର୍ଣ୍ଣଧାର ହୋଇଥିବା ବେଳେ, ଖଣିରୁ ରାଜ୍ୟକୁ ମିଳିବାକୁ ଥିବା ବିପୁଳ ରାଜସ୍ୱ, ଏମଏମଡିଆର ସଂଶୋଧନ ବିଲ ମାଧ୍ୟମରେ ହାନୀ ହେବାକୁ ଯାଉଛି, ଅଥଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁହଁରେ ତୁଣ୍ଡି ଦେଇ ବସିଛନ୍ତି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖୁ ନାହାନ୍ତି କାହିଁକି। କେନ୍ଦ୍ର ସରକାର ଚଞ୍ଚକତା କରି ଖଣି ଓ ଖଣି ରହିଥିବା ଜମି ଉପରେ ମଧ୍ୟ ରାଜ୍ୟର କୌଣସି ଅଧିକାର ରହିବ ନାହିଁ ବୋଲି ବ୍ୟବସ୍ଥା କରିଛନ୍ତି। ଏହାଛଡା ଏହି ଆଇନ ମାଧ୍ୟମରେ ରାଜ୍ୟ ସରକାର ଖଣିଜ ପଦାର୍ଥ ଉପରେ କୌଣସି ଟିକସ ଲଗାଇ ପାରିବ ନାହିଁ। ଏହି କଳା ଆଇନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ କାହିଁକି। ମୁଖ୍ୟମନ୍ତ୍ରୀ ଏଥିପାଇଁ ମଧ୍ୟ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦେବା ଦରକାର। ଏହି ଆଇନ ମାଧ୍ୟମରେ ଓଡିଶା ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ବିଜେଡି ଲଢେଇ ଜାରି ରଖିବ।

