Latest Odisha News

BREAKING NEWS

ଯୁଦ୍ଧ ଭିତରେ କାର୍ଟୁନ୍ ଓ ପପକର୍ଣ୍ଣ

ଗାଜା: ବୋମା ବିସ୍ଫୋରଣ, ଆକାଶସାରା ଧୂଆଁ ଏବଂ ନିରନ୍ତର ସାଇରନ୍ ଶବ୍ଦ ମଧ୍ୟରେ ଗାଜାରେ ଜୀବନ ଦୁର୍ବିସହ ହୋଇପଡ଼ିଛି। ଇସ୍ରାଏଲର ଆକ୍ରମଣ  ଯୋଗୁଁ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି କୋମଳମତି ଶିଶୁ, ବିଶେଷକରି ଛୋଟ ଝିଅମାନେ, ଯେଉଁମାନେ ପ୍ରତିଦିନ ଆତଙ୍କ ଓ ମାନସିକ ଚାପ ମଧ୍ୟରେ ଦିନ କାଟୁଛନ୍ତି। ଉଜୁଡ଼ି ଯାଉଥିବା ଶୈଶବକୁ ଟିକିଏ ଆଶ୍ୱାସନା ଦେବା ପାଇଁ ଗାଜାର ଏକ ସ୍ଥାନୀୟ ସିନେମାଘର ସାଜିଛି ଆଶାର କିରଣ।

ଯୁଦ୍ଧର କରାଳ ଛାୟା ଭିତରେ ଏହି ସିନେମାଘରଟି କିଛି ସମୟ ପାଇଁ ଛୋଟ ଝିଅମାନଙ୍କୁ ଭୟଙ୍କର ବାସ୍ତବତାରୁ ଦୂରେଇ ନେଉଛି। ଏଠାରେ ସେମାନଙ୍କୁ ପପକର୍ଣ୍ଣ ସହିତ ବିଭିନ୍ନ ଲୋକପ୍ରିୟ କାର୍ଟୁନ୍ ଫିଲ୍ମ ଦେଖାଯାଉଛି। ବୋମାର ବିକଟାଳ ଶବ୍ଦ ପରିବର୍ତ୍ତେ ହଲ୍‌ ଭିତରେ ଗୁଞ୍ଜରିତ ହେଉଛି ପିଲାମାନଙ୍କର ହସ ଓ ଆନନ୍ଦର ସ୍ୱର। ଏହି କ୍ଷୁଦ୍ର ପ୍ରଚେଷ୍ଟା ସେମାନଙ୍କୁ କିଛି ମୁହୂର୍ତ୍ତ ପାଇଁ ହେଲେ ବି ମାନସିକ ଶାନ୍ତି ଓ ଆଶ୍ୱାସନା ଯୋଗାଉଛି।

ଆୟୋଜକଙ୍କ କହିବା ଅନୁଯାୟୀ, କ୍ରମାଗତ ହିଂସା, ଆକ୍ରମଣ ଓ ଅସ୍ଥିରତା ଯୋଗୁଁ ଗାଜାର ଶିଶୁମାନେ ଗଭୀର ମାନସିକ ଆଘାତ ଦେଇ ଗତି କରୁଛନ୍ତି। ଖେଳକୁଦ ଓ ଶିକ୍ଷାରୁ ବଞ୍ଚିତ ଏହି ଝିଅମାନଙ୍କ ମୁହଁରେ ହସ ଫୁଟାଇବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଏଭଳି ପରିସ୍ଥିତିରେ ରଙ୍ଗୀନ୍ କାର୍ଟୁନ୍ ଚରିତ୍ର ଏବଂ ପପକର୍ଣ୍ଣର ସ୍ୱାଦ ସେମାନଙ୍କ ମନରୁ ଯୁଦ୍ଧର ଭୟ ଓ ଦୁଃଖ ଦୂର କରିବାରେ ବହୁତ ସାହାଯ୍ୟ କରୁଛି।

ସିନେମା ହଲ୍‌ ଭିତରକୁ ଆସୁଥିବା ଝିଅମାନେ କହିଛନ୍ତି ଯେ,ଏହି କିଛି ସମୟ ପାଇଁ ସେମାନେ ବୋମାବର୍ଷାର ଭୟକୁ ଭୁଲି ନିଜକୁ ସୁରକ୍ଷିତ ମଣୁଛନ୍ତି। ଯଦିଓ ବାହାରେ ଯୁଦ୍ଧର ସ୍ଥିତି ଅପରିବର୍ତ୍ତିତ ରହିଛି, ତଥାପି ଏହି ସିନେମାଘରଟି ଅନ୍ଧକାର ଭିତରେ ସେମାନଙ୍କ ପାଇଁ ଏକ ଛୋଟ ସୁରକ୍ଷିତ ଆଶ୍ରୟସ୍ଥଳ ସାଜିଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳ ସହିତ ଆନ୍ତର୍ଜାତୀୟ ସ୍ତରରେ ବହୁ ପ୍ରଶଂସିତ ହେଉଛି, ଯାହା ହିଂସା ମଧ୍ୟରେ ମାନବିକତା ଓ ସ୍ନେହର ଏକ ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଛି।

Leave A Reply

Your email address will not be published.