ଭୁବନେଶ୍ୱର: ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟିଂ ବେଳେ ଅସଙ୍ଗତି ହୋଇଥିବା ଅଭିଯୋଗ ଆଣି ବିଜୁ ଜନତା ଦଳ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହେବ। ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ, ବିଧାୟକ ଧ୍ରୁବ ଚରଣ ସାହୁ ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଦଳ ପକ୍ଷରୁ ଏହି ଘୋଷଣା କରିଛନ୍ତି।
ଅମର ପଟ୍ଟନାୟକ କହିଛନ୍ତି, “ଆଠ ମାସ ତଳେ ବିଜେଡି ନିର୍ବାଚନ ଆୟୋଗଙ୍କୁ ଭୋଟ ଅସଙ୍ଗତି ସମ୍ପର୍କରେ ପ୍ରମାଣ ଦେଇଥିଲା। କିନ୍ତୁ ସନ୍ତୋଷଜନକ ଉତ୍ତର ମିଳି ନାହିଁ। ତେଣୁ ବିଜେଡି ହାଇକୋର୍ଟରେ ମାମଲା ଦାୟର କରିବ।”
ବିଜେଡି କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର “ଭୋଟ ଚୋରି” ଆନ୍ଦୋଳନଠାରୁ ନିଜକୁ ଦୂରେଇ ରଖିଛି। ଅମର ପଟ୍ଟନାୟକ କହିଛନ୍ତି, “କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ବିଜେଡି ଏହା ଆଗରୁ ଉଠାଇଥିଲା। ରାହୁଲ ଆମର ଅଡିଟ ଦାବିକୁ ସମର୍ଥନ କରିଛନ୍ତି।”
ନିର୍ବାଚନ ଆୟୋଗ ଜନମାନସରେ ସ୍ୱଚ୍ଛତା ସମ୍ପର୍କିତ ସନ୍ଦେହ ଦୂର କରି ପାରି ନାହାନ୍ତି ବୋଲି ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ନିର୍ବାଚନ ପରେ ଆୟୋଗ ଦେଇଥିବା ତଥ୍ୟରେ ଅନେକ ତ୍ରୁଟି ଦେଖାଯାଇଛି। ଆମେ ତିନୋଟି ପ୍ରମୁଖ ବିଷୟ ଉଠାଇଥିଲୁ। ପ୍ରଥମତଃ, ସମସ୍ତ ଲୋକସଭା ଆସନରେ ଗଣତି ହୋଇଥିବା ଭୋଟ ଇଭିଏମ୍ରେ ପଡ଼ିଥିବା ଭୋଟଠାରୁ ଅଧିକ। ଦ୍ୱିତୀୟରେ, ଲୋକସଭା ଓ ବିଧାନସଭା ଆସନରେ ପଡ଼ିଥିବା ଭୋଟ ସଂଖ୍ୟାରେ ବଡ଼ ଫରକ ରହିଛି। ତୃତୀୟରେ, ଭୋଟିଂ ସମୟ ୫ଟା ପରେ ଭୋଟ ସଂଖ୍ୟା ୭ରୁ ୩୦ ପ୍ରତିଶତ ବଦଳିଛି।”
୨୦୨୪ ଡିସେମ୍ବର ୧୯ରେ ବିଜେଡି ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିଥିଲା। ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ଭୋଟର ତାଲିକା ପ୍ରସ୍ତୁତିରୁ ଗଣତି ପର୍ଯ୍ୟନ୍ତ ଅଡିଟ ବ୍ୟବସ୍ଥା ଦାବି କରାଯାଇଥିଲା। ଅମର ପଟ୍ଟନାୟକ କହିଛନ୍ତି, “ବିକଶିତ ଦେଶମାନଙ୍କରେ ଏପରି ଅଡିଟ ବ୍ୟବସ୍ଥା ରହିଛି। ଆମେ ସମସ୍ତ ଭୋଟରେ ଭିଭିପିଏଟି ବ୍ୟବହାର ଦାବି କରିଛୁ।”
ନିୟମ ଅନୁଯାୟୀ, ନିର୍ବାଚନ ପରେ ଫର୍ମ ୧୭ସି ଜାରି ହେବା କଥା। କିନ୍ତୁ ଆୟୋଗ ଏହା ଜାରି କରି ନାହାନ୍ତି। ଏହାର ଉତ୍ତର ସନ୍ତୋଷଜନକ ନୁହେଁ ବୋଲି ବିଜେଡି କହିଛି।
ଜଗତସିଂହପୁର ଲୋକସଭା ଆସନରୁ ପରାଜିତ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ କହିଛନ୍ତି, “ଫଳାଫଳ ଘୋଷଣା ପରେ ମୁଁ ଫର୍ମ ୧୭ସି ପାଇଁ ଆବେଦନ କରିଥିଲି। କିନ୍ତୁ ଏହା ମିଳିଲା ନାହିଁ। ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଥିଲି, କିନ୍ତୁ ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ। ତେଣୁ ମୁଁ ହାଇକୋର୍ଟରେ ମାମଲା ଦାୟର କରିଛି।”
Comments are closed.