ଭୁବନେଶ୍ବର: ଆଜି ଅହେତୁକ ଦରଦାମ ବୃଦ୍ଧି ନେଇ ରାଜଧାନୀ ରାଜରାସ୍ତାରେ ଗର୍ଜୁଛି ବିଜେଡି । ସରକାରଙ୍କୁ ଜବାବ ମାଗୁଛି । ଏଥିପାଇଁ ଆଜି ଭୁବନେଶ୍ବର ଲୋୟର ପିଏମଜି ସ୍ଥିତ ଧାରଣା ସ୍ଥଳରେ ହଜାର ହଜାର ବିଜେଡି କର୍ମୀ ବିକ୍ଷୋଭ କରୁଛନ୍ତି । ସବୁଠୁ ବଡ କଥା ହେଉଛି ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ଗଣବିକ୍ଷୋଭକାରୀଙ୍କ ମନରେ ରଣହୁଙ୍କାର ଭରିଛନ୍ତି ନବୀନ । ବିଜେପି ଦେଇଥିବା ମିଛ ପ୍ରତିଶ୍ରୁତି ଓ ବିଫଳ ଅର୍ଥନୈତିକ ପରିଚାଳନା ଏବଂ ଅହେତୁକ ଦରବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଘେରି ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେଡି । ଏଥିରେ ଶହ ଶହ ଜନତା ବି ସାମିଲ ହୋଇଛନ୍ତି ।
ଏହାକୁ ନେଇ ବିକ୍ଷୋଭ ସ୍ଥଳରେ ଉଦବୋଧନ ଦେଇ ନବୀନ କହିଛନ୍ତି, ଜୁନ ମାସରେ ବିଜେପି ସରକାର ଗଠନ ହୋଇଥିଲା । ହେଲେ ଏବେ ଲୋକଙ୍କ ସୁଖଦୁଃଖ ସହ ଏହି ସରକାରର ସମ୍ପର୍କ ଥିବା ଭଳି ଜଣାପଡୁନି । ଡାଲି ଚାଉଳ ଠାରୁ ଆରମ୍ଭ କରି ଔଷଧ ସବୁ ଅତ୍ୟାବଶ୍ୟକ ପଦାର୍ଥର ଦର ବୃଦ୍ଧି ହୋଇଚାଲିଛି । ସାଧାରଣ ଲୋକଙ୍କ ପାଇଁ ଏବେ ବଞ୍ଚିବା କଷ୍ଟକର ହୋଇପଡ଼ିଛି । ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି । ମା’ ମାନେ କାନ୍ଦୁଛନ୍ତି । ଚାଷୀ ବି କାନ୍ଦୁଛନ୍ତି । କିନ୍ତୁ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି ବୋଲି କହି କଟାକ୍ଷ କରିଛନ୍ତି ନବୀନ ।
ସେପଟେ ବିଜେଡିର ବିକ୍ଷୋଭକୁ କଟାକ୍ଷ କରି ନାଟକ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଛନ୍ତି, ବିଜେଡି ଯାହା କହୁଛି ନାଟକ ଛଡା କିଛି ନୁହେଁ । ଏବେ ପନିପରିବା ଦର ବହୁତ କମ୍ ଅଛି ଆଉ ଡାଲି, ତେଲ ଦର ଦେଶ ଅପେକ୍ଷା ରାଜ୍ୟରେ କମ୍ ରହିଛି ବୋଲି କହିଛନ୍ତି ମନ୍ତ୍ରୀ । ତେଣୁ ବିଜେଡି ଦରଦାମକୁ ନେଇ ଯେଉଁ ରାଜନୀତି କରୁଛନ୍ତି, ତାହା ଖାଲି ଗୋଟେ ନାଟକ ବୋଲି କହିଛନ୍ତି ମନ୍ତ୍ରୀ ।