Latest Odisha News

BREAKING NEWS

ଭୟାବହ ଯୁଦ୍ଧ ସ୍ଥିତି ପାଇଁ ‘ଇଫ୍ତାର ଓ ଇଦ୍ ମିଲନ’ ପାଳନ କରିବନି ବିଜେଡି…

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଭୟାବହ ଯୁଦ୍ଧ ଯୋଗୁଁ ହଜାର ହଜାର ନିରୀହ ଲୋକଙ୍କ ପ୍ରାଣହାନୀ ହେବା ସହିତ ଲକ୍ଷ ଲକ୍ଷ ସାଧାରଣ ଜନତା ଆହତ ହୋଇଛନ୍ତି ଓ ଲକ୍ଷ ଲକ୍ଷ ଲୋକ ବାସହରା ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏଭଳି ସ୍ଥିତିରେ ଯୁଦ୍ଧର ଅନ୍ତ ତଥା ଶାନ୍ତି ପ୍ରତିଷ୍ଠା ପାଇଁ ବିଜୁ ଜନତା ଦଳ ‘ଇଫ୍ତାର ଓ ଇଦ୍ ମିଲନ’ ପାଳନ କରିବନି ବୋଲି ନିଷ୍ପତ୍ତି ନେଇଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ପ୍ରତିବର୍ଷ ବିଜୁ ଜନତା ଦଳ ତରଫରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୁସଲମାନ ଭାଇଭଉଣୀ ଏବଂ ବିଭିନ୍ନ ଧର୍ମର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନେଇ ମହାସମାରୋହରେ ‘ଇଫ୍ତାର ଓ ଇଦ୍ ମିଲନ’ ପାଳନ କରାଯାଇଥାଏ । ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଓଡ଼ିଶାର ଅନେକ ଭାଇଭଉଣୀ ଦୁଃଖଦ ସ୍ଥିତିରେ ଫସି ରହିଛନ୍ତି । ଏହି ଯୁଦ୍ଧ ଦ୍ୱାରା ୧୦ରୁ ଅଧିକ ଦେଶ ପ୍ରତ୍ୟକ୍ଷ ଭାବେ କ୍ଷତିଗ୍ରସ୍ତ ହେବା ସହ ସାରା ବିଶ୍ୱ ପ୍ରଭାବିତ ହୋଇଛି ।

ଏଭଳି ସ୍ଥିତିରେ ଚଳିତ ବର୍ଷ ବିଜୁ ଜନତା ଦଳ ତରଫରୁ ‘ଇଫ୍ତାର ଓ ଇଦ୍ ମିଲନ’ ପାଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବ୍ୟାପକ ଧନଜୀବନ ହାନୀ ଯୋଗୁଁ ଦଳର ସଭାପତି ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହି ଦୁଃଖଦ ମୂହୁର୍ତ୍ତରେ କୌଣସି ପ୍ରକାର ଉତ୍ସବ ପାଳନରୁ ନିବୃତ୍ତ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ମନ୍ମଥ ରାଉତରାୟ, ବରିଷ୍ଠ ନେତା ଶେଖ୍ ନିଜାମୁଦ୍ଦିନ୍, ମୁଖପାତ୍ର ସୋଫିଆ ଆଲମ ଓ ସଂଖ୍ୟାଲଘୁ ସେଲ୍ର ସହ ସଂଯୋଜିକା ରିଜ୍ୱାନା ବେଗମ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.