Latest Odisha News

BREAKING NEWS

ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା ହେଲାନି ଭୁବନେଶ୍ୱର ମଧ୍ୟ ଆସନ ପାଇଁ ବିଜେଡି ପ୍ରାର୍ଥୀ, ଦଳକୁ ଘାରିଛି ଦ୍ବନ୍ଦ୍ବ?

ଭୁବନେଶ୍ୱର: ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନ ବିଜୁ ଜନତା ଦଳ (ବିଜେଡି) ଭିତରେ ଆଭ୍ୟନ୍ତରୀଣ କଳହର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ଶତାଧିକ ସମର୍ଥକଙ୍କୁ ଏକାଠି କରି ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ନିଜର ପ୍ରଭାବ ପ୍ରଦର୍ଶନ କରିଛନ୍ତି।

ଅନ୍ୟପକ୍ଷରେ କର୍ପୋରେଟର ଅମରେଶ ଜେନା ମଧ୍ୟ ସେହି ଆସନ ପାଇଁ ସକ୍ରିୟ ପ୍ରଚାର ଚଳାଇଛନ୍ତି। ଏହା ପୂର୍ବରୁ ସେ ଏକ ସାଧାରଣ ସଭାରେ ବର୍ତ୍ତମାନର ବିଧାୟକଙ୍କୁ ନେଇ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ଗତ ମଙ୍ଗଳବାର କର୍ପୋରେଟର ତାଙ୍କ ସମର୍ଥକଙ୍କ ସହ ବୈଠକ କରି ବିଧାୟକଙ୍କ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ। ଏହାକୁ ନେଇ ଦୁଇ ଆଶାୟୀଙ୍କ ମଧ୍ୟରେ କ୍ଷମତା ସଂଘର୍ଷ ଜାରି ରହିଥିବା ବେଳେ ବିଜେଡିର ଶୀର୍ଷ ନେତୃବୃନ୍ଦ ଅଡୁଆରେ ପଡ଼ିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ଉତ୍ତର ଭୁବନେଶ୍ୱର ଏବଂ ଏକାମ୍ର ଆସନ ପାଇଁ ଦଳ ପ୍ରାର୍ଥୀ ରିପିଟ୍ କରିଥିବା ବେଳେ ଜୟଦେବ ଏବଂ ଭୁବନେଶ୍ୱର ମଧ୍ୟ ଆସନ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହା ଦର୍ଶାଉଛି ପ୍ରାର୍ଥୀ ଚୟନକୁ ନେଇ ଦଳ ଏବେ ଦ୍ବନ୍ଦ୍ବରେ ଅଛି। ତେବେ ଏକାମ୍ର ପାଇଁ ସୁପକାର ମଧ୍ୟ ଦାବି କରୁଥିଲେ ହେଲେ ଅଶୋକ ପଣ୍ଡାଙ୍କୁ ଦଳ ଟିକେଟ୍ ଦେଇଥିବାରୁ ତାଙ୍କର ରଣନୀତି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ମନ୍ମଥ ରାଉତରାୟ (ସୁର ରାଉତରାୟଙ୍କ ପୁଅ)କୁ ବିଜେଡି ପ୍ରାର୍ଥୀ କରିଛି।

ନବୀନ ନିବାସ ଗସ୍ତ ସମ୍ପର୍କରେ ଅନନ୍ତ ନାରାୟଣ ଜେନାଙ୍କୁ ପଚରାଯିବାରୁ ସେ କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପାଣ୍ଠି ପ୍ରଦାନ କରିଛନ୍ତି। ଲୋକମାନେ ସ୍ୱେଚ୍ଛାକୃତ ଭାବେ ଏଠାକୁ ଆସି କୃତଜ୍ଞତା ଜଣାଇଛନ୍ତି। ତେବେ ଏହାକୁ ନେଇ ଅମରେଶ ଜେନାଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ।

Leave A Reply

Your email address will not be published.