ନିର୍ବାଚନରେ ଦଳ ପ୍ରଦର୍ଶନ ରିପୋର୍ଟ ୧୦ ଦିନ ଭିତରେ ଦାଖଲ କରିବା ପାଇଁ ପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଆକ୍ସନ ମୋଡରେ ବିଜେଡି । ତୃଣମୂଳ ସ୍ତରରେ ଦଳକୁ ସଜାଡିବା ପାଇଁ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପ୍ରସ୍ତୁତି ଏବେଠାରୁ ଆରମ୍ଭ କରିସାରିଲାଣି । ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ସହ ଆଜି ୱାନ ଟୁ ୱାନ ସମୀକ୍ଷା ବୈଠକ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।ତିନି ଦିନ ଧରି ଚାଲିବ ଏହି ବୈଠକ । ପ୍ରଥମ ଦିନରେ ୮ ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ ।
ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ଭଲ ଓ ଖରାପ ପ୍ରଦର୍ଶନକୁ ନେଇ ଏହି ବୈଠକ ଡକାଯାଇଛି । କେଉଁ ଜିଲ୍ଲାରେ ଦଳ ଭଲ ପ୍ରଦର୍ଶନ କରିଛି ତାର କାରଣ କଣ ଓ କେଉଁ ଜିଲ୍ଲାରେ ଦଳ ଖରାପ ପ୍ରଦର୍ଶନ କରିଛି । ତାହା କାହିଁକି ହେଲା । ସେ ସବୁର ରିପୋର୍ଟ ୧୦ ଦିନ ଭିତରେ ଦାଖଲ କରିବା ପାଇଁ ଦଳର ପର୍ଯ୍ୟବେକ୍ଷକ ମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନରେ ନୟାଗଡ ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରାଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ପରେ ବାଲେଶ୍ୱର ପର୍ପ୍ୟବେକ୍ଷକ ପ୍ରତାପ ଦେବଙ୍କ ସହ ଓାନ ଟୁ ୱାନ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।
ଆଜି ନବୀନ ନିବାସରେ ବୈଠକ ବସିଥିଲା । ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମାଲକାନଗିରି, କେନ୍ଦ୍ରାପଡା, ବାଲେଶ୍ୱର,ନୟାଗଡ ,ଅନୁଗୁଳ , ନବରଙ୍ଗପୁର , ଢେଙ୍କାନାଳ ଓ ସୁନ୍ଦରଗଡ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତଙ୍କୁ ନିଜ ଅଞ୍ଚଳର ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଦଳ କାହିଁକି ଅନେକ ଜାଗାରେ ଖରାପ ପ୍ରଦର୍ଶନ କରିଛି ତୃଣମୂଳ ସ୍ତରରେ ତାର କାରଣ ଜାଣିବା ପାଇଁ ତତ୍ପର ହୋଇପଡିଛନ୍ତି ଦଳ ସୁପ୍ରିମୋ।
ଦଳର ସଭାପତି ହିସାବରେ ବିଭିନ୍ନ ଜିଲ୍ଲାର ରିପୋର୍ଟ ମାଗିବା ତାଙ୍କର ଅଧିକାର ରହିଛି ବୋଲି କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ କହିଛନ୍ତି । ଦଳକୁ ମଜବୁତ କରିବା ପାଇଁ ରଣନୀତି ଆରମ୍ଭ କରିସାରିଲାଣି ବିଜେଡି ।ଆଗକୁ ଦଳ ସୁପ୍ରିମୋ ପର୍ଯ୍ୟବେକ୍ଷକ ମାନଙ୍କୁ କି ପରାମର୍ଶ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।
Comments are closed.