Latest Odisha News

ସୌମ୍ୟଙ୍କୁ ପୁଣି ବିଜେଡି ବାଣ: ଦଳ ଛାଡି ସମ୍ପାଦକୀୟ ଲେଖିବାକୁ କହିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ଵର:ଅରୁଣ ସାହୁ, ଅତନୁ ସବ୍ୟସାଚୀଙ୍କ ପରେ ସୌମ୍ୟଙ୍କୁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ କଟାକ୍ଷ   । ସୌମ୍ୟଙ୍କୁ ସମାଲୋଚନ କରି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଦଳରେ ରହି ଦଳର ନେତା, ସରକାରଙ୍କୁ ସେ ନିରନ୍ତର ସମାଲୋଚନା କରୁଛନ୍ତି । ଏପରି କରିବାକୁ ବ୍ଲାକମେଲ ଟାକ୍ଟିସ ବୋଲି କୁହାଯାଇପାରେ । ଯଦି ସମାଲୋଚନା କରିବାର ଅଛି, ତାହା ହେଲେ ଦଳରୁ ବାହାରିଯାଇ କରନ୍ତୁ ବୋଲି  ପରାମର୍ଶ ଦେଇଛନ୍ତି  ମନ୍ତ୍ରୀ ପ୍ରତାପ ଦେବ ।

ସୌମ୍ୟଙ୍କ ସମ୍ପାଦକୀୟକୁ ନେଇ ୧୫ ଦିନ ପରେ ମୁହଁ ଖୋଲୁଛନ୍ତି  ବିଜେଡି ନେତା, ବିଧାୟକ ଓ ମନ୍ତ୍ରୀ । ଅରୁଣ ସାହୁ ଓ ଅତନୁ ସବ୍ୟସାଚୀଙ୍କ ପରେ ଏବେ ସୌମ୍ୟଙ୍କୁ ପୁଣି ସମାଲୋଚନା କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ଆଜି ଏକ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତେ ନିଜ ନିଜର ମତ ରଖିପାରିବେ । ହେଲେ ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକ ହୋଇ ବାରମ୍ବାର ବାରମ୍ବାର ଦଳ ଏବଂ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ସୌମ୍ୟ । ଏହାକୁ ବ୍ଲାକମେଲ କୁହାଯାଏ । ଉଦ୍ଦେଶ୍ୟମୂଳକ ଭାବେ ଦଳ ବିରୋଧରେ ସୌମ୍ୟ ଲେଖୁଛନ୍ତି ବୋଲି କହିଛନ୍ତି ପ୍ରତାପ ଦେବ । ତାଙ୍କର ଯଦି କିଛି କହିବାର ଅଛି ତାହେଲେ ଦଳୀୟ ପ୍ଲାଟଫର୍ମରେ କୁହନ୍ତୁ । ଯଦି ଦଳ କଥା ମାନୁନାହାନ୍ତି ତାହାଲେ ଦଳରୁ ଇସ୍ତଫା ଦେଇଦିଅନ୍ତୁ ଏବଂ ସମ୍ପାଦକୀୟ ଲେଖନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ  ।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖକୁ ଯାଉଛି। ନିର୍ଦ୍ଦିଷ୍ଟ କେଉଁ ବ୍ୟକ୍ତି ବିଶେଷ ଯାଉ ନାହିଁ। ମୁଖ୍ୟମନ୍ତ୍ରୀ ଏହି କଥାକୁ ସ୍ପଷ୍ଟ କରିଛନ୍ତି। ଏତେସବୁ ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଓ ସରକାରଙ୍କୁ ଇଙ୍ଗିତ କରିବା ବିଲକୁଲ ସମୀଚିନ ନୁହେଁ ଓ ଏହା ସମ୍ପୂର୍ଣ୍ଣ ଭୁଲ । ଘରଭିତରେ ଥାଇକି ଘର ଭିତରୁ  ଆଲୋଚନା ସମାଲୋଚନା କରିବା ନିଶ୍ଚିତ ଭାବରେ ଅନୁଶାସନ ଭଙ୍ଗ କରୁଛି । ଯଦି ତାଙ୍କର କିଛି କହିବାର ଅଛି ତେବେ ଦଳରୁ ବାହାରିଯାଇ ବାହାରେ କୁହନ୍ତୁ । ଦଳଭିତରେ ରହି  ସରକାରଙ୍କ ବିରୋଧରେ ଆଲୋଚନା କରିବା ବା ସରକାରଙ୍କୁ ଇଙ୍ଗିତ କରିବା ଏହା ବିଲକୁଲ ସମୀଚିନ ନୁହେଁ ବୋଲି କହିଛନ୍ତି ପ୍ରତାପ ଦେବ ।

ସୂଚନାଯୋଗ୍ୟ ଯେ, ସମ୍ବାଦ ଖବରକାଗଜର ସମ୍ପାଦକ  ସୌମ୍ୟ ପଟ୍ଟନାୟକଙ୍କର ଏକ ସମ୍ପାଦକକୁ ନେଇ ପ୍ରଥମେ ବିଜେଡି ନେତା ଅନୁଭବ ପଟ୍ଟନାୟକ ସୌମ୍ୟଙ୍କ ନାଁ ନ ନେଇ ଟ୍ୱିଟ୍ କରି ସମାଲୋଚନା କରିଥିଲେ । ୨୦୧୯ରେ ସୌମ୍ୟ କିପରି ବିଧାୟକ ଟିକଟ ପାଇଁ ନବୀନ ନିବାସରେ ଅନୁରୋଧ କରିଥିଲେ, ବିଧାୟକ ହେବା ପରେ ତାଙ୍କର ମନ୍ତ୍ରୀ ହେବାର ଇଚ୍ଛା ଅଛି ବୋଲି କିପରି ଅନୁରୋଧ କରୁଥିଲେ ସେ ବିଷୟରେ କହି କଟାକ୍ଷ କରିଥିଲେ । ଗତକାଲି  ସମାନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଥିଲେ ବିଜେଡି ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ତାଙ୍କର ପ୍ରତିଉତ୍ତରେ ନିଜର ମନ୍ତବ୍ୟ ରଖିଥିଲେ ସୌମ୍ୟ ପଟ୍ଟନାୟକ ।

Comments are closed.