ଭୁବନେଶ୍ବର: ଦଳ ଗଠନ ପରଠୁ ଯାଜପୁର ବିଜେଡିର ଗଡ଼ ରହିଛି। ପ୍ରାର୍ଥୀ ବଦଳିଛନ୍ତି, ହେଲେ ବଦଳିନି ଫଳ। ଏଥର ବିଜେଡିର ଅଭେଦ୍ୟ ଦୁର୍ଗ ଦଖଲ କରିବାକୁ ରଣନୀତି କରିଛି ବିଜେପି। ଯାଜପୁର ବିଜେଡିର ଚେହେରା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏଥର ଯାଜପୁରରୁ ଦୂରେଇ ସମ୍ବଲପୁର ଲଢେଇ ଲଢୁଛନ୍ତି। ଏମିତିରେ ବିଜେପି ବିରଜା କ୍ଷେତ୍ରରେ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଛି । ବିଜେଡି ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ପୁଣି ଭରସା କରିଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରବୀନ୍ଦ୍ର ନାରାୟଣ ବେହେରା । ପୂର୍ବତନ ସାଂସଦ ଅଞ୍ଚଳ ଦାସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।
ଶର୍ମିଷ୍ଠା Vs ରବୀନ୍ଦ୍ର
ଯାଜପୁର ଲଢେଇ ପାଇଁ ବିଜେଡି ଶର୍ମିଷ୍ଠା ସେଠୀଙ୍କୁ ରିପିଟ୍ କରିଛି ତ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେପି। ଗତଥର ଲକ୍ଷେରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକଙ୍କୁ ମାତ୍ ଦେଇଥିଲେ ଶର୍ମିଷ୍ଠା । ନବୀନ ସରକାରର ବିକାଶମୂଳକ ଯୋଜନାକୁ ନେଇ ପ୍ରଚାର ମଇଦାନରେ ଶର୍ମିଷ୍ଠା। ସେପଟେ ରବୀନ୍ଦ୍ର ନାରାୟଣ ବେହେରା ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ସେବେଠାରୁ ଦଳର ସଂଗଠନ ସହ ସେ ଜଡିତ । ବିଜେପି ଏସସି ମୋର୍ଚ୍ଚା ସଭାପତି ଦାୟିତ୍ୱ ତୁଲାଇଥିଲେ । ଯାଜପୁର ବିକାଶ ପାଇଁ ହୁଙ୍କାର ଭରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ରବୀନ୍ଦ୍ର। ସେପଟେ କଂଗ୍ରେସ ପୂର୍ବତନ ସାଂସଦ ଅଞ୍ଚଳ ଦାସଙ୍କୁ ପ୍ରାର୍ଥୀ କରିଛି। ସେ ୧୯୯୬ରେ ଜନତା ଦଳରୁ ସେ ସାଂସଦ ହୋଇଥିଲେ ।
ବବିଙ୍କ ବିନା ଯାଜପୁର ଲଢେଇ
ଯାଜପୁରରେ ବିଜେଡିର ବିଜୟ ପଛର ଚେହେରା ପ୍ରଣବ ପ୍ରକାଶ ଦାସ ଏଥର ଯାଜପୁରଠାରୁ ଦୂରରେ ରହିଥିଲେ। ସମ୍ବଲପୁର ଲୋକସଭା ଲଢୁଥିବା ବବି ଯାଜପୁରକୁ ସେତେଟା ଫୋକସ କରିପାରିନାହାନ୍ତି। କୋରେଇରୁ ତାଙ୍କ ମାଆ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଛନ୍ତି। ତେବେ ସମ୍ବଲପୁର ନିର୍ବାଚନ ରାଜ୍ୟର ତୃତୀୟ ପର୍ଯ୍ୟାୟରେ ରହିଥିଲା। ତେଣୁ ଯାଜପୁର ବିଜୟର ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ପାଇଁ ସମୟ ପାଇନପାରନ୍ତି ବବି। ପ୍ରଚାର ମଇଦାନରେ ଅଳ୍ପ କିଛି ଦିନ ରହିବେ। ତେବେ ପୂରା ଯାଜପୁର ପାଇଁ ବିଜୟ ଅଙ୍କ କଷିବା ପ୍ରଣବଙ୍କ ପାଇଁ କଷ୍ଟକର ହୋଇପାରେ । ସେପଟେ ଯାଜପୁରରୁ ନିଜେ ପ୍ରଣବ ପ୍ରାର୍ଥୀ ହେଉଥିବା ବେଳେ ଏଥର ମିଶନ ଶକ୍ତି ମାଆ ସୁଜାତା ସାହୁ ପ୍ରାର୍ଥୀ ହୋଇଛନ୍ତି । ଏହାର ପ୍ରଭାବ ମଧ୍ୟ ଲୋକସଭା ଲଢେଇ ଉପରେ ପଡିପାରେ ।
ବିଦ୍ରୋହୀ ବିଗାଡିବେ ଅଙ୍କ !
ଗତଥର ଯାଜପୁର ଲୋକସଭା ଅଧୀନରେ ଥିବା ସମସ୍ତ ୭ଟି ବିଧାନସଭାରେ ହୋଇଥିଲା ଶଙ୍ଖନାଦ। ହେଲେ ଏଥର ଟିକେଟ୍ ନମିଳିବାକୁ ନେଇ ଦଳରେ ଅସନ୍ତୋଷ ରହିଛି। କେଉଁଠି ନେତା ଦଳ ଛାଡିଛନ୍ତି ତ ଆଉ କେଉଁଠି ଚାପା ଅସନ୍ତୋଷ ରହିଛି । କୋରେଇ ଟିକେଟ୍ ନମିଳିବା ନେଇ ଜାଣିବା ପରେ ବିଜେଡି ଛାଡି ବିଜେପିକୁ ଯାଇ ପ୍ରାର୍ଥୀ ହୋଇଛନ୍ତି ଆକାଶ ଦାସନାୟକ। ବଡଚଣାରୁ ପ୍ରାର୍ଥୀ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ୬ଥର ବିଧାୟକ ଅମର ଶତପଥୀଙ୍କ ଟିକେଟ୍ କଟିବା ପରେ ସମର୍ଥକଙ୍କ ଭିତରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଅମରଙ୍କ ସହ ଆଶାୟୀ ରାଜନାରାୟଣ ଓ ଜନ୍ମେଜୟ ଲେଙ୍କା ମଧ୍ୟ ଏନେଇ ଅସନ୍ତୁଷ୍ଟ ହୋଇଥିଲେ । ଦଳ ପକ୍ଷରୁ ସମସ୍ତଙ୍କୁ ଏକାଠି କରିବାକୁ ଉଦ୍ୟମ ହୋଇଥିଲେ ବି ଏହା କେତେ କାମ ଦେବ, ତାକୁ ନେଇ ଦ୍ବନ୍ଦ୍ବ ରହିଛି । ଧର୍ମଶାଳା ହେଉ କି ବରୀ, ବିଜେଡିରେ ବିଦ୍ରୋହ ସାମନାକୁ ଆସିଛି । ଯାଜପୁର ବିଜେପିରେ ମଧ୍ୟ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଇଛି । ବିଦ୍ରୋହୀ ଏଥର ଯାଜପୁର ଗଣିତ ଏପଟ ସେପଟ କରିପାରନ୍ତି ।
ବିଜେଡି ଗଡ଼ରେ ବିଜେପିର ସମରସଜ୍ଜା
ଯାଜପୁର ଦଖଲ କରିବାକୁ ସମରସଜ୍ଜା କରିଛି ବିଜେପି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରୀୟ ନେତା । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବଡଚଣାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଆଗକୁ ବିଜେପି ଚାଣକ୍ୟ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନ ଯାଜପୁର ପ୍ରଚାର ମଇଦାନକୁ ଓହ୍ଲାଇବେ। ବିଜେଡି ହାତରୁ ଯାଜପୁର ଛଡାଇ ଆଣିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ସେପଟେ ଗଡ଼ରକ୍ଷା ପାଇଁ ମଇଦାନରେ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାଗଣା ବିଜୁଳି ପ୍ରତିଶ୍ରୁତି ସହ ନବୀନ ସରକାର ବିକାଶମୂଳକ କାମର ହିସାବ ଦେଉଛନ୍ତି । ବିଜେପିକୁ ଜୋରଦାର ଆଟାକ୍ କରୁଛନ୍ତି ଭିକେ ପାଣ୍ଡିଆନ ।
କମିଥିଲା ବ୍ୟବଧାନ ବଦଳିବ ଫଳ !
ଗତଥର ଯାଜପୁର ଲୋକସଭାରୁ ବିଜେଡି ବିଜୟୀ ହୋଇଥିଲେ ବି ବିଜେପିର ଭୋଟ୍ ୨୫ ପ୍ରତିଶତ ବଢିଥିଲା । ବିଞ୍ଝାରପୁର, ବରୀ ହେଉ କି କୋରେଇ, ସୁକିନ୍ଦା ଦ୍ବିତୀୟ ସ୍ଥାନରେ ରହି ବି ଭଲ ଫାଇଟ୍ ଦେଇଥିଲା ବିଜେପି । ବଡ଼ଚଣାରେ ତ ବିଜୟ ବ୍ୟବଧାନ ରହିଥିଲା ମାତ୍ର ୧୪୮୫ ଭୋଟ୍ । ତେଣୁ ଏଥର ଭୋଟ୍ ବଢାଇ ଯାଜପୁର ବିଜୟ ପାଇଁ ବିଜେପି ଜୋରଦାର ଉଦ୍ୟମ କରୁଛି । ବିଜେଡି ବି ଗଡ ରକ୍ଷା ପାଇଁ ଅଣ୍ଟା ଭିଡିଛି । ଯାଜପୁରରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଫାଇଟ୍ ହେଉଥିବା ବେଳେ କଂଗ୍ରେସ ପଛରେ ରହିଛି । ଏଥର ପୁଣି କିଲ୍ଲା କବଜା କରିବ କି ବିଜେଡି? ନା ମୋଦି ହାୱା ବଦଳାଇବ ସମୀକରଣ ?
Comments are closed.