ଭୁବନେଶ୍ୱର: କୋଟିଆକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ଗ୍ରାଉଣ୍ଡ ଜିରୋରୁ କୋଟିଆର ସ୍ଥିତି ଦେଖିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି କେନ୍ଦ୍ରୀୟ ନେତା । କୋଟିଆ ଗ୍ରାମପୁଞ୍ଜର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ଚିନ୍ତା ନାହିଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା କଥାକୁ ସମର୍ଥନ କରିବା ପରିବର୍ତ୍ତେ ବିଜେଡ଼ି ନେତା ଆନ୍ଧ୍ରପ୍ରଦେଶ ସରକାରଙ୍କ ଭାଷା କହୁଛନ୍ତି, ଯାହା ଦୁର୍ଭାଗ୍ୟଜନକ ଏବଂ ଓଡ଼ିଶା ବିରୋଧୀ ମାନସିକତାର ପ୍ରତିଫଳନ ବୋଲି କହିଛି ବିଜେପି।
ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି କହିଛି, ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କହିଥିଲେ । କୋରାପୁଟର କୋଟିଆ ଗ୍ରାମପୁଞ୍ଜ ଓ ଫାଟୁସିନେରୀ ଅଂଚଳର ଦୃଶ୍ୟ ବହୁ ସମ୍ବେଦନଶୀଳ ଓ ଦୃଦୟ ବିଦାରକ ଥିଲା । କୋଟିଆ ପାଇଁ ମୁଖ୍ୟ ରାସ୍ତା ଥିଲା ବେଳେ ଗାଁର ନିକଟବର୍ତୀ ଅଂଚଳରେ ଆଜି ବି ଦୁରାବସ୍ଥା ଲାଗି ରହିଛି ।
ସରକାରଙ୍କ କିଛି ଯୋଜନା ପହଁଚିଛି କିନ୍ତୁ ଲୋକକଲ୍ୟାଣ ନାହିଁ । ଭୁବନେଶ୍ୱରରେ ବସି ନେତା ଓ ବାବୁମାନେ କୋଟିଆରେ ରାସ୍ତାଘାଟ ଠିକ୍ ଅଛି ଏବଂ ନିର୍ମାଣ କାର୍ଯ୍ୟରେ ୧୫୦ କୋଟି ଟଙ୍କା ବିନିଯୋଗ ହୋଇଛି କହିବା ହାସ୍ୟାସ୍ପଦ । ସେଠାରେ ବୟସ୍କ ଲୋକଙ୍କୁ ଠିକ୍ ସମୟରେ ଭତ୍ତା ମିଳୁନାହିଁ । ଭତ୍ତା ଆଣିବା ପାଇଁ ବିନା ସାଧନରେ ୨୫ରୁ ୩୦ କିମି ଯିବାକୁ ପଡୁଛି । ଘୋଡା ଛଅ ଟଙ୍କା, ଦାନା ନଅ ଟଙ୍କା ନ୍ୟାୟରେ କୋଟିଆବାସୀଙ୍କୁ ହଇରାଣ କରିବା କଣ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ବୋଲି ବିଜେପି ପ୍ରଶ୍ନ କରିଛି ।
ସ୍ଥାନୀୟ ନାଗରିକଙ୍କ କହିବାନୁସାରେ କୋଟିଆରେ ୨୮ଟି ରେଭିନ୍ୟୁ ଭିଲେଜରୁ ୨୧ଟିରୁ ଊର୍ଦ୍ଧ୍ୱ ଅଂଚଳରେ ପ୍ରବେଶ ନାହିଁ । ଯାହା ଆଶ୍ଚର୍ଯ୍ୟଜନକ । କୋଟିଆ ଗ୍ରାମପୁଞ୍ଜର ଜନସାଧାରଣଙ୍କର ଜମି ୧୯୫୬ ମସିହାରୁ ବନ୍ଦୋବସ୍ତ ହୋଇପାରିନାହିଁ । ଏଥିନିମନ୍ତେ ରାଜ୍ୟ ସରକାରଙ୍କର ଆନ୍ତରିକତାର ଅଭାବ କୋଟିଆବାସୀଙ୍କୁ କଷ୍ଟ ଦେଉଛି । ଭୂ-ବନ୍ଦୋବସ୍ତ ଓ ରାଜସ୍ୱ ପରିଚାଳନାରେ ରାଜ୍ୟ ସରକାର ଏକ ନମ୍ବର ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏ କଥାରୁ ସ୍ପଷ୍ଟ ହେଉଛି ପ୍ରଚାର ଓ ବାସ୍ତବତା ମଧ୍ୟରେ ପାର୍ଥକ୍ୟ କେତେ ?
ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ ,ଦୁଇ ଦିନ ହେବ କୋଟିଆକୁ ନେଇ ବିଜେଡି ପକ୍ଷରୁ ଯେଉଁ ରାଜନୈତିକ ବୟାନବାଜି ହେଉଛି ତାହା ରାଜ୍ୟବାସୀଙ୍କୁ କଷ୍ଟ ଦେଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋଟିଆ ସୁରକ୍ଷା ପାଇଁ ଦଳ, ମତ ନିର୍ବିଶେଷରେ ଆନ୍ଧ୍ରର ଅନୁପ୍ରବେଶ ବିରୋଧରେ ଏକଜୁଟ୍ ହେବାକୁ ଆହ୍ୱାନ ଦେଇଥିଲେ । ତାହାକୁ ବିଜେଡି ସ୍ୱାଗତ କରିବା ବଦଳରେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତାର ପରିଚୟ ।
ଅନ୍ୟପକ୍ଷଷ କୋଟିଆରେ ଯାହା ବିକାଶ ହୋଇଛି ତାହା ରାଜ୍ୟ ସରକାର କରିଛନ୍ତି ବୋଲି କହୁଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ, ସୌଭାଗ୍ୟ ଯୋଜନା, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ , ଏହି ଯୋଜନା ସମେତ ଆହୁରି ଅନ୍ୟାନ୍ୟ ଯୋଜନା କାହାର ବୋଲି ବିଜେପି ପ୍ରଶ୍ନ କରିଛନ୍ତି ।
୨୦୨୧ ନଭେମ୍ବର ୮ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ସାକ୍ଷାତ୍ ହୋଇଥିଲା । ଏହି ସାକ୍ଷାତ୍ ଅତ୍ୟନ୍ତ ସୌହାର୍ଦ୍ଦପୂର୍ଣ୍ଣ ଓ ଫଳପ୍ରଦ ଥିଲା ବୋଲି ବୈଠକ ପରବର୍ତ୍ତୀ ବିବୃତିରୁ ଜଣାପଡିଥିଲା । ଏକ ଯୁଗ୍ମ ଉଚ୍ଚସ୍ତରୀୟ କମିଟି କୋଟିଆ ପଂଚାୟତରେ ଥିବା ୨୧ଟି ଗ୍ରାମପୁଞ୍ଜର ବିବାଦକୁ ସମାଧାନ କରିବେ ବୋଲି ମତପ୍ରକାଶ କରିଥିଲେ । ଏହି ସାକ୍ଷାତର ପାଖାପାଖି ଦେଢ ବର୍ଷ ପରେ ମଧ୍ୟ ବିବାଦର ସମାଧାନ ହେବା ପରିବର୍ତ୍ତେ ଆନ୍ଧ୍ର ସରକାର ଓଡ଼ିଶା ସୀମାନ୍ତକୁ ଆକ୍ରାମକ ଭାବେ ଅନୁପ୍ରବେଶ କରିବା ଏକ ସଙ୍ଗୀନ ପ୍ରସଙ୍ଗ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଭିତିରି ବୁଝାମଣା କରି କୋଟିଆ ଗ୍ରାମପୁଞ୍ଜକୁ ଓଡ଼ିଶା ସରକାର ଆନ୍ଧ୍ରକୁ ଟେକିଦେବାର ଷଡଯନ୍ତ୍ର ରଚୁନାହାନ୍ତି ତ ବୋଲି ବିଜେପି ଅଭିଯୋଗ ଆଣିଚି । ବିଜେପି ପ୍ରଶ୍ନ କରିଛି, ଯଦି କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରକୁ ଦେବାକୁ ଚାହୁଁ ନାହାନ୍ତି ତ ତେବେ ସୀମାନ୍ତର ୧୦ କିମି ଆଭ୍ୟନ୍ତରରେ ଆନ୍ଧ୍ର ସରକାର ଯେଉଁଭଳି ଭାବରେ ସ୍ଥାୟୀ ନିର୍ମାଣ କାର୍ଯ୍ୟ କରୁଛନ୍ତି ଓ କୋରାପୁଟ ତଥା ଓଡ଼ିଶା ପ୍ରଶାସନ ନିରବରେ ତାହାକୁ ପରୋକ୍ଷ ସମର୍ଥନ କରୁଛନ୍ତି ତାହା ଓଡ଼ିଶା ସରକାରଙ୍କର ଓଡ଼ିଶା ବିରୋଧୀ ମାନସିକତାକୁ ପ୍ରତିପାଦିତ କରୁଛି ।
ଏହି ସାମ୍ବାଦିକ ସମ୍ମିଳନରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବଡସାହି ବିଧାୟକ ସନାତନ ବିଜୁଳି ଏବଂ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ସହ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.