Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନରେ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । ଏନେଇ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି । ପ୍ରଦୀପ ପୁରୋହିତ ପଦ୍ମପୁର ଉପନିର୍ବାଚନରେ ବିଜେପି ପକ୍ଷରୁ ନାମାଙ୍କନ ଭରିବେ ବୋଲି କହିଛନ୍ତି କୁସୁମ ଟେଟେ । ୧୪ ତାରିଖରେ ବିଜେପି ପ୍ରାର୍ଥୀ ନାମାଙ୍କନ ଭରିବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

୨୦୧୪ ସାଧାରଣ ନିର୍ବାଚନରେ ପ୍ରଦୀପ ପୁରୋହିତ ପଦ୍ମପୁର ଆସନରୁ ବିଧାୟକ ଥିଲେ । ୨୦୧୯ରେ ସେ ବିଜେପି ଟିକେଟରେ ପଦ୍ମପୁର ଆସନରୁ ନିର୍ବାଚନ ଲଢ଼ିଥିବା ବେଳେ ବିଜୟ ରଞ୍ଜନ ସିଂ ବରିହାଙ୍କୁ ମିଳିଥିଲା ଜନସମର୍ଥନ ।

୨୦୧୯ ନିର୍ବାଚନରେ ବିଜେଡିର ବିଜୟ ରଞ୍ଜନ ସିଂ ବରିହା ୮୩ ହଜାର ୨୯୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତ ପାଇଥିଲେ ୭୭ ହଜାର ୫୬୫ ଖଣ୍ଡ ଭୋଟ୍ । ୫ ହଜାର ୭୩୪ ଖଣ୍ଡ ଭୋଟରେ ବିଜୟ ରଞ୍ଜନ ବିଜୟୀ ହୋଇଥିଲେ ।

ସେହିଭଳି ୨୦୧୪ ନିର୍ବାଚନରେ ପ୍ରଦୀପ ପୁରୋହିତ, ବିଜୟ ରଞ୍ଜନ ବରିହାଙ୍କୁ ୪ ହଜାର ୫୨୦ ଖଣ୍ଡ ଭୋଟରେ ହରାଇ ବିଧାୟକ ହୋଇଥିଲେ । ପ୍ରଦୀପ ପୁରୋହିତଙ୍କୁ ୬୮ ହଜାର ୯୨୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବରିହାଙ୍କୁ ୬୪ ହଜାର ୪୦୬ ଖଣ୍ଡ ଭୋଟ୍ ମିଳିଥିଲା ।

ବିଗତ ନିର୍ବାଚନ ଗୁଡ଼ିକୁ ଦେଖିଲେ ୨୦୧୪ ପରେ ପଦ୍ମପୁରରେ ବିଜେପି କୁହନ୍ତୁ ଅବା ପ୍ରଦୀପ ପୁରୋହିତଙ୍କ ସ୍ଥିତି ବେଶ୍ ଭଲ ରହିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏବେ ହେଉଥିବା ଉପନିର୍ବାଚନରେ ବିଜେପି ପ୍ରଦୀପ ପୁରୋହିତଙ୍କୁ ପାର୍ଥୀ କରିଛି । ଅନୁକମ୍ପାମୂଳକ ଭୋଟ୍ ହାତେଇବା ଲାଗି ବିଜେଡି ବରିହାଙ୍କ ପତ୍ନୀ ତିଲୋତ୍ତମାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଶାୟୀଙ୍କ ତାଲିକା ବଢ଼ିବାରେ ଲାଗିଛି ।

ସେପଟେ କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ କିମ୍ବା ପ୍ରକାଶ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିପାରେ । ବିଜେପି ପ୍ରାର୍ଥୀ ଘୋଷଣା କରି ସାରିଥିବାରୁ ଏବେ ସମସ୍ତଙ୍କ ନଜର ବିଜେଡି ଉପରେ । ଶାସକ ଦଳ କାହାକୁ ପ୍ରାର୍ଥୀ କରୁଛି ? ବରିହାଙ୍କ ପରିବାରରୁ ବିଜେଡି କାହାକୁ ଟିକେଟ୍ ଦେବ ନା ବାହାରୁ କିଏ ହେବେ ପ୍ରାର୍ଥୀ ?

Leave A Reply

Your email address will not be published.