BJP Appointments: ପଞ୍ଜାବରେ ସରକାର ଗଠନ, ୟୁପି-ଗୁଜରାଟରେ କ୍ଷମତା ବଜାୟ ରଖିବା ଚ୍ୟାଲେଞ୍ଜ..୩ ରାଜ୍ୟ ପାଇଁ ବିଜେପିର ବଡ଼ ଘୋଷଣା
ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ଏବେଠାରୁ ସଂଗଠନକୁ ନିର୍ବାଚନୀ ମୋଡ୍ରେ ନେଇଛି। ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାଟ ପାଇଁ ଦଳ ନୂଆ ରାଜ୍ୟ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରିଛି। ଏହି ନିଯୁକ୍ତିକୁ ତିନି ରାଜ୍ୟରେ ବିଜେପିର ଭିନ୍ନ ଭିନ୍ନ ରଣନୀତିର ସଙ୍କେତ ଭାବେ ଦେଖାଯାଉଛି।
ପଞ୍ଜାବରେ ବିଜେପିର ଲକ୍ଷ୍ୟ କେବଳ ସଂଗଠନ ବଢ଼ାଇବା ନୁହେଁ, ବରଂ ନିଜ ଦମ୍ରେ ସରକାର ଗଢ଼ିବା ପାଇଁ ଭିତ୍ତି ମଜବୁତ କରିବା। ଏଥିପାଇଁ ଦଳ ଜାତୀୟ ମହାମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସତୀଶ ପୁନିଆଙ୍କୁ ପଞ୍ଜାବର ପ୍ରଭାରୀ ଦାୟିତ୍ୱ ଦେଇଛି। ପଞ୍ଜାବ ପାଇଁ କୌଣସି ସହ-ପ୍ରଭାରୀଙ୍କ ନାମ ଘୋଷଣା କରାଯାଇନାହିଁ। ପଞ୍ଜାବରେ ବିଜେପି ଏବେ କ୍ଷମତାରେ ନାହିଁ। ତେଣୁ ଆଗାମୀ ନିର୍ବାଚନରେ ଦଳର ସଂଗଠନକୁ ଗାଁ ଓ ବୁଥ୍ ସ୍ତର ପର୍ଯ୍ୟନ୍ତ ମଜବୁତ କରିବା ସହ ନିଜର ଭୋଟ୍ ଆଧାର ବଢ଼ାଇବା ବଡ଼ ଚ୍ୟାଲେଞ୍ଜ। ଏହି ଦୃଷ୍ଟିରୁ ପୁନିଆଙ୍କ ନିଯୁକ୍ତିକୁ ବିଜେପିର ବଡ଼ ରାଜନୈତିକ ପ୍ରସ୍ତୁତି ଭାବେ ଦେଖାଯାଉଛି।
ସେହିପରି ଉତ୍ତରପ୍ରଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ଦାୟିତ୍ୱ ଜାତୀୟ ମହାମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ବିନୋଦ ତାବଡ଼େଙ୍କୁ ଦିଆଯାଇଛି। ତାଙ୍କ ସହ ଜାତୀୟ ସଚିବ ଜଗଦୀଶ ଈଶ୍ୱରଭାଇ ପଟେଲଙ୍କୁ ସହ-ପ୍ରଭାରୀ କରାଯାଇଛି। ୨୦୨୭ ୟୁପି ବିଧାନସଭା ନିର୍ବାଚନ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏବେ ଠାରୁ ସଂଗଠନକୁ ସୁଦୃଢ଼ କରିବା, କର୍ମୀଙ୍କୁ ସକ୍ରିୟ କରିବା ଓ ନିର୍ବାଚନୀ ରଣନୀତିକୁ ତଳସ୍ତରକୁ ନେବା ତାବଡ଼େଙ୍କ ପାଇଁ ବଡ଼ ଦାୟିତ୍ୱ ହେବ।
ସେହିପରି ଗୁଜରାଟର ଦାୟିତ୍ୱ ରାଜ୍ୟସଭା ସାଂସଦ ତଥା ବିଜେପିର ଜାତୀୟ କାର୍ଯ୍ୟାଳୟ ପ୍ରଭାରୀ ତରୁଣ ଚୁଘଙ୍କୁ ଦିଆଯାଇଛି। ଗୁଜରାଟରେ ମଧ୍ୟ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ। ତେଣୁ ସଂଗଠନକୁ ନିର୍ବାଚନ ପାଇଁ ପ୍ରସ୍ତୁତ କରିବା ଏବେ ଚୁଘଙ୍କ ପ୍ରମୁଖ ଦାୟିତ୍ୱ ହେବ।
ବିଜେପି ଅଧ୍ୟକ୍ଷ ନିତିନ ନବୀନ ସୋମବାର ନିଜର ନୂଆ ଜାତୀୟ ଟିମ୍ ଘୋଷଣା କରିଥିଲେ। ଏହାର ଠିକ୍ ପରଦିନ ତିନିଟି ନିର୍ବାଚନୀ ରାଜ୍ୟର ପ୍ରଭାରୀ ବଦଳାଯାଇଛି। ଏହି ନିଯୁକ୍ତିଗୁଡ଼ିକ ତୁରନ୍ତ ପ୍ରଭାବରେ ଲାଗୁ ହେବ। ଅର୍ଥାତ୍, ପଞ୍ଜାବରେ ଶୂନରୁ ଶକ୍ତିଶାଳୀ ସଂଗଠନ ଗଢ଼ି ସରକାର ଗଠନର ଲକ୍ଷ୍ୟ, ଯେତେବେଳେ ୟୁପି ଓ ଗୁଜରାଟରେ ଆଗାମୀ ନିର୍ବାଚନ ପାଇଁ ଦଳକୁ ଆହୁରି ମଜବୁତ କରିବାର ରଣନୀତି ନେଇ ବିଜେପି ଏବେଠାରୁ ମଇଦାନକୁ ଓହ୍ଲାଇଛି।
