Latest Odisha News

ଗୋଆର ମୁଖ୍ୟମନ୍ତ୍ରୀ କିଏ ହେବେ ନିଷ୍ପତି ନେଇପାରୁନି ବିଜେପି ?

ପାଣାଜି: ଗୋଆରେ କିଏ ହେବେ ମୁଖ୍ୟମନ୍ତ୍ରୀ । ଏ ନେଇ ସସପେନ୍ସ ଜାରି ରହିଛି । ବିଧାନସଭା ନିର୍ବାଚନ ଫଳାଫଳର ଚାରି ଦିନ ପରେ ମଧ୍ୟ ବିଜେପି ପ୍ରମୋଦ ସାଓ୍ୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଦ୍ୱିତୀୟ ସୁଯୋଗ ଦେବ ନା ଦଳ ନୂଆ ମୁଖ୍ୟମନ୍ତ୍ରୀ ଆଣିବ ତାହା ସ୍ଥିର କରିନାହିଁ। ଏ ନେଇ ବିଜେପି ଅକଳରେ ପଡିଥିବା ସୂଚନା ରହିଛି । ଦିବଂଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରେ ଗୋଆ ବିଜେପିର ବଡ ଚେହେରା ଏଯାବତ କିଏ ଜଣାପଡିନି । ତେଣୁ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଦଳରେ ଦ୍ୱନ୍ଦ ରହିଛି । ଏହାରି ଭିତରେ କିନ୍ତୁ ସମସ୍ତ ବିଧାୟକଙ୍କୁ ଶପଥ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । ମାର୍ଚ୍ଚ 15ରେ ଏହି ଶପଥ ସମାରୋହ ଆୟୋଜିତ ହେବ।

ଗୋଆ ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ ଶପଥ ଗ୍ରହଣ ଉତ୍ସବ ପାଇଁ ନୂଆ ବିଧାୟକଙ୍କ ପାଇଁ ମାର୍ଚ୍ଚ 15ରେ ବିଧାନସଭାରେ ସ୍ନତନ୍ତ୍ର ଅଧିବେଶନ ଡାକିଛନ୍ତି। ଏ ନେଇ ଏକ ସର୍କୁଲାର ଜାରି କରି କୁହାଯାଇଛି ଯେ ବିଧାୟକ ଭାବେ ନିର୍ବାଚିତ ଗଣେଶ ଗାଓଁକରଙ୍କୁ ମାର୍ଚ୍ଚ 14ରେ ରାଜଭବନରେ ପ୍ରୋଟେମ ସ୍ପିକର ଭାବରେ ରାଜ୍ୟପାଳ ଶପଥ ପାଠ କରାଇବେ । ଏହା ପରେ ପ୍ରୋଟେମ୍ ସ୍ପିକର ଅନ୍ୟ ବିଧାୟକଙ୍କୁ ଶପଥ ପାଠ କରାଇବେ।

ସୋମବାର ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିବ ବିଜେପି। ଶନିବାର ବିଜେପି ବିଧାୟକ ଭାବେ ନିର୍ବାଚିତ ବିଶ୍ୱଜିତ ରାଣେ ଯିଏକି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ବୋଲି ଚର୍ଚ୍ଚା ହେଉଛି ସିଏ ରାଜ୍ୟପାଳଙ୍କୁ ଭେଟିଥିଲେ। ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲବି କରୁଛନ୍ତି ବୋଲି କଳ୍ପନାଜଳ୍ପନା ହେଉଛି। ହେଲେ ଏହି ବୈଠକ ବ୍ୟକ୍ତିଗତ ଥିଲା ବୋଲି ରାଣେ କହିଥିଲେ। ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ୱଜିତ ରାଣେ ଗୋଆରେ ଦଳୀୟ କନ୍ଦଳ ଏବଂ ଗୋଷ୍ଠୀରେ ବିଭାଜନ ଖବରକୁ ଖଣ୍ଡନ କରିଥିଲେ।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ନିଜ ଦଳର 17 ଜଣ ବିଧାୟକଙ୍କ ସହ ବୈଠକ କରି ନିଜକୁ ଗୋଆର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରୁଛନ୍ତି। ଶନିବାର ଏବେର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବା ପରେ ନୂଆ ସରକାର ଗଠନ ପାଇଁ ବାଟ ଫିଟିଛି। ରାଜ୍ୟପାଳ ତାଙ୍କୁ କେୟାରଟେକର ସିଏମ୍ ଭାବେ ନିଯୁକ୍ତ କରିଥିଲେ। 40 ଆସନ ବିଶିଷ୍ଟ ବିଧାନସଭାରେ ବିଜେପି 20ଟି ଆସନରେ ବିଜୟୀ ହୋଇଛି । ଏଥିସହ ତିନି ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସୋମବାର (ଆଜି) ସରକାର ଗଠନ ପାଇଁ ଦାବି କରିବ ବୋଲି ଜଣାପଡ଼ିଛି।

Comments are closed, but trackbacks and pingbacks are open.