Latest Odisha News

BREAKING NEWS

ବିଜେଡି ଦଖଲରେ ୩୦ ଜିଲ୍ଲା ପରିଷଦ, ୭୦ ପ୍ରତିଶତ ମହିଳାଙ୍କ ହାତରେ ଶାସନ ଭାର

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥରପାଇଁ କୌଣସି ଏକ ଆଞ୍ଚଳିକ ଦଳ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପରିଷଦ ଗଠନ କରିବାରେ ସଫଳ ହୋଇଛି । ଚଳିତଥର ଶିକ୍ଷିତ ତଥା ଦଳର ଦକ୍ଷ କର୍ମୀ ଜିଲ୍ଲା ପରିଷଦର ସଭାପତି ଭାବେ ମନୋନୀତ ହୋଇଛନ୍ତି । ସବୁଠାରୁ କନିଷ୍ଠ ଜିଲ୍ଲାପରିଷଦ ସଭାପତି ଭାବେ ମାତ୍ର ୨୩ ବର୍ଷ ବୟସ୍କା ସରସ୍ୱତୀ ମାଝୀ ମନୋନୀତ ହୋଇଛନ୍ତି । ବିଏସ୍‌ସିରେ ସ୍ନାତକ ହାସଲ କରିଥିବା ଏହି ଶିକ୍ଷିତା ଯୁବତୀ ରାୟଗଡ଼ା ଜିଲ୍ଲାର ବିକାଶ କାର୍ଯ୍ୟର ଦାୟିତ୍ୱ ନେବେ ।

BjdElectrycity

ସେହିପରି ଦୁର୍ଗମ ଅଞ୍ଚଳ ଉପରେ ଗୁରୁତ୍ୱ ଦିଆଯାଇଛି । ଦୁର୍ଗମ ଅଞ୍ଚଳକୁ ଫୋକସ କରାଯାଇଛି । ମାଲକାନଗିରି ଜିଲ୍ଲାପରିଷଦ ସଭାପତି ଭାବେ ସ୍ୱାଭିମାନ ଅଞ୍ଚଳର ସମାରୀ ଟାଙ୍ଗୁଲୁ ମନୋନୀତ ହୋଇଛନ୍ତି । । ୨୬ବର୍ଷ ବୟସର ଏହି ଯୁବତୀ ଯୁକ୍ତଦୁଇ କଳା ପାସ୍‌ କରିଛନ୍ତି ।

ଏମିତି କହିବାକୁ ଗଲେ ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟିରେ ୪୦ବର୍ଷରୁ କମ୍‌ ବୟସର ଜିଲ୍ଲା ସଭାପତି ଆସନ ଅଳଙ୍କୃତ କରିଛନ୍ତି । ୨୩ଟିରେ ୫୦ ବର୍ଷରୁ କମ୍‌ ବୟସର ଜିଲ୍ଲା ସଭାପତି ଆସନ ପାଇଁ ମନୋନୀତ ହୋଇଛନ୍ତି । ୧୮ଟି ଜିଲ୍ଲା ପରିଷଦ ସଭାପତି ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି ।

ଯଦିଓ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ରହିଛି । ତେବେ ୨୧ଜଣ ମହିଳାଙ୍କୁ ଜିଲ୍ଲାପରିଷଦ ସଭାପତି ଭାବେ ମନୋନୀତ କରାଯଇଥିବାବେଳେ ମହିଳା ନେତୃତ୍ୱ ଆଉ ମହିଳା ସଶକ୍ତିକରଣକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ମୋଟାମୋଟି ଭାବେ କହିଲେ ଏହା ମୋଟ ସଂରକ୍ଷଣର ୭୦ ପ୍ରତିଶତ ଅଟେ । ପ୍ରଥମ ଥରପାଇଁ ଏତେ ସଂଖ୍ୟକ ମହିଳା ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୀର୍ଷସ୍ଥାନକୁ ଯାଇଛନ୍ତି ।

ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମହିଳାମାନେ ଜିଲ୍ଲା ପରିଷଦ ସଭାପତି ଆସନରେ ବସିଛନ୍ତି । ୧୮ଟି ଅଣସଂରକ୍ଷିତ ଆସନ ମଧ୍ୟରୁ ୧୨ଟି ଓବିସି ପ୍ରାର୍ଥୀ ଜିଲ୍ଲା ପରିଷଦର ସଭାପତି ହୋଇଛନ୍ତି ।

ରାଜ୍ୟର ସମସ୍ତ ୩୦ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର କରି ବିଜେଡି ରେକର୍ଡ ସଂଖ୍ୟାରେ ବିଜୟ ହାସଲ କରିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୮୫୨ ଆସନରୁ ଏକାକୀ ୭୬୬ ଆସନରେ ବିଜୟ ଲାଭ କରିଥିବାବେଳେ କଂଗ୍ରେସ ୩୭ ଓ ବିଜେପି ୪୨ ଆସନରେ ବିଜୟଲାଭ କରିଥିଲା । ତେଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇ ନେବାରେ ସମର୍ଥ ହୋଇଛି ।

ଶେଷରେ ବିଜେଡ଼ି ବିଭିନ୍ନସ୍ଥାନରେ ନିଜର ଦବ ଦବା ଜାହିର କରିଛି । ଅନୁଗୋଳରେ ବବିତା ପ୍ରଧାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ଦଖଲ କରିଥିବାବେଳେ ବାଲେଶ୍ୱରରେ ନାରାୟଣ ପ୍ରଧାନ, ବଲାଙ୍ଗୀରରେ ଦେବକୀ ସାହୁ, ବରଗଡ଼ରେ ମାନିନୀ ଭୋଇ, ଭଦ୍ରକରେ ପ୍ରଫୁଲ୍ଲ ଜେନା, ବୌଦ୍ଧରେ ପ୍ରଭାସିନୀ ଦାସ, କଟକରେ କିଶୋର ଚନ୍ଦ୍ର ମିଶ୍ର, ଦେବଗଡ଼ରେ କୌଶିକ କୁମାର ପ୍ରଧାନ, ଢେଙ୍କାନାଳରେ ଅର୍ଚ୍ଚନା ପୁହାଣ ବାଜି ମାରିଛନ୍ତି ।

ସେହିଭଳି ଗଜପତିରେ ଜି.ତିରୁତି ରାୟ, ଗଞ୍ଜାମରେ ଅଞ୍ଜଳି ସ୍ୱାଇଁ, ଯାଜପୁରରେ ନଳିନୀପ୍ରଭା ଜେନା, ଜଗତସିଂହପୁରରେ ମନୋଜ କୁମାର ଭୋଇ, ଝାରସୁଗୁଡ଼ାରେ କୁଳାବତୀ ମିଞ୍ଜ, କନ୍ଧମାଳରେ ନନ୍ଦିନୀ ମଲ୍ଲିକ, କଳାହାଣ୍ଡିରେ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, କେନ୍ଦୁଝରରେ ସାଗରିକା ସାହୁ, କେନ୍ଦ୍ରାପଡ଼ାରେ ଗୀତାଞ୍ଜଳି ସେଠୀ, କୋରାପୁଟରେ ସସ୍ମିତା ମେଲେକା, ଖୋର୍ଦ୍ଧାରେ ରୂପଶ୍ରୀରାଣୀ ଗୁମାନସିଂ, ମାଲକାନଗିରିରେ ସମାରୀ ରାଙ୍ଗୁଲୁଙ୍କ ବାଜିମାତ ହୋଇଛି ।

ମୟୂରଭଞ୍ଜରେ ଭାରତୀ ହାଁସଦା, ନବରଙ୍ଗପୁରରେ ମୋତିରାମ ନାଏକ, ନୟାଗଡ଼ରେ ଦେବାଶିଷ ପଟ୍ଟନାୟକ, ନୂଆପଡ଼ାରେ ଡଲି ମାଝୀ, ପୁରୀରେ ସ୍ୱପ୍ନାରାଣୀ ସ୍ୱାଇଁ, ରାୟଗଡ଼ାରେ ସରସ୍ୱତୀ ମାଝୀ, ସମ୍ବଲପୁରରେ କୁମୁଦିନୀ ନାୟକ, ସୁବର୍ଣ୍ଣୁରରେ ସୁାର ଠେଲା ଓ ସୁନ୍ଦରଗଡ଼ରେ କୁନ୍ତି ପ୍ରଧାନ ଅଧ୍ୟକ୍ଷ ଆସନ ହାସଲ କରିଛନ୍ତି ।

ଚଳିତଥର ବିଜେଡ଼ି ନିଜ ଗଡ଼ ସମ୍ଭାଳିବା ସହିତ ନିଜ ପତିଆରା ଜାହିର କରିଛି । ସବୁଠୁ ବଡ଼ କଥା ହେଲା ଚଳିତଥର ମହିଳା ମାନଙ୍କ ବିପୁଳ ବିଜୟ ହୋଇଛି ।

Comments are closed, but trackbacks and pingbacks are open.