ଭୁବନେଶ୍ୱର: ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ତେବେ ଏହି ପଦକ୍ଷେପକୁ ଭାରତୀୟ ଜନତା ପାର୍ଟି (ବିଜେପି) ସମାଲୋଚନା କରିଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ ଚୟନ ସମ୍ବଲପୁର ପାଇଁ ବିଜେଡିର ଘୃଣାକୁ ଦର୍ଶାଉଛି ବୋଲି ସମ୍ବଲପୁର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଶାସକ ଦଳକୁ ସମାଲୋଚନା କରିଛନ୍ତି।
ଜୟନାରାୟଣ ମିଶ୍ର ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀକୁ ନେଇ ଦୁଇଟି ପ୍ରମୁଖ ପ୍ରସଙ୍ଗ ଦର୍ଶାଇଛନ୍ତି। ପ୍ରଥମତଃ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁର ଜିଲ୍ଲାର ମୂଳ ବାସିନ୍ଦା ନୁହଁନ୍ତି। ଦ୍ବିତୀୟତଃ ସେ ସମ୍ବଲପୁର ବିରୋଧୀ ଭାବନା ସହ ଜଡ଼ିତ ଅଛନ୍ତି। ଜୟନାରାୟଣ ମିଶ୍ରଙ୍କ କହିବାନୁଯାୟୀ, ପ୍ରସନ୍ନ ଆଚାର୍ଯ୍ୟ ପୂର୍ବରୁ ସମ୍ବଲପୁରକୁ ୪ ଭାଗରେ ବିଭକ୍ତ କରିବାକୁ ଦାବି କରିଥିଲେ, ଯାହା ଜିଲ୍ଲାର ବିକାଶରେ ବାଧା ସୃଷ୍ଟି କରିଛି। ସମ୍ବଲପୁରବାସୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବେ କି ନାହିଁ ତାହା ସ୍ଥିର କରିବା ଦରକାର ବୋଲି ଜୟନାରାୟଣ ମିଶ୍ର ମତ ଦେଇଛନ୍ତି।
ସେହିପରି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ଦେଶ୍ୟରେ ଜୟନାରାୟଣ ମିଶ୍ର ପଡ଼ୋଶୀ ଜିଲ୍ଲା ଯାଜପୁର ଏବଂ ବରଗଡର ପ୍ରାର୍ଥୀ ଦେଇଥିବାରୁ ଦଳକୁ ସମାଲୋଚନା କରିଛନ୍ତି। ଏହି ନିଷ୍ପତିକୁ ସମ୍ବଲପୁରବାସୀ ଉଚିତ ଜବାବ ଦେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ଅଭିଯୋଗ ଉପରେ ବିଜେଡି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ସେପଟେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ ଘୋଷଣା ପରେ ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଟିକେଟ ମିଳିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ରାସେଶ୍ବରୀ ପାଣିଗ୍ରାହୀ ଦଳର ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରିବା ସହ ଏଭଳି ନିଷ୍ପତ୍ତି ନେବାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି।
Comments are closed.