Latest Odisha News

କାହିଁକି ବିଜେପି ଚାହୁଁଛି ସୋନିଆ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା?: ବାଚସ୍ପତି ବି କହିଲେ, ‘ଦୁର୍ଭାଗ୍ୟଜନକ’

ନୂଆଦିଲ୍ଲୀ: କ୍ଷମା ପ୍ରାର୍ଥନା କରନ୍ତୁ ସୋନିଆ ଗାନ୍ଧୀ । ୱାକଫ ବିଲ୍ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ବିଜେପି । ଗତ ଗୁରୁବାର ବିଳମ୍ବିତ ରାତିରେ ଲୋକସଭା ୱାକଫ ସଂଶୋଧନ ବିଲ୍ ପାସ୍ ହେବାକୁ ନେଇ ବିରୋଧୀ ଏବଂ ଶାସକ ମୁହଁମୁହିଁ ହୋଇଥିବା ବେଳେ, ଏହି ସମୟରେ ସୋନିଆଙ୍କ କିଛି ମନ୍ତବ୍ୟ କେନ୍ଦ୍ର ରାଜନୀତିକୁ ତେଜିଥିଲା । ଶାସକ ବିଜେପି ସୋନିଙ୍କ ମନ୍ତବ୍ୟକୁ କଡା ନିନ୍ଦା କରିବା ସହ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ୍ ବୋଲି ଦାବି କରିଥିଲା । ଏମିତିକି ବାଚସ୍ପତି ଓମ୍ ବିର୍ଲା ମଧ୍ୟ ସୋନିଆଙ୍କ ଏଭଳି ଭାବନା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

ତେବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ, ଲୋକସଭାରେ ଓ୍ବାକଫ୍ ବିଲ୍ ପାରିତ ହେବା ପରେ ଏହାକୁ ନେଇ, ବିଜେପି ସରକାରଙ୍କୁ କଡା ଆକ୍ରମଣ କରିଥିଲେ । ୱାକଫ ବିଲ୍‌କୁ ସମ୍ବିଧାନ ଉପରେ ଏକ ନିର୍ଲଜ୍ଜ ଆକ୍ରମଣ ବୋଲି ଅଭିହିତ କରି ବିଜେପି, ସମାଜକୁ ସ୍ଥାୟୀ ଧ୍ରୁବୀକରଣ ଅବସ୍ଥାରେ ରଖିବାକୁ ଚାହୁଁଛି ବୋଲି ଅଭିଯୋଗ କରିଥିଲେ । ଏଥିସହିତ ସମ୍ବିଧାନ ସଦନରେ କଂଗ୍ରେସ ସଂସଦୀୟ ଦଳ ବୈଠକରେ ଭାଷଣ ଦେଇ ଏହି ବିଲ୍ କୁ ନିମ୍ନ ସଦନରେ ବୁଲ୍ଡୋଜ୍ କରାଯାଇଛି ବୋଲି କହିଥିଲେ । ସେ ପ୍ରସ୍ତାବିତ ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍ କୁ ମଧ୍ୟ ସମାଲୋଚନା କରି ଏହାକୁ ସମ୍ବିଧାନର ବିପରୀତ ବୋଲି ମତ ରଖିଥିଲେ । ଯାହାର କଂଗ୍ରେସ ଆଗକୁ ଦୃଢ଼ ବିରୋଧ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୋନିଆ । ଯାହାକୁ ଦୃଢ ନିନ୍ଦା କରିଛି ବିଜେପି । ସୋନିଆ ଏଭଳି ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ୍ ବୋଲି ଦାବି କରିଛି ।

ଅନ୍ୟପକ୍ଷରେ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ୱାକଫ୍ (ସଂଶୋଧନ) ବିଲ୍ ଉପରେ ମନ୍ତବ୍ୟକୁ ଭର୍ତ୍ସନା କରିଛନ୍ତି । ସୋନିଆଙ୍କ ନାଁ ନନେଇ, କେବଳ ରାଜ୍ୟସଭା ସାଂସଦ କହି, ତାଙ୍କ ଭଳି ଜଣେ ବରିଷ୍ଠ ସଦସ୍ୟ ଗୃହ କାର୍ଯ୍ୟ ଉପରେ ଆକ୍ଷେପ କରିବା, ଅତି ଦୁର୍ଭାଗ୍ୟଜନକ ଏବଂ ସଂସଦୀୟ ଗଣତନ୍ତ୍ରର ମର୍ଯ୍ୟାଦା ବିରୁଦ୍ଧ ବୋଲି କହିଛନ୍ତି ।

Comments are closed.