Latest Odisha News

BREAKING NEWS

ନିର୍ବାଚନ ପାଇଁ ବିଜେପିକୁ ମିଳିଛି ସବୁଠୁ ଅଧିକ ଚାନ୍ଦା

ଭାରତୀ ଏଣ୍ଟର ପ୍ରାଇଜର୍ସ, ଆଇଟିସି ଦେଇଛନ୍ତି ଶହ ଶହ କୋଟି

ନୂଆଦିଲ୍ଲୀ: ଦେଶରେ ଏବେ ଅନେକ ରାଜ୍ୟରେ ନିର୍ବାଚନ ସରିଛି । ଆଗକୁ ମଧ୍ୟ ଆହୁରି ବାକି ଅଛି । ନିର୍ବାଚନରେ ରାଜନୈତିକ ଦଳ ଗୁଡ଼ିକ ପ୍ରଚାର ପ୍ରସାରରେ ମାତ୍ରାଧିକ ଟଙ୍କା ଭସାନ୍ତି ବୋଲି ସାଧାରଣରେ ସ୍ପଷ୍ଟ ଅନୁମେୟ । ଦଳ ଗୁଡ଼ିକ ପ୍ରକୃତ ହିସାବ ଦିଅନ୍ତିନି ।

କିନ୍ତୁ ସମୀକ୍ଷକ, ଗଣମାଧ୍ୟମ ସଂସ୍ଥା ଓ ନିର୍ବାଚନ ଉପରେ ଗବେଷଣା କରୁଥିବା ସଂସ୍ଥା ପ୍ରକୃତ ତଥ୍ୟ ଜାଣନ୍ତି । ଅନେକ ଏଭଳି ସଂସ୍ଥା ଅଛନ୍ତି, ଯେଉଁମାନେ ବିଶ୍ଲେଷଣ କରି ହିସାବ କାଢ଼ନ୍ତି । ତେବେ, ସାଧାରଣରେ ଗୋଟିଏ ପ୍ରଶ୍ନ ଉଠେ ଏତେ ଟଙ୍କା ଆସେ କେଉଁଠୁ । ଏହା ସାଧାରଣରେ ଚର୍ଚ୍ଚା ହୁଏ ସତ । ହେଲେ ଅତି ସାଧାରଣ ଭାବେ ନୁହେଁ ।

ଏମିତି ମଞ୍ଜ କଥା ଜାଣିବା ପାଇଁ ସାଧାରଣ ଲୋକଟେ ପାଖରେ କୌଶଳ ବି ନାହିଁ । ପୁଳା ପୁଳା ଟଙ୍କା ଖର୍ଚ୍ଚ କରୁଥିବା ଦଳ ଗୁଡ଼ିକର ଆୟ ସୂତ୍ର ‘ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ’ (ଏଡିଆର) ନାମକ ସଂସ୍ଥାର ରିପୋର୍ଟରେ ପ୍ରକାଶିତ ହୋଇଛି ।

ଏହି ରିପୋର୍ଟରେ ଜଣାପଡ଼ିଛି ଯେ, ବିଜେପି ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ର୍ସବାଧିକ ଚାନ୍ଦା ଉଠେଇଛି । ରିପୋର୍ଟ ଦର୍ଶିତ, ଅନେକ କର୍ପୋରେଟ ସଂସ୍ଥା ଅଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ଚାନ୍ଦା ଦେଉଛନ୍ତି । ମୁଖ୍ୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସକୁ ମାତ୍ରାଧିକ ଟଙ୍କା ମିଳିଛି । ଆର୍ଥିକ ବର୍ଷ ୨୦୧୯-୨୦ରେ ଭାରତୀ ଏଣ୍ଟରପ୍ରାଇଜର୍ସ ଓ ଆଇଟିସି ଭଳି ସଂସ୍ଥା ସର୍ବାଧିକ ଚାନ୍ଦା ଦେଇଛନ୍ତି ।

ଭାରତୀ ଏଣ୍ଟରପ୍ରାଇଜର୍ସ ୨୪୭.୭୫ କୋଟି ଟଙ୍କା ଦେଇଛି । ତା ପୂର୍ବ ଦୁଇଟି ଆର୍ଥିକ ବର୍ଷରେ ୪୨୯.୪୨ କୋଟି ଟଙ୍କା ଏହି ସଂସ୍ଥା ରାଜନୈତିକ ଚାନ୍ଦା ଦେଇଛି । ଯାହା କେବଳ ବିଜେପି ଓ କଂଗ୍ରେସକୁ ମିଳିଛି । ୨୦୧୯-୨୦ରେ ବିଜେପିକୁ ଭାରତୀ ଏଣ୍ଟରପ୍ରାଇଜର୍ସ ୨୧୬.୭୫ କୋଟି ଓ କଂଗ୍ରେସକୁ ୩୧ କୋଟି ଟଙ୍କା ପକ୍ଷରୁ ମିଳିଛି ।

୨୦୧୯-୨୦ରେ ସମୁଦାୟ ରାଜନୈତିକ ଚାନ୍ଦା ଗ୍ରହଣ ହୋଇଛି ୯୨୧.୯୫ କୋଟି ଟଙ୍କା । ଯହିଁରୁ ବିଜେପି ଏକା ପାଇଛି ୭୨୦.୪୦ କୋଟି ଟଙ୍କା । କଂଗ୍ରେସକୁ ମିଳିଛି ୧୩୩.୦୪ କୋଟି ଟଙ୍କା ଓ ଏନସିପିକୁ ୫୭.୦୮ କୋଟି ଟଙ୍କା ମିଳିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି ।

Comments are closed.