Latest Odisha News

ରାଜ୍ୟ ବଜେଟ୍‌ର ଆକାର କେତେ ବଢିବ, କ’ଣ ହେବ ନୂଆ ଘୋଷଣା ?

ଭୁବନେଶ୍ୱର: ଆଜି ପୂର୍ଣ୍ଣାଙ୍ଗ ବଜେଟ ଆଣିବେ ମୋହନ ସରକାର। ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ ଗୁରୁବାର ବିଧାନସଭାରେ ଆଗତ ହେବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ୍ ଆଗତ କରିବେ। ଆଜି ଅପରାହ୍ନ ୫ଟାରେ ବଜେଟ ଉପସ୍ଥାପନ ହେବ। ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ ।

ରାଜ୍ୟ ବଜେଟ୍‌ର ଆକାର କେତେ ବଢିବ, ଜନକଲ୍ୟାଣ ଯୋଜନାକୁ ନୂଆ ସରକାର କେତେ ଅ୍ରଗ୍ରାଧିକାର ଦେବେ, ନୂଆ ସରକାର ପ୍ରଥମ ଥର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବାରୁ କ’ଣ ନୂଆ ଘୋଷଣା ହେବ, କେଉଁ କେଉଁ ଦିଗ ପ୍ରତି ଫୋକସ୍ ରହିବ, ତା’ଉପରେ ଏବେ ସମସ୍ତଙ୍କର ନଜର। ମୋହନଙ୍କ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଓ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହାଛଡ଼ା ବାର୍ଦ୍ଧକ୍ୟ ଭତା ୩ ହଜାର ଟଙ୍କାକୁ ବଢ଼ାଇ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ ନେଇ ସରକାରଙ୍କ ଆଭିମୁଖ୍ୟ ବଜେଟରୁ ସ୍ପଷ୍ଟ ହୋଇପାରେ।

ପୂର୍ର ବିଜେଡି ସରକାର ଗତ ଫେବୃଆରୀ ମାସରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଆଣିଥିଲେ। ରାଜସ୍ୱ ଆୟ ୨ ଲକ୍ଷ ୫ ହଜାର କୋଟି ହେବ ବୋଲି ଆକଳ କରାଯାଇଥିଲା। ଏଥର ବିଜେପି ସରକାର ଏହାକୁ କିଛି ପରିମାଣରେ ବୃଦ୍ଧି କରିପାରନ୍ତି। ମଙ୍ଗଳବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହେବା ପରେ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ରୀୟ ଟିକସ ଭାଗ ବାବଦରେ ଓଡ଼ିଶାକୁ ୫୬ ହଜାର ୪୭୩ କୋଟି ଟଙ୍କା ମିଳିବ। କାମଚଳ ବଜେଟ ଆକଳନ ତୁଳନାରେ ଏହା ପାଖାପାଖି ହଜାର କୋଟି ଟଙ୍କା ଅଧିକ।

ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ରାଜ୍ୟ ସରକାର ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି। ଏଥିସହିତ ବଜେଟ୍କୁ ନେଇ ସାଧାରଣ ଲୋକଙ୍କ ଠାରୁ ୧୨ ହଜାର ମତ ମିଳିଥିଲା । ଶିଳ୍ପ, ଆରବିଆଇ, ଏନଜିଓ, ମଜଦୁର ସଂଘ, ଶିଳ୍ପ ସଂଘ, ବ୍ୟବସାୟୀ ମହାସଂଘର ପ୍ରାୟ ଦେଢ଼ ଶହ ପ୍ରତିନିଧି ମଧ୍ୟ ସେମାନଙ୍କ ମତାମତ ଦେଇଛନ୍ତି। ତେବେ ଏହି ବଜେଟ୍ ଓଡ଼ିଶାର ଆର୍ଥିକ ସ୍ଥିତି କିପରି ରହିଛି, ତାର ଚିତ୍ର ସ୍ପଷ୍ଟ କରିବ।

Comments are closed.