ଭୁବନେଶ୍ୱର: ବିଜୁ ଜନତା ଦଳ ହେଉଛି ଅପରାଧୀଙ୍କ ଦଳ । ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିଙ୍କ ଦଳ । ସମାଜରେ ଯେତେ ଅସାମାଜିକ ବ୍ୟକ୍ତି, ଅପରାଧୀ ଖୋଜି ଖୋଜି ବିଜୁ ଜନତା ଦଳକୁ ଆସନ୍ତି । ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ।
ଲେଖାଶ୍ରୀ ସିଧାସଳଖ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଟାର୍ଗେଟ କରି କହିଛନ୍ତି, ଜଣେ ମହିଳା ନେତ୍ରୀ ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣୁଛନ୍ତି । ହେଲେ ପୋଲିସ ତାଙ୍କ ବିରୋଧରେ ଏତଲା ଗ୍ରହଣ କରୁନି । ବିଜେଡି ମନ୍ତ୍ରୀ ବୋଲି ସେ ଆଇନର ଊର୍ଦ୍ଧ୍ୱରେ କି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି, ମହିଳା ନେତ୍ରୀ ଜଣ ୨୦ ବର୍ଷ ଧରି ବିଜେଡି ପାଇଁ କାମ କରି ଆସୁଛନ୍ତି । ସେ ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଗତକାଲି ଦିନ୧୦ଟାରୁ ସେ ଏଫଆଇଆର ଦେବା ପାଇଁ ବସିଥିଲେ । ହେଲେ ଏ ପୋଲିସ କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ କିମ୍ବା ମନ୍ତ୍ରୀଙ୍କୁ ଜେରା କରିନାହିଁ ।
ସାମ୍ବାଦିକ ସମ୍ମିଳନୀରେ ପୋଲିସ ଉପରେ ମଧ୍ୟ ବର୍ଷିଥିଲେ ଲେଖାଶ୍ରୀ । ପୋଲିସ ମନ୍ତ୍ରୀଙ୍କୁ କିପରି ସୁରକ୍ଷା ଦେଉଛନ୍ତି ତାହାର ଉଦାହରଣ ଦେବାକୁ ଯାଇ ଲେଖାଶ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ତିର୍ତ୍ତାଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ପୋଲିସର ଏପରି ଭୂମିକାକୁ ଦେଖିଲେ ଲାଗୁଛି ଯେମିତି ପୋଲିସ ବଜେଡି ନେତାକୁ ଡରୁଛି । ସେଥିପାଇଁ ସାମ୍ବିଧାନିକ ଦାୟିତ୍ୱକୁ ଭୁଲି ଗୋଟିଏ ଦଳର ନେତାଙ୍କୁ ସମର୍ଥନ ଦେଉଛି । ନଚେତ ଏଫଆଇଆର ନ ରଖିବା ପାଇଁ ପୋଲିସ ଉପରେ ବିଜେଡି ନେତାଙ୍କ ପ୍ରବଳ ଚାପ ପଡୁଛି ।
ବିଜେଡିକୁ ଟାର୍ଗେଟ କରି ଲେଖାଶ୍ରୀ କହିଥିଲେ, ଯେଉଁ ଦଳ ନିଜ ଦଳର କର୍ମୀଙ୍କୁ ସୁରକ୍ଷା ଦେଇ ପାରୁନି ସେ ଦଳ ରାଜ୍ୟର ୨ କୋଟି ମହିଳାଙ୍କୁ କି ନ୍ୟାୟ ଦେବ ? ନିଜ ଦଳର କର୍ମୀ ଯୌନ ନିର୍ଯାତନାର ଶିକାର ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ହେଲେ ୨୪ ଘଣ୍ଟା ପରେ ବି ତାଙ୍କର ଏଫଆଇଆର ରଖାଯାଇନି କି ପୋଲିସ ଏ ସମ୍ପର୍କରେ କୌଣସି ତଥ୍ୟ ସାମ୍ନାକୁ ଆଣୁନି । ଯେଉଁଠି ଦଳୀୟ କର୍ମୀଙ୍କ ସ୍ଥିତି ଏମିତି ସେଠି ଅନ୍ୟମାନଙ୍କ ଅବସ୍ଥା କ’ଣ ହେଉଥିବ ସହଜରେ ଅନୁମେୟ ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ କହିଛନ୍ତି ।
ସୂଚନାଥାଉ କି, ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣି ଶାସକ ବିଜେଡିର ଜଣେ ନେତ୍ରୀ ଗୁରୁବାର ଦିନତମାମ ଭୁବନେଶ୍ୱରସ୍ଥିତ ମହିଳା ଥାନାରେ ଜିଦ୍ ଧରି ବସିଥିଲେ । ମନ୍ତ୍ରୀ ଶ୍ରୀ ସାହୁଙ୍କ ବିରୁଦ୍ଧରେ ଗତ ଦୁଇମାସ ତଳେ ଶାସକ ଦଳର ସମ୍ପୃକ୍ତ ନେତ୍ରୀ ମହିଳା ଥାନାରେ ମାମଲା ରୁଜୁ ପାଇଁ ଆସିଥିଲେ ମଧ୍ୟ ଶାସକ ଦଳର କିଛି ନେତ୍ରୀ ଓ ଜଣେ ପ୍ରଭାବଶାଳୀ ନେତାଙ୍କ ହସ୍ତକ୍ଷେପରେ ମାମଲା ରୁଜୁ ନକରି ସେ ଘରକୁ ଫେରିଥିଲେ।
ତାଙ୍କୁ ନ୍ୟାୟ ମିଳିବ ବୋଲି ବିଜେଡି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଦୁଇମାସ ବିତିଯାଇଥିଲେ ବି ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଗୁରୁବାର ପୁଣିଥରେ ମହିଳା ଥାନାକୁ ଆସି ମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ଜିଦ୍ ଧରି ବସିଥିଲେ । ସେ ନିଜର ଦୁଇ ଝିଅ ଓ ଜଣେ ସହଯୋଗୀଙ୍କ ସହ ଥାନାକୁ ଆସିଥିଲେ ।
Comments are closed.