Latest Odisha News

BREAKING NEWS

‘ମଙ୍ଗୁଆଳ ଦିଲ୍ଲୀରେ, ସମାବେଶ ଭୁବନେଶ୍ୱରରେ’, ବିଜେଡିକୁ ଛିଗୁଲେଇଲେ ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଯଦିଓ ପାଣିପାଗ ଆକଳନ କରିଛି ଆଗାମୀ ଦିନରେ ବର୍ଷା ହେବ। ତେଣୁ ପାଣିପାଗରେ ଏତେଟା ତାତି ରହିବ ନାହିଁ। ହେଲେ ରାଜନୈତିକ ପାଣିପାଗ ଓଲଟା ରହିଛି। ଆସନ୍ତା ଦୁଇ ତିନି ଦିନ ରାଜ୍ୟ ରାଜନୀତିରେ ତାତି ବଢିବାକୁ ଯାଉଛି। ଏହା ପୂର୍ବରୁ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି ସମାନ ଦିନରେ ଦଳୀୟ ସମାବେଶ ପାଇଁ ଯେଉଁଭଳି ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏବଂ ଜଣେ ଅନ୍ୟ ଜଣଙ୍କୁ ସମାଲୋଚନା କରୁଛନ୍ତି ତାହା ଦର୍ଶାଇ ଆସନ୍ତା ତିନି ଦିନ ରାଜ୍ୟ ରାଜନୀତି ସରଗରମ ରହିବାକୁ ଯାଉଛି।

ବିଜେପି ନେତା ପ୍ରଦୀପ ପୁରୋହିତ ବିଜେଡିକୁ ଛିଗୁଲେଇବାକୁ ଯାଇ କହିଛନ୍ତି, ମଙ୍ଗୁଆଳ ଦିଲ୍ଲୀରେ, ସମାବେଶ ଭୁବନେଶ୍ୱରରେ। ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଭୁବନେଶ୍ବର ଆସୁଛନ୍ତି। ତେଣୁ ଆମେ କାର୍ଯ୍ୟକ୍ରମ କରୁଛୁ। ହେଲେ ବିଜେଡିର ମଙ୍ଗୁଆଳ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ନରହି ଭିଡିଓ କନଫରେନସିଂରେ ଯୋଗ ଦେବେ।

ସେ କହିଛନ୍ତି, ରାଜ୍ୟର ଜନମତ ବିଜେଡି ବିରୋଧରେ ଯାଉଛି । ତେଣୁ ରାଜନୈତିକ ପରିସ୍ଥିତିକୁ ଦେଖି ଆଗାମୀ ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ମିଶନ ୧୨୦କୁ ସଫଳ କରାଇବାକୁ ଲାଗି ପଡିଛି। ହେଲେ ଏହାକୁ ଚେକ ଦେବାକୁ, ମଙ୍ଗୁଆଳ ଦିଲ୍ଲୀରେ ପହଞ୍ଚିଛନ୍ତି। ଏପରି ପ୍ରୟାସକୁ ବିଜେପି ନିନ୍ଦା କରୁଛି ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେପିର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ବିଜେପି ମାଇଲେଜ ନେଇଯିବ ଆଶଙ୍କା କରି ବିଜୁ ଜନତା ଦଳ ସମାନ ଦିନ ଦଳର କାର୍ଯ୍ୟକ୍ରମ ରଖିବାକୁ ଚିନ୍ତା କରିଛି।

ସେହିପରି ବିଜେଡି ମଧ୍ୟ କହିସାରିଛି, ଓଡିଶାବାସୀ ବିଜୁ ଜନତା ଦଳ ଉପରେ ଭରସା ରଖିଛନ୍ତି। ଯିଏ ଯାହା କରୁଛନ୍ତି କରନ୍ତୁ ନବୀନଙ୍କ ନେତୃତ୍ବରେ ଦଳ ଆହୁରି ମଜବୁତ ହେବାକୁ ଯାଉଛି। ଦଳୀୟ ନେତା ଓ କର୍ମୀ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିବ।

ଉଲ୍ଲେଖଯୋଗ୍ୟ, ଆସନ୍ତକାଲି ଠାରୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ଏହି ସମୟରେ ଦଳ ଗୋଟିଏ ବିଶାଳ ରାଲି କରି ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି। ଏଥିସହ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ ଦଳ। ନଡ୍ଡା ଦଳୀୟ ନେତାଙ୍କ ସହ ଆଲୋଚନା କରିବାର ସୂଚନା ରହିଛି। ଏହାପରେ ଦଳର ରଣନୀତି ସ୍ଥିର କରାଯିବ ବୋଲି ସୂଚନା ରହିଛି।

ଆଉ ସମାନ ଦିନ ରାଜଧାନୀ ସ୍ଥିତ ବରମୁଣ୍ଡା ପଡିଆରେ ବିଜେଡି ଏକ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ୨୯ ତାରିଖରେ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସଙ୍ଗଠନର ପ୍ରତିନିଧି ଓ ଗଠିତ ହୋଇଥିବା କ୍ୟାମ୍ପସ କମିଟିର ପ୍ରତିନିଧିଙ୍କୁ ନେଇ ବୈଠକ ହେବ। ପାଖାପାଖି ୨ ହଜାରରୁ ଅଧିକ ପ୍ରତିନିଧି ଏହି ସାମବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ସେପ୍ଟେମ୍ବର ୩୦ ତାରିଖରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ତିନି ସହରର ମେୟର, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, କର୍ପୋରେଟରଙ୍କୁ ନେଇ ବିଜେଡି ବୈଠକ କରିବାକୁ ଯାଉଛି। ଏହି ଦୁଇ ଦିନିଆ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଉଦବୋଧନ ଦେବେ।

Leave A Reply

Your email address will not be published.