ଭୁବନେଶ୍ବର: ‘ହଂସିତା ଠକେଇ ମାମଲାରେ ବିଜେଡି ନେତାଙ୍କ ଲିଙ୍କ ରହିଛି । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ହଂସିତାଙ୍କୁ ନିୟମ ବାହାରକୁ ଯାଇ କାମ ଦେଇ ରାଜସ୍ବ ଲୁଟୁଥିଲେ ।’ କିଛି ଏପରି ସଂଘେତିକ ବୟାନ ଦେଇ ହଂସିତା ଠକେଇ ମାମଲାକୁ ଏବେ ନୂଆ ମୋଡ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଂକ୍ ଥିଲା ବୋଲି ସେ ଦାବି କରିଛନ୍ତି ।
ପ୍ରଦୀପଙ୍କ କହିବାନୁଯାୟୀ, ଶିଳ୍ପ ବିଭାଗ ନୀତି ନିୟମ ବାହାରେ ଯାଇ ଅନେକ କାମ ହଂସିତାଙ୍କୁ ଦିଆଯାଇଛି । ସରକାରୀ କାମ ଦେବା ବାହାନାରେ ଶହ ଶହ କୋଟି ଟଙ୍କାର ରାଜସ୍ବ ଲୁଟ ହୋଇଛି । ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜେଡିର ବିଧାୟକଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ପ୍ରଦୀପ ପୁରୋହିତ ।
ତେବେ ଠକ ଯୋଡି ହଂସିତା- ଅନୀଲଙ୍କ କଳା ଧନ୍ଦା ଉପରୁ ପରଦା ହଟିଛି । ଆୟକର ବିଭାଗ ତଦନ୍ତକୁ ଜୋରଦାର କରିଛି । ଏବେ ଇନକମ୍ ଟ୍ୟାକ୍ସ ବିଭାଗ ସ୍କାନରରେ ନେତା, ମଦବେପାରୀ ଓ ସୁନା ବ୍ୟବସାୟୀ ।ଏହି ଠକେଇରେ କିଛି ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ସୁରାକ୍ ପାଇଛି ପୋଲିସ୍। ଯାହା ପରେ ଏବେ ଏହା ସହ ଜଡିତ ସବୁ ସୂତାର ଖିଅ ଖୋଜୁଛି ପୋଲିସ୍ । ଏହାରି ଭିତରେ ପ୍ରଦୀପଙ୍କ ଆଜିର ବୟାନ ଏବେ ଘଟଣାକୁ ଏକ ନୂଆ ମୋଡ ଦେଇଛି । କିଏ ସେହି ପୂର୍ବତନ ମନ୍ତ୍ରୀ? ପ୍ରଶ୍ନ ଛିଡ଼ା କରିଛି ।