Latest Odisha News

BREAKING NEWS

ବିରୋଧୀଙ୍କ ‘ଇଣ୍ଡିଆ’କୁ ନେଇ ବର୍ଷିଲେ ମୋଦି; ନେଲେ ଇଷ୍ଟ ଇଣ୍ଡିଆ କମ୍ପାନୀ..ଇଣ୍ଡିଆନ ମୁଜାହିଦ୍ଦିନ ନାଁ

ନୂଆଦିଲ୍ଲୀ: ମଣିପୁର ଜଳୁଛି । ମଣିପୁର ତାତି ସଂସଦ ଭବନରେ ବି ଦେଖିବାକୁ ମିଳୁଛି । ଏମିତି ସ୍ଥିତିରେ ସରକାର ନିଜ ରଣନୀତି ତିଆରି କରିବାରେ ଲାଗି ପଡିଛନ୍ତି । ଆଜି ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିରୋଧୀଙ୍କୁ ଶବ୍ଦାକ୍ରମଣ କରି ମୋଦି କହିଛନ୍ତି, ଏପରି ଲକ୍ଷ୍ୟହୀନ ବିରୋଧୀ ଆଜିଯାଏ ମୁଁ ଦେଖିନାହିଁ । କେବଳ ‘ଇଣ୍ଡିଆ’ ନାଁ ନେଇଗଲେ କିଛି ହେବ ନାହିଁ । ଇଷ୍ଟ ଇଣ୍ଡିଆ କମ୍ପାନୀ ବି ଇଣ୍ଡିଆ ଲଗାଇଥିଲା । ଇଣ୍ଡିଆନ ମୁଜାହିଦ୍ଦିନ ନାଁରେ ମଧ୍ୟ ଇଣ୍ଡିଆ ଥିଲା ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ବିରୋଧୀ ଦଳ ବିକ୍ଷିପ୍ତ ହୋଇ ଅଛନ୍ତି । ସେମାନେ ହତାଶ ହୋଇପଡିଛନ୍ତି । ବିପକ୍ଷଙ୍କୁ ଦେଖି ଏମିତି ଲାଗୁଛି ଯେମିତି ସେମାନେ ଦୀର୍ଘ ସମୟ ପାଇଁ କ୍ଷମତାକୁ ଆସିବାକୁ ଚାହୁଁ ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦି ସଂସଦୀୟ ଦଳ ବୈଠକରେ ଅଗଷ୍ଟ ୧୫ରେ ପ୍ରତି ଘରେ ତ୍ରିରଙ୍ଗା ଉଡାଇବା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।

ଏହି ବୈଠକ ସଂସଦର ଲାଇବ୍ରେରୀରେ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜେପି ନଡ୍ଡା ପ୍ରମୁଖ ସାମିଲ ହୋଇଥିଲେ ।

ସୂଚନାଥାଉ କି, ମଣିପୁର ହିଂସାକୁ ନେଇ ସଂସଦରେ ଲାଗାତାର ହଟ୍ଟଗୋଳ ଲାଗି ରହିଛି । ସଂସଦୀୟ କାର‌୍ୟ୍ୟକାଳର ତିନି ଦିନ ଏପରି ହଟ୍ଟଗୋଳ ମଧ୍ୟରେ ଚାଲି ଗଲାଣି । ଆଜି ୪ର୍ଥ ଦିନରେ ବିରୋଧୀ ହଙ୍ଗାମା କରିବାରୁ ଅପରାହ୍ନ ୨ଟା ଯାଏ ଗୃହ ମୁଲତବୀ ରହିଥିଲା । ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ମଣିପୁର ହିଂସାକୁ ନେଇ  ସଂସଦରେ ପ୍ରଧାନମନ୍ତ୍ରୀ ବୟାନ ରଖନ୍ତୁ ବୋଲି ଦାବି କରି ବିରୋଧୀ ଅଡି ବସିଥିବାବେଳେ ସରକାର ଅଡି ବସିଛନ୍ତି ପ୍ରଧାନମନ୍ତ୍ରୀ ନୁହେଁ ଗୃହମନ୍ତ୍ରୀ ବୟାନ ଦେବେ ।

ଆଉ ଏକ ବିବାଦକୁ ନେଇ ବିରୋଧୀ-ସରକାର ମୁହାଁମୁହିଁ ହୋଇଛନ୍ତି ସଂସଦରେ । ବିରୋଧୀ ଚାହୁଁଛନ୍ତି, ମଣିପୁର ପ୍ରସଙ୍ଗ ଚର୍ଚ୍ଚା ନିୟମ ୨୬୭ ଅନୁସାରେ ଦୀର୍ଘକାଳୀନ ହେବ ଏବଂ ଭୋଟିଂ କରାଯିବ। ହେଲେ ଏହି ଚର୍ଚ୍ଚା ୧୭୬ ଅନୁସାରେ କରିବାକୁ ଚାହୁଁଛନ୍ତି ଯାହା ଅଳ୍ପକାଳୀନ ଚର୍ଚ୍ଚା ହେବ ଏବଂ ଏଥିରେ ଭୋଟିଂ କରାଯାଇ ପାରିବ ନାହିଁ ବୋଲି ସରକାର କହୁଛନ୍ତି ।

ଏହାକୁ ନେଇ ଆଜି ବିଜେପି ସଂସଦୀୟ ଦଳ ବୈଠକରେ ଆଲୋଚନା ହୋଇଥିଲାବେଳେ ସେପଟେ  ସରକାରଙ୍କୁ ଘେରିବା ନେଇ ଆଜି ବିରୋଧୀଙ୍କ ନୂଆ ମେଣ୍ଟ ‘ଇଣ୍ଡିଆ’ର ମଧ୍ୟ ଏକ ବୈଠକ ବସିଥିଲା । ଏହି ବୈଠକ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖରଗେଙ୍କ କାର୍ଯ୍ୟାଳୟରେ ହୋଇଥିଲା ।

Leave A Reply

Your email address will not be published.