ଭୁବନେଶ୍ଵର:ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନିତିନ ନବୀନଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ଵର ସାଂସଦ ଅପରାଜିତା ଷଢ଼ଙ୍ଗୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ବିଜେପି ରାଷ୍ଟ୍ରୟ ଉପାଧ୍ୟକ ବୈଜୟନ ପଣ୍ତା ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ଵାଗତ କରିଛନ୍ତି।
ସେ ଏହି ଦୁଇଦିନିଆ ଗସ୍ତ ସମୟରେ ଦଳୀୟ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ସ୍ଥାନ ଗସ୍ତ କରିବେ । ତୃଣମୂଳସ୍ତରରେ ବିଜେପିକୁ ଦୃଢ କରିବା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ଫୋକସ କରିବା ଉପରେ ଗୁରୁତ୍ୱାରୋପ କରିବେ ବୋଲି ଅନୁମାନ କରାଯାଉଛି ।
ଆସନ୍ତାକାଲି ସକାଳେ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ କୋର କମିଟି ବୈଠକରେ ଯୋଗଦେବେ। ଏହାପରେ ଜଟଣୀ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ହେଲ୍ଥ (ଏଆଇପିଏଚ୍) ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ହେବାକୁ ଥିବା ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଉଦ୍ଘାଟନ କରିବେ । କାର୍ଯ୍ୟକ୍ରମ ସାରି ସେ ପୁରୀ ଯିବେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ।ଅପରାହ୍ନରେ ଭୁବନେଶ୍ୱର ଫେରି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ସହ ବୈଠକ କରିବେ ।