Latest Odisha News

BREAKING NEWS

ନବୀନଙ୍କ ଶାସନ କାଳରେ ସମାଜରେ ବାସନ୍ଦ ପ୍ରଥା ଭୟଙ୍କର ରୂପ ଧାରଣ କରିଛି : ବସନ୍ତ ପଣ୍ଡା

ଭୁବନେଶ୍ୱର : ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଂଚାୟତର କୃଷ୍ଣପାଲି ଗାଁରେ ସାମାଜିକ ବାସନ୍ଦ ପାଇଁ ଶବ ସସ୍କାର ସକାଶେ ମିଳିଲାନି କାନ୍ଧ । ଶେଷରେ ସାଇକେଲରେ ବୁହା ହେଲା ଶବ । ଗତକାଲି ବୌଦ୍ଧର ବ୍ରାହ୍ମଣୀପାଲି ପଂଚାୟତରେ ଘଟିଥିବା ଅଭାବନୀୟ ଘଟଣା ରାଜ୍ୟ ପାଇଁ ଆଉ ଏକ ଲଜ୍ଜା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ଜନହିତକର ଯୋଜନାର ଡିଣ୍ଡିମ ପିଟି ବୁଲୁଛନ୍ତି । ମାତ୍ର ବାସ୍ତବରେ ଏସବୁ ଯୋଜନା କିପରି ଭାବେ ଲୋକମାନଙ୍କ ନିକଟରେ ପହଁଚୁଛି, ସେ ସଂପର୍କରେ ଅଜ୍ଞ । ଗତ କାଲି ବୈାଦ୍ଧ ଜିଲ୍ଲାରେ ଘଟିଥିବା ଏହି ଅଭାବନୀୟ ଘଟଣା ହିଁ ଏହାରା ଅସଲ ଉଦାହରଣ ।

ମୁଖ୍ୟମନ୍ତ୍ରୀଙ୍କ ଅତି ପାଖ ଲୋକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ନିଜ ଅଂଚଳରେ ଏଭଳି ଘଟଣା ଘଟିଛି । ଗୋଟିଏ ପଟେ ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ ଓ କଠିନ ପରିଶ୍ରମର କଥା କହୁଛନ୍ତି ହେଲେ ତାଙ୍କ ଶାସନ କାଳରେ ସମାଜରେ ବାସନ୍ଦ ପ୍ରଥା ଭୟଙ୍କର ରୂପ ଧାରଣ କରଛି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସକମାନେ କ’ଣ କରୁଛନ୍ତି ବୋଲି ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ପାଲଟା ପ୍ରଶ୍ନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ପ୍ରବକ୍ତା ସୁଦୀପ୍ତ ରାୟ ଓ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.