Latest Odisha News

BREAKING NEWS

ସମ୍ବଲପୁର : ପାଣିରେ ବୁଡ଼ି ୨ଜଣ ଛାତ୍ରଙ୍କ ମର୍ମନ୍ତୁଦ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରର ୫ଜଣ ଛାତ୍ର ଝାଙ୍କରପାଲ୍ଲି ମୁଣ୍ଡୋଘାଟସ୍ଥିତ ପାୱାର ଚାନେଲରେ ଗାଧୋଉଥିବା ବେଳେ ୨ଜଣ ଛାତ୍ରଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ପାଣିରେ ଗାଧୋଇଥିଲେ ମଧ୍ୟ ସୁରକ୍ଷିତ ଅବସ୍ଥାରେ ଅଛନ୍ତି । ମୃତ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଦୁଇଜଣ ହେଲେ ସମୀର ଦଳେଇ ଓ ସୁମିତ ଦାସ ।

ମିଳିଥିବା ସୂଚନାନୁସାରେ ସମ୍ବଲପୁର ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରର ୫ ଜଣ ଦଶମ ଶ୍ରେଣୀ ଛାତ୍ର କୋଚିଂ ସେଣ୍ଟର ଯିବା ବାଟରେ ମୁଣ୍ଡୋଘାଟସ୍ଥ ପାୱାର ଚାନେଲରେ ଗାଧୋଇଥିଲେ । ତେବେ ୨ଜଣ ଛାତ୍ର ଗାଧୋଉଥିବା ଅବସ୍ଥାରେ ପାଣିରେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ହିଁ ଦୁଇ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା ।

ଘଟଣାର ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଛାତ୍ରମାନଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେତେବେଳକୁ ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇସାରିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ପାଣିରେ ଅନେକ ଖୋଜିବା ପରେ ୨ଜଣ ମୃତ ଛାତ୍ରଙ୍କ ଶବକୁ ଉଦ୍ଧାର କରିଥିଲେ ।

ଆଜି ଏହି ଦୁଃଖଦାୟକ ଘଟଣା ସମଗ୍ର ସମ୍ବଲପୁର ସହରକୁ ସ୍ତବ୍ଧ କରିଦେଇଛି । ତେବେ ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ୨ଛାତ୍ରଙ୍କ ଚକ୍ଷୁଦାନ କରିବାକୁ ସେମାନଙ୍କର ପରିବାରବର୍ଗ ନିଷ୍ପତ୍ତି ନେଇଛନ୍ତି । ବୁର୍ଲା ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଏହି ଦୁଇ ମୃତ ଛାତ୍ରଙ୍କ ଚକ୍ଷୁଦାନ ଅସ୍ତ୍ରୋପଚାର କରାଯାଉଛି ।

Leave A Reply

Your email address will not be published.