ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ସମସ୍ତ ରାଜନୈତିକ ଦଳ। କ୍ଷମତା ପାଇଁ ରୋଚକ ଫାଇଟ୍ ହେବ। ଏହାରି ଭିତରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜ ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛି। ଘୋଷଣା ପତ୍ରରେ ଦିଲ୍ଲୀବାସୀଙ୍କ ପାଇଁ ଅନେକ ବଡ଼ ପ୍ରତିଶ୍ରୁତି ଦେଇଛି ଏବଂ ଆଗକୁ ଆହୁରି ବଡ଼ ଘୋଷଣା ହେବ ବୋଲି ଦଳ କହିଛି। ବିଜେପିର ସଂକଳ୍ପ ପତ୍ରର ପ୍ରଥମ ଭାଗରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି।
ମହିଳାଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି। ଏହି ଅବସରରେ ସେ ଘୋଷଣା କରିଛନ୍ତି, ଗରିବ ମହିଳାଙ୍କୁ ଗ୍ୟାସ ସିଲିଣ୍ଡରରେ ୫୦୦ ଟଙ୍କା ସବସିଡି ମିଳିବ। ହୋଲି, ଦୀପାବଳିରେ ଗୋଟିଏ ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ । ମହିଳାଙ୍କୁ ପ୍ରତିମାସରେ ସମୃଦ୍ଧି ଯୋଜନାରେ ୨୫୦୦ ଟଙ୍କା ମିଳିବ। ଗର୍ଭବତୀଙ୍କୁ ଏକକାଳୀନ ୨୧ ହଜାର ଟଙ୍କା ଦିଆଯିବ। ମାତୃତ୍ୱ ଛୁଟି ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି ସହ ଆୟୁଷ୍ମାନ ଭାରତ ଯୋଜନା ଦିଲ୍ଲୀରେ ଲାଗୁ କରାଯିବା ପାଇଁ ମଧ୍ୟ କହିଛନ୍ତି ଜେପି ନଡ୍ଡା।
ବିଜେପି ଅଧ୍ୟକ୍ଷ କହିଛନ୍ତି ଯେ ଦିଲ୍ଲୀରେ ବିଜେପି ସରକାର ଗଠନ ହେବା ପରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ । ଆୟୁଷ୍ମାନ ଯୋଜନାକୁ ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ ଲାଗୁ କରାଯିବ। ଏଥିରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଅତିରିକ୍ତ କଭର୍ ଦିଆଯିବ । ଯାହାର ଲାଭ ୫୧ ଲକ୍ଷ ଲୋକଙ୍କୁ ମିଳିବ। ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦିଆଯିବ। ୬୦-୭୦ ବର୍ଷ ବୟସର ବରିଷ୍ଠ ନାଗରିକଙ୍କୁ ୨୫୦୦ ଟଙ୍କା ପେନ୍ସନ୍ ଦିଆଯିବ । ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୦୦୦ ଟଙ୍କା ପେନ୍ସନ୍ ଦିଆଯିବ। ସେହିପରି ବସ୍ତିରେ ରହୁଥିବା ଲୋକଙ୍କୁ ୫ ଟଙ୍କାରେ ପେଟପୁରା ଖାଦ୍ୟ ଦେବା ପାଇଁ ଅଟଳ କ୍ୟାଣ୍ଟିନ୍ ଯୋଜନା ଆରମ୍ଭ କରାଯିବ।
ସୂଚନା ଅନୁସାରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଶେଷ ତାରିଖ ଥିଲା। ଏହି ସମୟରେ ବିଜେପି ନିଜର ସଂକଳ୍ପ ପତ୍ର ଜାରି କରିଛି। ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନ ପାଇଁ ଏକାସହ ୫ ଫେବୃଆରୀରେ ମତଦାନ ହେବା ସହ ୮ ଫେବୃଆରୀରେ ଗଣନା ହେବ।
Comments are closed.