ନୂଆଦିଲ୍ଲୀ : ‘କଂଗ୍ରେସ ଫାଇଲ୍ସ’ ସିରିଜ୍ର ଏପିସୋଡ୍-୨ ରିଲିଜ୍ ହେବାର ଠିକ୍ ଗୋଟିଏ ଦିନ ପରେ ବିଜେପି ଏହାର ଏପିସୋଡ୍-୩ ରିଲିଜ୍ କରିଛି । ‘କଂଗ୍ରେସ ଫାଇଲ୍ସ’ ଏପିସୋଡ୍-୩ରେ ୨୦୧୨ର ବହୁ ଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ଉପରେ ଆଲୋକପାତ କରିଛି। ମଙ୍ଗଳବାର ରିଲିଜ ହୋଇଥିବା ଏହି ତିନି ମିନିଟର ଭିଡିଓରେ କୁହାଯାଇଛି ଯେ କୋଇଲା ଦୁର୍ନୀତି ଯୋଗୁଁ ଦେଶକୁ ୧,୮୬,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଯେତେବେଳେ ମନମୋହନ ସିଂହ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ବିଭିନ୍ନ ପ୍ରତିଶୃତି ଦେଇଥିଲେ କିନ୍ତୁ କଂଗ୍ରେସର ଦୁର୍ନୀତି ହିଁ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଏହା ପୂର୍ବରୁ ‘କଂଗ୍ରେସ ଫାଇଲ୍ସ’ର ଦ୍ୱିତୀୟ ଏପିସୋଡରେ ବିଜେପି ୟେସ୍ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦେଇଥିବା ବୟାନ ଉପରେ ଆଲୋକପାତ କରିଥିଲା, ଯେଉଁଥିରେ ସେ ଦାବି କରିଥିଲେ ଯେ ତାଙ୍କୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ୨ କୋଟି ଟଙ୍କାରେ ଏମଏଫ ହୁସେନ ପେଣ୍ଟିଂ କିଣିବାକୁ ବାଧ୍ୟ କରାଯାଇଥିଲା। ଭିଡିଓ ଅନୁଯାୟୀ, ରାଣା କପୁର ଏହି ପେଣ୍ଟିଂ କିଣିବା ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଥିଲେ। ଆଉ ଚିତ୍ରକଳା ବଦଳରେ ମିଳିଥିବା ଟଙ୍କା ସୋନିଆ ଗାନ୍ଧୀଙ୍କ ଚିକିତ୍ସାରେ ବ୍ୟବହୃତ ହୋଇଥିଲା।
ସେହିପରି ରବିବାର ରିଲିଜ୍ ହୋଇଥିବା ପ୍ରଥମ ଏପିସୋଡରେ ଦେଶର ଦୁର୍ନୀତି ଓ ଦୁର୍ନୀତିର କଥିତ ଇତିହାସକୁ ଦର୍ଶାଯାଇଛି। ୭୦ ବର୍ଷ ଶାସନ ପରେ କଂଗ୍ରେସ ୪୮ କୋଟି ୨୦ ଲକ୍ଷ ୬୯ ହଜାର ଟଙ୍କା ଲୋକଙ୍କ ଠାରୁ ଚୋରି କରିଛି। କଂଗ୍ରେସ ଲୁଟିଥିବା ଅର୍ଥରେ ଅତି କମ୍ରେ ୨୪ଟି ଆଇଏନଏସ ବିକ୍ରାନ୍ତ, ୩୦୦ ରାଫେଲ ଜେଟ୍ ଏବଂ ୧୦ ମଙ୍ଗଳ ମିଶନ କରାଯାଇ ପାରିଥାନ୍ତା କିମ୍ବା କିଣାଯାଇ ପାରିଥାନ୍ତା। କିନ୍ତୁ କଂଗ୍ରେସର ଦୁର୍ନୀତିର ମୂଲ୍ୟ ଦେଶକୁ ବହନ କରିବାକୁ ପଡ଼ିଥିଲା ଏବଂ ପ୍ରଗତି ଦୌଡ଼ରେ ଏହା ପଛରେ ପଡ଼ିଯାଇଥିଲା।
ଏହି ଭିଡିଓ ସିରିଜ୍ ସବୁ ବିଜେପି ନିଜ ଟ୍ୱିଟର ଆକାଉଣ୍ଟରେ ହିଁ ପୋଷ୍ଟ କରିଛି। ଗୋଟିଏ ପରେ ଗୋଟିଏ ଭିଡିଓ ସିରିଜରେ କଂଗ୍ରେସ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ଅଭିଯୋଗ ମଧ୍ୟରେ ରହିଛି ଟୁଜି ସ୍କାମ, କୋଇଲା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି। କଂଗ୍ରେସ ସରକାର ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ଭିଡିଓ ଜରିଆରେ ପ୍ରଦର୍ଶିତ କରାଯାଇଛି। ବିଜେପି ଅଭିଯୋଗ କରିଛି ଯେ, ୟୁପିଏ ସରକାର ସମୟରେ ଏତେ ଟଙ୍କାର ଦୁର୍ନୀତି ହୋଇଛି ଯେ, ପାଟିରେ କହିବା ମଧ୍ୟ କଷ୍ଟକର ହେଉଛି।
Comments are closed.