Latest Odisha News

BREAKING NEWS

‘ରାଜ୍ୟରେ କୋଟିଏ ସଦସ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ, ଆସନ୍ତାକାଲିଠୁ ରାଜ୍ୟସ୍ତରୀୟ କର୍ମଶାଳା’

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ନିଜର ସଦସ୍ୟ ସଂଖ୍ୟା କୋଟିଏ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି । ଏନେଇ ବିଜେପିର ଆରମ୍ଭ ହେବ ସଦସ୍ୟତା ଅଭିଯାନ । ସମଗ୍ର ଦେଶ ସମେତ ଓଡିଶାରେ ମଧ୍ୟ ବିଜେପିର ସଦ୍ୟସତା ଅଭିଯାନ ଆହୁରି ଆଗକୁ ନେବା ଏବଂ ନୁଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ପ୍ରଥମେ ରାଜ୍ୟ, ଜିଲ୍ଲା, ମଣ୍ଡଳ ଓ ବୁଥ ସ୍ତରରେ କାର୍ଯ୍ୟକର୍ତାଙ୍କୁ ନେଇ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କର୍ମଶାଳା । ଆସନ୍ତା କାଲି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ ଏବଂ ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ପ୍ରଭାରୀ ଏବଂ ସଦସ୍ୟତା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ । ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଟୋଲିର ସଦସ୍ୟ ଋତୁରାଜ ସିହ୍ନା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିବେ ।

ସେହିପରି ସଦସ୍ୟତା ଅଭିଯାନ ପାଇଁ ଆସନ୍ତା ୨୨, ୨୩ ଓ ୨୪ରେ ଜିଲ୍ଲାସ୍ତରୀୟ ଏବଂ ୨୫, ୨୬ ଓ ୨୭ ତାରିଖରେ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ସମାପ୍ତ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୁଚନା ଦେଇଛନ୍ତି ।

ସର୍ବଭାରତୀୟ ସଦସ୍ୟତା ଅଭିଯାନ ପାଇଁ ଗତ ୧୭ ଓ ୧୮ ତାରିଖ ଦିନ ଦିଲ୍ଲୀ ଠାରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ଦିନ ରାଷ୍ଟ୍ରୀୟସ୍ତରରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେବ । ସର୍ବପ୍ରଥମେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ଆରମ୍ଭ ହେବ ସଦସ୍ୟତା ଅଭିଯାନ ।

ଦଳର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ଲୋକଙ୍କୁ ସଦସ୍ୟ କରାଯିବ । ଲୋକଙ୍କ ପାଖକୁ ଯାଇ ସଂପର୍କ ସ୍ଥାପନା କରିବେ କାର୍ଯ୍ୟକର୍ତା । ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ସଦସ୍ୟ ହୋଇପାରିବେ । ଓଡିଶାରେ ୧ କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହାଇଛି । ଚଳିତ ଥର ରାଜ୍ୟରେ ୧ ଲକ୍ଷ ‘ସକ୍ରିୟ ସଦସ୍ୟ’ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ରାଜ୍ୟରେ ସଦସ୍ୟତା ଅଭିଯାନର ମୁଖ୍ୟ ଭାବେ ବରିଷ୍ଠ ନେତା ରଞ୍ଜନ ପଟେଲଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

Comments are closed.