Latest Odisha News

BREAKING NEWS

ରାଜ୍ୟରେ ‘ମହିଳା ସୁରକ୍ଷା ବ୍ୟବସ୍ଥା’ କେବଳ ‘ନୀଳ ରଙ୍ଗ ବୋର୍ଡ’ରେ ସୀମିତ: ବିଜେପି

ଭୁବନେଶ୍ୱର: ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ସଂପୂର୍ଣ୍ଣ ଦାୟୀ । ରାଜ୍ୟରେ ‘ମହିଳା ସୁରକ୍ଷା ବ୍ୟବସ୍ଥା’ କେବଳ ‘ନୀଳ ରଙ୍ଗ ବୋର୍ଡ’ରେ ସୀମିତ ହୋଇ ରହିଛି । ଗତକାଲି ଏନ୍‌ସିଆର୍‌ବି ରିପୋର୍ଟ ପ୍ରକାଶ ପାଇବା ପରେ ବିଜେଡି ଉପରେ ବର୍ଷିଛନ୍ତି ରାଜ୍ୟ ମୁଖପାତ୍ର ସୋନାଲି ସାହୁ ।

ରିପୋର୍ଟ ଅନୁଯାୟୀ, ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ସେହିପରି ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷ ଲୋକରୁ ୩ଜଣ ହତ୍ୟାର ଶୀକାର ହେଉଛନ୍ତି ଅର୍ଥାତ୍ ସାଢେ ଚାରିକୋଟିରେ ୧୩ ଶହ ୫୦ ଜଣ ଲୋକ ହତ୍ୟାର ଶୀକାର ହେଉଛନ୍ତି ।

୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ଅଛି ଓ ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଅଛି । କିନ୍ତୁ ଓଡିଶାର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ମହିଳା ବିରୋଧୀ ହିଂସାରେ ଓଡିଶା ୧ ନଂ ରାଜ୍ୟ । ଅଞ୍ଜନା ଗଣଦୁଷ୍କର୍ମ ଘଟଣାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇଥିଲେ ଏଫ୍‌ଆଇଆର୍ ଦେବା ପାଇଁ କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଦିନ ୧୨ ଜଣ ମହିଳା ଦୁଷ୍କର୍ମର ଶୀକାର ହେଉଥିଲାବେଳେ ବର୍ଷ ଶେଷରେ ମାତ୍ର ୧୨ ଜଣ ଦଣ୍ଡିତ ହେବା ଦୁର୍ଭାଗ୍ୟଜନକ ।

ସେହିପରି ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି । ୨୦୨୦ରେ ୬ ହଜାର ୩୩୦ ଶିଶୁ ବିରୋଧୀ ଅପରାଧ ଘଟିବା ସହିତ ରାଜ୍ୟ ସାରା ଦେଶରେ ପଞ୍ଚମ ସ୍ଥାନରେ ଥିଲାବେଳେ ୨୦୨୧ରେ ୭ ହଜାର ୮୯୯ ଓ ୨୦୨୨ରେ ୮ ହଜାର ୨୪୦ ଶିଶୁ ବିରୋଧୀ ଅପରାଧ ଘଟିବା ସହ ଓଡିଶା ଷଷ୍ଠ ସ୍ଥାନରେ ପହଁଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ।

ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ହିଁ ଦାୟୀ । ଦୀର୍ଘ ୨୪ ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହିବା ସହିତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ରହିଆସିଛନ୍ତି । ସ୍ଥିର ସରକାର ସହିତ ଜଣେ ବ୍ୟକ୍ତି ପାଖରେ ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗ ରହିଥିଲେ ମଧ୍ୟ ଉକ୍ତ ବିଭାଗ ଜନସାଧରଣଙ୍କ ରକ୍ଷକ ହେବା ପରିବର୍ତ୍ତେ ଭକ୍ଷକ ସାଜିଛି । ବେଶୀ ଦୁର୍ନୀତି ହେଉଛି ପୋଲିସ୍ ବିଭାଗରେ ପୋଲିସ୍ ମହିଳା ଓ ଶିଶୁ ବିରୋଧରେ ଘଟୁଥିବା ହିଂସାର ଏଫ୍‌ଆଇଆର୍ ନରଖି ଓଲଟା ଅସଦାଚରଣ କରିବାର ନଜିର ରହିଛି ।

ତେଣୁ ଆମେ ଦାବୀ କରୁଛୁ ଯେ, ନବୀନ ପଟ୍ଟନାୟକ ଫାଷ୍ଟ୍‌ଟ୍ରାକ୍ କୋର୍ଟ ଜରିଆରେ ନାବାଳିକାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଦୁର୍ନୀତି ଖୋର ପୋଲିସ୍ କର୍ମଚାରୀଙ୍କୁ କେବଳ ବହିଷ୍କାର କରିଦେଇ ଦାୟିତ୍ୱ ସାରି ନଦେଇ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ପୋଲିସ୍ ବିଭାଗରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନିଯୁକ୍ତି କରନ୍ତୁ । ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧକୁ ରୋକିବା ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ସହିତ କାର୍ଯ୍ୟକାରୀ କରିବା ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ବର୍ତ୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ଉପରେ ସରକାର ଏକ ଶ୍ୱେତପତ୍ର ଜାରି କରନ୍ତୁ । କେବଳ ନୀଳ ରଙ୍ଗର ବୋର୍ଡରେ ମହିଳା ସଶକ୍ତିକରଣ ବିଜ୍ଞାପନ ଦେଇ ସରକାର ନିଜର ଆତ୍ମପ୍ରଚାର ବନ୍ଦ କରନ୍ତୁ ବୋଲି ଶ୍ରୀମତି ସାହୁ କହିଛନ୍ତି ।

Leave A Reply

Your email address will not be published.