Latest Odisha News

ଚାଷୀଙ୍କ ସହ ମିଶି ତଳି ରୋଇଲେ, ଅମୃତ କଳସରେ ମାଟି ସଂଗ୍ରହ କଲେ ସମ୍ବିତ ପାତ୍ର

ପୁରୀ: ଅଣ୍ଟାରେ ଗାମୁଛା ବାନ୍ଧି ଆଣ୍ଠୁଏ କାଦୁଅରେ ମନ ଖୁସି କରି ତଳି ରୋଉଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ଆଜି ସେ ଖୋଦ ଚାଷୀଙ୍କ ସହ ମିଶି ଚଷାପୁଅ ସାଜିଛନ୍ତି। ‘ମାଟି, ଜମି, କିସାନ-ମୋ ମାଟି ମୋ ଦେଶ ଅଭିଯାନ’ ଏଭଳି ସ୍ଲୋଗାନ ଦେଇ ଧାନବିଲରେ ମନ ଖୁସି କରି ମହିଳାଙ୍କ ସମେତ ଅନେକ ଚାଷୀ ଭାଇଙ୍କ ସହ ମିଶି ତଳି ରୋଉଛନ୍ତି ବିଜେପି ନେତା।

ଆଜି ପୁରୀର ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ମାଆ ଓ ଭଉଣୀମାନଙ୍କ ସହ ମିଶି ଧାନ ରୋଇ ଚର୍ଚ୍ଚାରେ ଆସିଛନ୍ତି ସମ୍ବିତ। ସମ୍ବିତଙ୍କ ସୋସିଆଲ ମିଡିଆ ଏକ୍ସରେ ଏହି ଧାନ ରୋଇବା ଭିଡିଓ ସେ ନିଜେ ପୋଷ୍ଟ କରିଛନ୍ତି। ମୋ ମାଟି ମୋ ଦେଶ ଅଭିଯାନ ଅଧୀନରେ ‘ଅମୃତ କଳସ ଯାତ୍ରା’ରେ ମାଆମାନେ ଦେଇଥିବା ମାଟି ସଂଗ୍ରହ କରିଛନ୍ତି।

ଚାଷୀଙ୍କ ଦ୍ୱାରା ସେମାନଙ୍କ ଅମର ପୁତ୍ରମାନଙ୍କ ସ୍ମୃତିରେ ନିର୍ମିତ ଅମୃତ ବାଟିକା ପାଇଁ ଅମୃତ କଳସରେ କୃଷକମାନେ ଦେଇଥିବା ମାଟି ସଂଗ୍ରହ କରିବା ମୋ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ସମ୍ବିତ ପାତ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ମୋ ମାଟି ମୋ ଦେଶ ଅଭିଯାନ ବର୍ତ୍ତମାନ ଜନ ସାଧାରଣଙ୍କ ଅଭିଯାନ ହୋଇ ସାରିଲାଣି। ସମ୍ବିତ ପାତ୍ର ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ପୁରୀ ଲୋକସଭା ଅନ୍ତର୍ଗତ ପିପିଲି ବିଧାନସଭା ସ୍ଥିତ ଘୋରଡ଼ିଆ ପଞ୍ଚାୟତରେ ଅମୃତ କଳସରେ ମାଟି ସଂଗ୍ରହ କରିଛନ୍ତି।

Comments are closed.