Latest Odisha News

BREAKING NEWS

ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନେଇ ସରକାରଙ୍କୁ ବିଜେପିର ଟାର୍ଗେଟ୍, ଜବାବ ରଖିଲା ବିଜେଡି

ଭୁବନେଶ୍ବର : ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭମିକୁ ୮୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିପୁଳ ଅର୍ଥ ଅତୀତର ନା ବର୍ତ୍ତମାନର ନା ଭବିଷ୍ୟତରେ ଖର୍ଚ୍ଚ ହେବ । ଏହାର ସଂପୂର୍ଣ୍ଣ ତଥ୍ୟ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରନ୍ତୁ ସରକାର । ଏଭଳି କହି ସରକାରଙ୍କୁ କଡ଼ା ପ୍ରଶ୍ନ କରିଛି ବିରୋଧୀ ବିଜେପି ।

ସାମ୍ବାଦିକ ସମ୍ମିଳନୀ କରି ବିଜେପି କହିଛି ଯେ, ଓଡ଼ିଶା ସ୍ବାସ୍ଥ୍ୟ ଭିତ୍ତିଭୂମି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଏଭଳି ଘୋଷଣା କରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ସରକାର । ଯାହାକି କୋଭିଡ ମହାମାରୀର ପ୍ରଥମ ଓ ଦ୍ବିତୀୟ ଲହର ପରିଚାଳନାରେ ସ୍ପଷ୍ଟ ହୋଇଛି । ଡାକ୍ତର ଅଭାବ, କୋଭିଡ ପରିଚାଳନାରେ ବିଫଳତା, କୋଭିଡ ପୀଡ଼ିତ ଓ ମୃତ୍ୟୁ ସଂଖ୍ୟା ଲୁଚାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଧୂଆଁବାଣ ବୋଲି କହିଛି ବିଜେପି ।

ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଅତ୍ୟନ୍ତ ଶୋଚନୀୟ ସ୍ଥିତିରେ ଅଛି । ଡାକ୍ତରଖାନାରେ ଶଯ୍ୟା, ଅକ୍ସିଜେନ୍, ଭେଣ୍ଟିଲେଟର, ଡାକ୍ତର, ନର୍ସ ଏବଂ ଔଷଧର ବ୍ୟାପକ ଅଭାବ ରହିଛି । ସେହିପରି ସାରା ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବା ବେଳେ, ରାଜ୍ୟରେ ଏହା ଅତ୍ୟନ୍ତ ମନ୍ଥର ଗତି ଦେଇ ଯାଉଛି ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ।

ଅନ୍ୟପଟେ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ, ସରକାରଙ୍କ ସଫଳ କୋଭିଡ ପରିଚାଳନାରେ ଇର୍ଷାନ୍ବିତ ହୋଇଛି ବିଜେପି । କୋଭିଡ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରାଯାଉଥିବା ବେଳେ, ବିଜେପି ଏହାକୁ ସହଜରେ ଦେଖିପାରୁନି । ଅଭ୍ୟାସଗତ ଭାବେ ବିଜେପି ରାଜ୍ୟବାସୀଙ୍କୁ ମିଛ ଗପ ଶୁଣାଇ ଭଣ୍ଡାଇବାକୁ ଅପଚେଷ୍ଟା ଚଳାଇଛି ବୋଲି ବିଜେଡି କହିଛି ।

Leave A Reply

Your email address will not be published.