Latest Odisha News

BREAKING NEWS

ସାରା ଓଡ଼ିଶା ସରକାରଙ୍କର, ଲୋପାମୁଦ୍ରା କ’ଣ ଓଡ଼ିଶାର ନୁହେଁ ? ହିଟ ଆଣ୍ଡ ରନ ମାମଲାରେ ବିଜେଡିକୁ ଏମିତି ଟାର୍ଗେଟ କଲା ବିଜେପି

 ଭୁବନେଶ୍ୱର: ଭୁବନେଶ୍ୱର ପାୱାର ହାଉସ ଛକରେ ଗତ ୩୧ ତାରିଖ ରେଞ୍ଜ ରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟିବା ପରେ ଘନଉଛି ବିବାଦ । ଏହି ବେପରୁଆ ଗାଡି ଚାଳନା ଯୋଗୁ ଲୋପାମୁଦ୍ରା ସାହୁଙ୍କର ଶୁକ୍ରବାର ମୃତ୍ୟୁ ଘଟିଥିବାବେଳେ ଆହତ ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଅନ୍ୟପକ୍ଷେ ଏହି ଘଟଣାରେ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ଗାଡି ନମ୍ବର ବଦଳାଇ ପ୍ରେସ ରିଲିଜ ପ୍ରକାଶ କରିଥିବାରୁ ବଡବଡିଆ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପୋଲିସ ସୁଯୋଗ ଦେଉଥିବା ଅଭିଯୋଗ ହୋଇଛି । ଏହି ଘଟଣା ଏବେ ରାଜନୈତିକ ମୋଡ ନେଇଛି ।  ବିଜେପି ମୁଖପାତ୍ର ଟଙ୍କଧର ତ୍ରିପାଠୀ ଏକ ପ୍ରେସ ମିଟ କରି ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିବା ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ।

ଆଜି ଝାରସୁଗୁଡାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶାକୁ ନିଜର ପରିବାର ବୋଲି କହୁଥିବାବେଳେ  ମୃତା ଯୁବତୀ କ’ଣ ଓଡ଼ିଶାର ନୁହେଁ କି ? ଏହି ହିଟ ଆଣ୍ଡ ରନ ମାମଲାରେ କାହିଁକି ସରକାରୀ ଦଳ ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର । ଏପରିକି ମୃତ ଯୁବତୀଙ୍କ ପରିବାରକୁ ଟିକେ ସହାନଭୂତି ମଧ୍ୟ ଦେଖାଇ ନାହାନ୍ତି ସରକାର ।

ସମସ୍ତେ ଜାଣିଛନ୍ତି ଦୁର୍ଘଟଣା ଘଟାଇଥିବା ଗାଡି କାହାର ଓ ମାଲିକ କିଏ? ହେଲେ କମିଶନରେଟ୍ ପୋଲିସ ସମସ୍ତ ପ୍ରମାଣ ରଖିବି କାର୍ଯ୍ୟାନୁଷ୍ଠାନ କାହିଁକି ନେଉନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ।

ପୋଲିସ ପ୍ରଥମେ ଯେଉଁ ଗାଡି ନମ୍ବର ଦେଇଥିଲା ତାକୁ କାହିଁକି ବଦଳାଇ ଦେଲା? ସିସିଟିଭି ଭିଜୁଆଲକୁ କମିଶନରେଟ୍ ପୋଲିସ ଲୁଚାଉଛି କାହିଁକି? କାହା ଚାପରେ ପୋଲିସ ଏପରି କାମ କରୁଛି ? ଏହି ମାମଲାରେ ପୋଲିସ କାହିଁକି ଚୁପ ରହିଛି ? ଏ ଯାଏ ଆଇପିସି ୩୦୨ରେ ମାମଲା ରୁଜୁ କାହିଁକି ହୋଇନି ବୋଲି ସେ ପ୍ରଶ୍ନ କରିବା ସହ ସେ ରାଜ୍ୟ ଗୃହମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଯୁବତୀଙ୍କ ମୃତ୍ୟୁର ପ୍ରମାଣ ଥାଇ ବି ପୋଲିସ କେଉଁ ରହସ୍ୟମୟ କାରଣ ପାଇଁ ଚୁପ୍ ବସିଛି ତାହା ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଅକାଳରେ ମୃତ୍ୟୁ ବରଣ କରିଥିବା ଝିଅର ପରିବାରକୁ ନ୍ୟାୟ ଦେବାକୁ ସେ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି  ।

Leave A Reply

Your email address will not be published.