Latest Odisha News

ସମ୍ବଲପୁର ପରିସ୍ଥିତି ପାଇଁ ବିଜେଡିକୁ ଦାୟୀ କରି ବିଜେପିର ଟାର୍ଗେଟ, ପ୍ରଶାସନ ଉପରେ ବର୍ଷିଲେ ମନମୋହନ

ଝାରସୁଗୁଡା : ସମ୍ବଲପୁରରେ ଦେଖାଦେଇଥିବା ଅଶାନ୍ତ ସ୍ଥିତିକୁ ନେଇ ସରକାରଙ୍କୁ ବୁଧବାର ଟାର୍ଗେଟ କରିଛି ରାଜ୍ୟ ବିଜେପି । ଝାରସୁଗୁଡାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ରାଜ୍ୟସ୍ତରୀୟ ଟିମ ସରକାର ଓ ପ୍ରଶାସନର ଦାୟିତ୍ବହୀନତା, ଅପାରଗତା ପାଇଁ ଏଭଳି ଘଟଣା ଘଟିଥିବା କହି ବର୍ଷିଥିବାବେଳେ ଭୋଟ ବ୍ୟାଙ୍କ ପାଇଁ ଦେଶଦ୍ରୋହୀଙ୍କୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗ କରିଛି। ଯଦି ସରକାରଙ୍କ ସତ ସାହସ ଅଛି ତେବେ ଏହି ଦଙ୍ଗାର ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ, ଫାଷ୍ଟଟ୍ରାକ କୋର୍ଟରେ ବିଚାର ହେଉ, ୨୪ ଘଣ୍ଟା ମଧ୍ୟରେ ଦେଶଦ୍ରୋହୀଙ୍କ ଜବର ଦଖଲ ଘର ଉଚ୍ଛେଦ ହେଉ, ସମ୍ବଲପୁରରୁ କର୍ଫ୍ୟୁ ଉଚ୍ଛେଦ କରାଯାଉ ଓ ନେଟୱର୍କ ରିଷ୍ଟରେସନ କରାଯାଉ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦାବି କରିଛନ୍ତି। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଜାପାନ, ଦୁବାଇ ଯାଇପାରୁଛନ୍ତି କିନ୍ତୁ ଏଭଳି ସମ୍ବେଦନଶୀଳ ଘଟଣାରେ ଥରୁଟିଏ ସମ୍ବଲପୁର ଆସିବା ଜରୁରୀ ଭାବିଲେନି ବୋଲି ବିଜେପି ଅଭିଯୋଗ କରିଛି। ଗତ ୧୨ ତାରିଖ ପରଠାରୁ ଦେଖାଦେଇଥିବା ପରିସ୍ଥିତି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ବିଜେପି କହିିଛି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପ୍ରଥମ ଥର ପାଇଁ ହେଉନି। କେଉଁ କାଳରୁ ହୋଇ ଆସୁଛି। ମାତ୍ର ପ୍ରଶାସନର ଗୁଇନ୍ଦା ଫେଲ ମାରିଗଲା । କଟାକ୍ଷ କରି ମନମୋହନ କହିଛନ୍ତି, ଯଦି ପ୍ରଶାସନ ପାଖରେ ପର୍ଯ୍ୟାପ୍ତ ପୋଲିସ ବଳ ନଥିଲା ତେବେ ଭଦ୍ରକ ଭଳି ସ୍ୱୀକାର କରିଥାନ୍ତେ, କେନ୍ଦ୍ର ସୁରକ୍ଷା ବଳ ଯୋଗାଇ ଦେଇଥାନ୍ତା । ଯିଏ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ସେ ଲୋକଙ୍କୁ କଣ ସୁରକ୍ଷା ଦେବେ ବୋଲି କହି ସମାଲୋଚନା କରିଛନ୍ତି ମନମୋହନ ସାମଲ । ଏପ୍ରିଲ ୧୪ର ତତ୍ପରତା ଯଦି ୧୨ ତାରିଖରେ ଯଦି ସରକାର ଦେଖାଇଥାନ୍ତେ, ତାହେଲେ ଶୋଭାଯାତ୍ରା ବେଳେ ହିଂସା ହୋଇନଥାନ୍ତା ସେ କହିଛନ୍ତି । ଏଥିସହ କାର୍ଯ୍ୟକର୍ତ୍ତାଙ୍କୁ ଯେଉଁମାନେ ଆକ୍ରମଣ କରିଛନ୍ତି ତାଙ୍କ ବିରୋଧରେ ପୋଲିସର ଆଭିମୁଖ୍ୟକୁ ନେଇ ମନମୋହନ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ତୁଷ୍ଟୀକରଣ ରାଜନୀତି ଚଳାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଯେଉଁ ସରକାର ରତ୍ନ ଭଣ୍ଡାର ଚାବି ହଜେଇ ପାରୁଛନ୍ତି, ଫାଇଲ ହଜେଇ ପାରୁଛନ୍ତି, ସେ ସରକାରଠାରୁ ଅଧିକ କଣ ଆଶା କରାଯାଇପାରେ ବୋଲି ଶ୍ରୀ ସାମଲ କହିଛନ୍ତି।

ସେପଟେ ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି, ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତି ପଶ୍ଚିମବଙ୍ଗ ଓ ବିହାର ଦିଗରେ ଗତି କରୁଛ। ଏଥିସହ ଗତକାଲି(ମଙ୍ଗଳବାର) ଶ୍ରୀପୁରା ଛକରେ ବିଜେପି ଟିମକୁ ପୁଲିସ ଅଟକାଇବା ଘଟଣାକୁ ନେଇ ମଧ୍ୟ ସେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ସୁରେଶ ପୂଜାରୀ । ବିନା କର୍ଫ୍ୟୁରେ ଓ ବିନା ନୋଟିସରେ ଜଣେ କେନ୍ଦ୍ରମନ୍ତ୍ରୀ, ୨ ସାଂସଦଙ୍କ ସମେତ ୫ ନେତାଙ୍କୁ ପ୍ରଶାସନ ୭ ଘଣ୍ଟା ଧରି କିଭଳି ଅଟକ ରଖିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ଖୁବ ଶୀଘ୍ର ଗୃହ ରାଷ୍ଟ୍ର ମନ୍ତୀଙ୍କୁ ଅବଗତ କରାଯିବ ଓ ସଂସଦରେ ସ୍ବାଧୀକାର ଭଙ୍ଗ ନୋଟିସ ଆସିବ ବୋଲି ନୀତିଗତ ନିଷ୍ପତି ହୋଇଥିବା ଶ୍ରୀ ପୂଜାରୀ କହିଛନ୍ତି। ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରି ସାଂସଦ ସୁରେଶ ପୂଜାରୀ କହିଛନ୍ତି, ସମ୍ବଲପୁରରେ ନାଲି ଆଖି ଦେଖେଇ କେବେ ଶାନ୍ତି ଫେରିନି କି ଫେରିବନି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, ଜୁଏଲ ଓରାମ ଓ ସମୀର ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ।

Comments are closed.