Latest Odisha News

BREAKING NEWS

ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେପି ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇ ହୋଇ ପଡ଼ିଥିବା ନେଇ ବିଜେପି ଅଭିଯୋଗ କରିଛି । ଏହ ପରିପ୍ରେକ୍ଷୀରେ ବିଜେପି ବିଧାୟକ ଦଳ ଆଜି ରାଜ୍ୟପାଳଙ୍କୁ ଫେରାଦ ହୋଇଛନ୍ତି । ଦଳ ପକ୍ଷରୁ କୁହାଯାଇଛି ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଶିତିଳତା ଓ ଅସ୍ପଷ୍ଟତା ଏବଂ ଆନ୍ଦୋଳନକାରୀ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସର ଜୁଲମ୍ ଓଡିଶାର ଜନମାନସକୁ ବିଚଳିତ କରିଛି ।

ରାଜ୍ୟରେ ଶାସନ କେମିତି ଚାଲୁଛି ଓ କିଏ ଚଲାଉଛି ତାହା ଜଣାପଡୁନାହିଁ । ଏଭଳି କ୍ଷେତ୍ରରେ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡିଛି । ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିବା କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହି ପ୍ରସଙ୍ଗରେ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଆଜି ବିଜେପି ବିଧାୟକ ଓ ନେତୃବୃନ୍ଦ ରାଜ୍ୟପାଳଙ୍କୁ ଭେଟିଛନ୍ତି ।

ଗତ କିଛି ଦିନ ତଳେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ, ବିଚ୍ ରାସ୍ତାରେ ଜଣେ ପୋଲିସ ଏଏସ୍‌ଆଇ ହତ୍ୟା କରିବା ଭଳି ସଙ୍ଗୀନ ଘଟଣା ଓଡ଼ିଶାର ଜନମାନସକୁ ସ୍ତମ୍ଭୀଭୂତ କରିଥିଲା । ଏହି ଘଟଣା ଯେ କେବଳ ଓଡ଼ିଶାବାସୀଙ୍କ ମନରେ ପୋଲିସ ପ୍ରଶାସନ ଏବଂ ଆତ୍ମ ସୁରକ୍ଷା ପ୍ରତି ଏକ ଭୟର ବାତାବରଣ ସୃଷ୍ଟି କରିଛି ତାହା ନୁହେଁ ବରଂ ପରବର୍ତୀ ସମୟରେ ଯେଉଁଭଳି ଭାବରେ ପୋଲିସର ତଦନ୍ତ ଦିଗହରା ଓ ଭ୍ରମିତ ହୋଇଛି, ତାହା ଅନେକଙ୍କୁ ଦ୍ୱନ୍ଦରେ ପକାଇଛି । ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିରୁ ସ୍ଫଷ୍ଟ ଜଣାପଡୁଛି ଯେ ସରକାର ଏହି ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି କରିବା ସତ୍ୱେ ସରକାର ଏଥିପ୍ରତି ଭୃକ୍ଷେପ ନକରି ଏ ପରିପ୍ରେକ୍ଷୀରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ ସହାୟତାରେ ନୀରିହ ଆନ୍ଦୋଳନକାରୀ, ରାଜନୈତିକ କାର୍ଯ୍ୟକର୍ତାଙ୍କ ଉପରେ ଅତ୍ୟାଚାର କରିବା ଅତ୍ୟନ୍ତ ନିନ୍ଦନୀୟ ।

ପୋଲିସ ପ୍ରତିଶୋଧ ପରାୟଣ ହୋଇ ମହିଳା କାର୍ଯ୍ୟକର୍ତାଙ୍କୁ ଅସଦାଚରଣ କରିବା ସହ ଆନ୍ଦୋଳନକାରୀଙ୍କ ବିରୋଧରେ ମିଛ ଦଫା ଲଗାଇ ବେଆଇନ ଭାବେ ସେମାନଙ୍କୁ ଗିରଫ କରି ଜେଲରେ ଭର୍ତି କରୁଛନ୍ତି ଏହି ସନ୍ଦର୍ଭରେ ପୋଲିସର ଅମାନୁଷିକ ଅତ୍ୟାଚାର ଓ ବର୍ବରତା ବିରୋଧରେ ପ୍ରତ୍ୟେକ ପ୍ରମାଣ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ସତ୍ୱେ ପୋଲିସ ବିରୁଦ୍ଧରେ କୌଣସି ଏତଲା ଗ୍ରହଣ ନକରାଯିବା ଏବଂ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ସ୍ୱେଚ୍ଛାଚାରୀ ଶାସନ ପରମ୍ପରାର ପରିଚୟ ଦେଉଛି । ତେଣୁ ସରକାର ଏବଂ ପୋଲିସ ପ୍ରତିଶୋଧ ପରାୟଣ ହେବାରୁ ନିବୃତ ରୁହନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଗତ କିଛି ବର୍ଷ ଧରି ଲଗାତାର ଭାବରେ ରାଜ୍ୟରେ ହତ୍ୟା, ଲୁଟ, ଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନାରେ ପ୍ରବଳତା କାରଣରୁ ସମାଜର ପ୍ରତ୍ୟେକ ବର୍ଗ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ୨୦୨୨ ବର୍ଷରେ ଅର୍ଥାତ୍ ଗୋଟିଏ ବର୍ଷରେ ରାଜ୍ୟରେ ୧୩୭୯ଟି ହତ୍ୟା ଓ ୩,୧୮୪ଟି ଧର୍ଷଣ ଭଳି ସଙ୍ଗୀନ ଅପରାଧିକ ଘଟଣା ରାଜ୍ୟରେ ଭୟ, ଆତଙ୍କ, ହତାଶା ଓ ନିରାଶାର ବାତାବରଣ ସୃଷ୍ଟି କରିଛି । ସବୁଠାରୁ ବଡ କଥା ହେଲା ଯେ ଏହିଭଳି ଘଟଣାକୁ ରୋକିବାରେ ପୋଲିସ କେବଳ ବିଫଳ ହୋଇଛି ତାହା ନୁହେଁ ବରଂ ଘଟଣା ଘଟିବା ପରେ ପୋଲିସର ତଦନ୍ତରେ ଅପାରଗତା ଯୋଗୁଁ ଦୋଷୀ ଦଣ୍ଡ ପାଇବାରୁ ବଂଚିତ ହେଉଛନ୍ତି ।

ସେହିପରି ବିଗତ ଦିନ ମାନଙ୍କରେ ବହୁଚର୍ଚ୍ଚିତ ପରୀ, ପିହୁ, ଇତିଶ୍ରୀ, କୁନ୍ଦୁଲି, ମାହାଙ୍ଗା ତ୍ରିପଲ୍ ମର୍ଡର ଓ ମମିତା ଭଳି ଘଟଣାରେ ପୋଲିସ ଦୋଷୀକୁ ଘଂଟ ଘୋଡାଇବା ତଥା ରାଜ୍ୟର ପ୍ରଭାବଶାଳୀ ଶାସକ ଦଳର ନେତାଙ୍କୁ ବଂଚାଇବା ପାଇଁ ମନଗଢା କାହାଣୀ କହି ନୀରିହ, ନିଷ୍ପାପଙ୍କୁ ନ୍ୟାୟ ଦେବାରେ ବଂଚିତ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ମାନ୍ୟବର ରାଜ୍ୟପାଳ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଚରମ ବିଫଳତାକୁ ରୋକିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ବିଧାୟକଦଳ ତରଫରୁ ଅନୁରୋଧ କରାଯାଇଅଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏହି ଅବସରରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡ.ମୁକେଶ ମହାଲିଙ୍ଗ, ଜୟନ୍ତ ଷଡଙ୍ଗୀ, ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.