Latest Odisha News

BREAKING NEWS

ଖରାପ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଉଛି ବିଜେପି

ଭୁବନେଶ୍ବର: ବ୍ରଜରାଜନଗରରେ କାହିଁକି ହାରିଲା ବିଜେପି ? ଜମାନତ କାହିଁକି ହରାଇଲେ ରାଧାରାଣୀ  ?। ଧର୍ମେନ୍ଦ୍ରଙ୍କ ପାଓ୍ବାର କାହିଁକି ଫେଲ ମାରିଲା ବ୍ରଜରାଜନଗରରେ? । ଏସବୁକୁ ନେଇ ଦୁଇଦିନ ହେଲା ସୋସିଆଲ ମିଡିଆରେ ହଜାର ହଜାର ୟୁଜର ଟ୍ରୋଲ କରୁଛନ୍ତି । ବିଶେଷ କରି ଏଥର ବିଜେଡି ଜିତିବ ବୋଲି କୁହାଯାଉଥିବା ବେଳେ ଏତେ ମାର୍ଜିନରେ ହାରିବା ଦଳ ପାଇଁ ଏକ ବିରାଟ ପ୍ରଶ୍ନ ଚିହ୍ନ ଲଗାଇଛି । ଯେଉଁ ରାଧାରାଣୀ ୨୦୧୪ରେ ବିଜୟୀ ହୋଇଥିଲେ ଏଥର କିପରି ଜମାନତ ହରାଇଲେ ତାହାକୁ ନେଇ ସାଧାରଣ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ବିଶ୍ବାସ କରିପାରୁନାହାଁନ୍ତି ।

ଗତ ପଂଚାୟତ ନିର୍ବାଚନ ଏବଂ ପୈାର ନିର୍ବାଚନରେ ବିଜେପି ଖରାପ ପ୍ରଦର୍ଶନ କରିଥିଲା । ୟୁପି ନିର୍ବାଚନ ପାଇଁ ବ୍ୟସ୍ଥ ଥିବାରୁ ରାଜ୍ୟ ବିଜେପିର ହେବି ଓ୍ବେଟ ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ପାଇଁ ଆସିପାରିନଥିଲେ କୁହାଯାଉଥିଲା । ତେବେ ବ୍ରଜରାଜନଗରରେ ରାଧାରାଣୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଳାଇ ଜୋରଦାର ପ୍ରଚାର କରିଥିଲେ ଧର୍ମେନ୍ଦ୍ର । ନବୀନଙ୍କୁ ଟକ୍କର ଦେଇ ରାଧାରାଣୀଙ୍କୁ ବିଜୟ କରିବାରେ ଧର୍ମେନ୍ଦ୍ରଙ୍କ ରଣନୀତି କାମ କରିବ ବୋଲି ବି ଅନେକ ଭାବୁଥିଲେ । ରାଜନୀତି ସମୀକ୍ଷକମାନେ ମଧ୍ୟ କହୁଥିଲେ ଟକ୍କର ହୋଇପାରେ ।

ତେବେ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର କରିପାରିନଥିଲେ । ଏପରିକି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ନବୀନ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନେତାଙ୍କ ସହ ଭେଟଘାଟ କରୁଥିଲେ । ସେପଟେ ଧର୍ମେନ୍ଦ୍ର ବ୍ରଜରାଜନଗରରେ ଦୁଇଦିନ ଖରାରେ ଝାଳ ବୁହାଇ ପରିଶ୍ରମ କରି କାର୍ଯ୍ୟକର୍ତ୍ତାଙ୍କ ସହ ଘରକୁ ଘର ବୁଲି ଭୋଟ ମାଗିଥିଲେ । କିନ୍ତୁ ଫଳ ଶୂନ ହୋଇଥିବାକୁ ନେଇ ଏବେ ରାଜ୍ୟ ବିଜେପିକୁ ଟ୍ରୋଲ କରାଯାଉଛି । ବିଜେପି ନିଜର ସତ୍ତା ହରାଇ ଏବେ ତୃତୀୟ ସ୍ଥାନକୁ ଚାଲିଯାଇଥିବାରୁ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏଣୁ ତେଣୁ ଲେଖି ମନ ରାଗ ସୁଝାଉଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପରଠାରୁ ପ୍ରଥମ ଥର ପାଇଁ କଂଗ୍ରେସର ପ୍ରଦର୍ଶନ ଭଲ ହୋଇଛି । ପୁଣି ନୂଆ ସଭାପତିଙ୍କ ସମୟରେ । ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପୂର୍ବତନ ଜଙ୍ଗଲ ମନ୍ତ୍ରୀ କିଶୋର ପଟେଲ ୨୭,୫୬୫ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ରାଜ୍ୟ କଂଗ୍ରେସ ମୁଖିଆ ଶରତ ପଟ୍ଟନାୟକଙ୍କ ମନୋବଳ ବୃଦ୍ଧି ପାଇଛି । ତେବେ ପୂର୍ବତନ ବିଜେପି ବିଧାୟକ ରାଧାରାଣୀ ପଣ୍ଡା ୨୨,୩୧୬ ଭୋଟ ସହ ତୃତୀୟ ସ୍ଥାନରେ ଖସିବାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସୋସିଆଲ ମିଡିଆ ୟୁଜର ।

ଏହି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିବେ ବୋଲି ଆଶା କରାଯାଉଥିଲା । ଟୁଇଟର, ଫେସବୁକରେ ହଜାର ହଜାର ୟୁଜର ଏହାହିଁ ଅନୁମାନ କରୁଥିଲେ । କିନ୍ତୁ ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଜମାନତ ନଷ୍ଟ ହେବ ବୋଲି କାହାରି ଧାରଣା ନଥିଲା। ୨୦୧୪ ବିଧାନସଭା ନିର୍ବାଚନରେ ରାଧାରାଣୀ ଏହି ଆସନରୁ ଜିତିଥିବାରୁ ସେ ନିଜେ ମଧ୍ୟ ଫଳକୁ ନେଇ ଆଶ୍ଚର୍ୟ୍ୟ ଥିବା କହିଛନ୍ତି ।

ବିଜେପିର ଏହି ପରାଜୟକୁ ସୋସିଆଲ ମିଡିଆ ୟୁଜରମାନେ ଲଜ୍ଜାଜନକ କହୁଛନ୍ତି । କାରଣ ୨୦୨୪ ପୂର୍ବରୁ ଏହା ଏକ ଟ୍ରେଲର ଥିଲା । ଆଉ ଏଥିରେ ଦଳ ରାଜ୍ୟବାସୀଙ୍କୁ ନିରାଶ କଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆସନ ଜିତିବା ପାଇଁ ଦୁଇ ଦିନ ଧରି ନିର୍ବାଚନମଣ୍ଡଳୀରେ କ୍ୟାମ୍ପ କରିଥିଲେ ମଧ୍ୟ ଦଳ ଶୋଚନୀୟ ଭାବେ ପ୍ରଦର୍ଶନ କଲା କାହିଁକି? ଅବଶ୍ୟ ଦଳ କାହିଁକି ହାରିଲା ? କଣ ସମସ୍ୟା ଥିଲା? ସେ ନେଇ ବରିଷ୍ଠ ନେତାମାନେ ଗୋଟିଏ ସ୍ଥାନରେ ବସି ଆଲୋଚନା ଆଗକୁ କରିପାରନ୍ତି । ତେବେ ସୋସିଆଲ ମିଡିଆ ଚର୍ଚା ଅନୁସାରେ ସଂଗଠନର ଦୁର୍ବଳତା, ଭଲ କାର୍ଯ୍ୟକର୍ତ୍ତାଙ୍କ ଅଭାବ ଏବଂ ନିର୍ବାଚନର ଠିକ ରଣନୀତି ପରିଚାଳନାରେ ଦଳ ବିଜେଡି ଠାରୁ ବହୁ ପଛରେ ଥିବାରୁ ଫଳ ଉପନିର୍ବାଚନରେ କମ ମିଳିଲା ବୋଲି ୟୁଜରମାନେ ମତ ରଖିଛନ୍ତି ।

ସେପଟେ ଜୟପୁର ଚିନ୍ତନ ଶିବିରରୁ ଆସିବା ପରେ ନିରଂଜନ ପଟ୍ଟନାୟକଙ୍କ ସ୍ଥାନରେ ଶରତ ପଟ୍ଟନାୟକଙ୍କୁ ରାଜ୍ୟ ପିସିସି ମୁଖ୍ୟ ଭାବେ ମିଳିଥିଲା ଦାୟିତ୍ବ । ନୂଆ ସଭାପତିଙ୍କ ସହ କଂଗ୍ରେସ କର୍ମୀମାନେ ସେମାନଙ୍କ ପ୍ରାର୍ଥୀ ପାଇଁ ଏକଜୁଟ ହୋଇ ମଇଦାନରେ ପ୍ରଚାର କରିଥିଲେ। ବ୍ରଜରାଜନଗର ମଧ୍ୟ ପୂର୍ବରୁ କଂଗ୍ରେସର ଦୁର୍ଗ ଥିଲା । ଏହି କାରଣରୁ କଂଗ୍ରେସ ଦଳ ଉପ ନିର୍ବାଚନରେ ଜିତିନଥିଲା ସତ କିନ୍ତୁ ନିଶ୍ଚିତ ଭାବେ ବିଜେପିକୁ ପଛରେ ପକାଇ ବିଜେପିର ଭୋଟ୍ ବ୍ୟାଙ୍କକୁ ନଷ୍ଟ କରିଥିବା ଚର୍ଚା ହେଉଛି ।

Leave A Reply

Your email address will not be published.