Latest Odisha News

BREAKING NEWS

ପାଟକୁରାରେ ଧାର୍ଯ୍ୟ ସମୟରେ ନିର୍ବାଚନ କରିବାକୁ ବିଜେପିର ଦାବି

ନୂଆଦିଲ୍ଲୀ: ପାଟକୁରା ବିଧାନସଭା ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ କରିବାକୁ ବୁଧବାର ଦିନ ବିଜେପିର ଏକ ପ୍ରତିନିଧି ଦଳ ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବି କରିଛନ୍ତି ।

ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁନୀଲ୍ ଆରୋରାଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରାଯାଇଛି, ଏହି ପ୍ରତିନିଧିଦଳରେ ଥିବା ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ପୀୟୁଷ ଗୋଏଲ ଏବଂ ସମ୍ବିତ ପାତ୍ର ସିଇସିଙ୍କୁ ଦଳ ପକ୍ଷରୁ ଦାବିପତ୍ର ଦେଇଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନଙ୍କ୍ୁ ଭେଟିବାପରେ ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଧାର୍ଯ୍ୟ ସୂଚୀ ଅନୁଯାୟୀ ପାଟକୁରାରେ ନିର୍ବାଚନ କରିବାକୁ ଅନୁରୋଧ କରାଯାଇଛି, କାରଣ ୬୦ ଦିନ ପରେ ନିର୍ବାଚନ ହେଲେ ସେତେବେଳେ ବର୍ଷା ଦିନ ଥିବ ।

“ଆମେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ପାଟକୁରାରେ ମେ ୨୩ ପୂର୍ବରୁ ନିର୍ବାଚନ କରିବାକୁ ଅନୁରୋଧ କରିଛୁ । ଆମେ ମଧ୍ୟ କିପରି ବିଜେଡ଼ି ସଭାପତି ପାଟକୁରାରେ ନିର୍ବାଚନ ବନ୍ଦ କରିବାକୁ ଷଡ଼ଯନ୍ତ୍ର ରଚିଥିବା କଥା ସହିତ କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ପ୍ରେମଚାନ୍ଦ ଚୌଧୁରୀ ଗଞ୍ଜାମର ଜିଲ୍ଲାପାଳ ରହିଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଲାଗି କିପରି କାର୍ଯ୍ୟ କରୁଥିଲେ ତାହା ଅବଗତ କରିଛୁ, ” ବୋଲି ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ମେ ୬ ତାରିଖ ଦିନ ପାଟକୁରାରେ ନିର୍ବାଚନ ସ୍ଥଗିତ କରିବା ସହିତ ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ନିର୍ବାଚନକୁ ୬୦ ଦିନ ଘୁଞ୍ଚାଇ ଦେଇଥିଲେ । ଏଠାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥାଆନ୍ତା, ମାତ୍ର ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଏପ୍ରିଲ ୨୦ ତାରିଖରେ ମୃତ୍ୟୁ ଯୋଗୁଁ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା ।

ଏଠାରେ ମେ ୧୯ ତାରିଖରେ ନିର୍ବାଚନ କରିବାକୁ ମଧ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । ବିଜେଡ଼ି ପକ୍ଷରୁ ବେଦ ପ୍ରକାଶଙ୍କ ବିଧବା ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।

ତେବେ ଏପ୍ରିଲ୍ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଇସିଇଙ୍କୁ ଭେଟି ବାତ୍ୟା ଯୋଗୁଁ ପାଟକୁରାରେ ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ । ସମ୍ଭାବ୍ୟ ବାତ୍ୟା ପୁରୀରେ ସ୍ଥଳପଥ ଛୁଇଁବା ପରେ କେନ୍ଦ୍ରାପଡ଼ାରେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେବାର ସମ୍ଭାବନା ରହିଥିବା ଯୋଗୁଁ ସେଠାରେ ନିର୍ବାଚନ ଘୁଞ୍ଚାଇବାକୁ ନବୀନ ଅନୁରୋଧ କରିଥିଲେ ।

Leave A Reply

Your email address will not be published.