Latest Odisha News

BREAKING NEWS

ବାତ୍ୟାରେ କ୍ଷତିଗ୍ରସ୍ତ ହେଲା ‘କ୍ରୀଡ଼ା ରାଜଧାନୀ’

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ପ୍ରଭାବରେ ଭାରତର କ୍ରୀଡ଼ା ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରର କ୍ରୀଡ଼ା ଭିତ୍ତିଭୂମି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ରାଜଧାନୀରେ ଥିବା ପ୍ରସିଦ୍ଧ କଳିଙ୍ଗ ଷ୍ଠାଡ଼ିୟମ ଯେଉଁଠାରେ ୨୦୧୮ ନଭେମ୍ବର ରୁ ଡ଼ିସେମ୍ବର ମାସରେ ବିଶ୍ୱ କପ ହକି ଟୁର୍ଣ୍ଣାମେଣ୍ଟ ପରି ବିରାଟ ଅନ୍ତର୍ଜାତିୟ ସ୍ତରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହା ବାତ୍ୟା ଫନି ଯୋଗୁଁ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଏହି ସହରର ୟୁନିଟ ୧ ଏବଂ ସହିଦ ନଗରରେ ଥିବା ଇନଡ଼ୋର ଷ୍ଟାଡ଼ିୟମ ମଧ୍ୟ କିଛିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।

ସହରର ଅଧିକାଂଶ କ୍ରିକେଟ ପଡ଼ିଆ ଯେଉଁଠାରେ କି ପ୍ରାୟ ସବୁ ସମୟରେ ଖେଳାଳିମାନେ କ୍ରିକେଟ ପ୍ରାକ୍ଟିସ କରିଥାଆନ୍ତି ସେଠାରେ ପ୍ରାୟତଃ ବଡ଼ ବଡ଼ ଗଛ ଗୁଡ଼ିକ ଭାଙ୍ଗି ପଡ଼ିଛି, ଅନେକ ପଡ଼ିଆ ନିକଟରେ ମଧ୍ୟ ପୁରୁଣା ଗଛ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଉପୁଡ଼ି ପଡ଼ିଛି ।

ଆଉ ମାସକ ପରେ କଳିଙ୍ଗ ଷ୍ଟାଡ଼ିୟମରେ ୮ଟି ରାଷ୍ଟ୍ରକୁ ନେଇ ଏଫଆଇଏଚ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ପରି ଅନ୍ତର୍ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଆନ୍ତା, ମାତ୍ର ୩ ତାରିଖର ପ୍ରଳୟଙ୍କରୀ ବାତ୍ୟା ଯୋଗୁଁ ଷ୍ଟାଡ଼ିୟମ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।

ଏହି ସମ୍ମାନଜନକ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ, ଜାପାନ, ମେକ୍ସିକୋ, ପୋଲାଣ୍ଡ, ଋଷିଆ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଉଜବେକିସ୍ତାନ ପରି ୮ଟି ରାଷ୍ଟ୍ର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ହକି ପ୍ରତିଯୋଗିତା ଜୁନ ୬ରୁ ୧୫ ତାରିଖ ଯାଏ ଅନୁଷ୍ଠିତ ହେବ । “ଆମେ ମେ ଶେଷସୁଦ୍ଧା କ୍ଷତିଗ୍ରସ୍ତ ହୋଇଥିବା ଭିତ୍ତିଭୂମିକୁ ସଜାଡ଼ିବାକୁ ଚେଷ୍ଟା କରିବୁ,” ବୋଲି କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗର ସଚିବ ବିଶାଲ୍ ଦେବ କହିଛନ୍ତି ।

ତେବେ ସୋମବାର ଦିନ ହକି ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏଫଆଇଏଚ ସିରିଜ ଫାଇନାଲ (ଜୁନ ୬-୧୫) ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।

ଭୁବନେଶ୍ୱର ପରି କଟକରେ ଥିବା ଷ୍ଠାଡ଼ିୟମ ଏବଂ ଇନଡ଼ୋର୍ ଷ୍ଟାଡ଼ିୟମରେ ମଧ୍ୟ ଏହି ବାତ୍ୟାର ଉଗ୍ରରୂପ ଦେଖିବାକୁ ମିଳିଛି । କଟକର ଥିବା ବିଶ୍ୱ ପ୍ରସିଦ୍ଧ ବାରବାଟୀ ଷ୍ଟାଡ଼ିୟମ ମଧ୍ୟ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଷ୍ଟାଡ଼ିୟମରେ ଥିବା ଗ୍ୟାଲେରୀ ସହିତ ସଚିନ ତେନ୍ଦୁଲକର ଷ୍ଟାଣ୍ଡ ଏବଂ ମିଡ଼ିଆ ସେଣ୍ଟର୍ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ଥିବା କାଚ ସହିତ ଏସି ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।

ଓଡ଼ିଶା କ୍ରିକେଟ ଆସୋସିଏସନ ସୂତ୍ରରୁ ଜଣାପଡ଼ିଛି ଯେ, ଷ୍ଟାଡ଼ିୟମରେ ହୋଇଥିବା ସମସ୍ତ କ୍ଷୟକ୍ଷତିର ଆକଳନ କରାଯିବ । “ଷ୍ଟାଡ଼ିୟମରେ ଥିବା ଫ୍ଲଡ଼ ଲାଇଟ କ୍ଷତିଗ୍ରସ୍ତ ହୋଇଛି ଏବଂ ଯଥାଶିଘ୍ର ଏହାର ମରାମତି କାର୍ଯ୍ୟ ହେବ,” ବୋଲି କହିଛନ୍ତି ଓସିଏ କର୍ତ୍ତୃପକ୍ଷ ।

କଟକ ବାରବାଟୀ ଷ୍ଟାଡ଼ିୟମ ନିକଟରେ ଥିବା ନେହେରୁ ଇନଡ଼ୋର ଷ୍ଟାଡ଼ିୟମରେ ମଧ୍ୟ ଅନେକ କାଚ ଭାଙ୍ଗିରୁଜି ଯାଇଥିବା ସହିତ କେତେକ ଝରକା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।

Leave A Reply

Your email address will not be published.