Latest Odisha News

ଦାୟିତ୍ୱ ନେଲେ ମନମୋହନ ସାମଲ, କହିଲେ ‘ଓଡ଼ିଆଙ୍କ ସ୍ୱର ପାଲଟିବ ବିଜେପି’

ଭୁବନେଶ୍ୱର:  ରାଜ୍ୟ ବିଜେପିର ନୂତନ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ମନମୋହନ ସାମଲ । ଦଳୀୟ କାର୍ଯ୍ୟାଳୟରେ ମନମୋହନଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ଏହି ଅବସରରେ ମନମୋହନ ସାମଲ କହିଛନ୍ତି, ଭାରତୀୟ ଜନତା ପାର୍ଟି ହେଉଛି ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ଏବଂ କ୍ୟାଡର ଭିତ୍ତିକ ରାଜନୈତିକ ଦଳ । ଏହି ଦଳକୁ ଗଢ଼ି ତୋଳିବା ପାଇଁ କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ଅବଦାନ ଓ ବଳିଦାନ ଚିରସ୍ମରଣୀୟ ।

ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଆଧାର ହେଉଛି ଦଳର ମୂଳମନ୍ତ୍ର । ଏହାକୁ ଆଧାର କରି ବିଜେପି ଲୋକଙ୍କ ସେବା କାର୍ଯ୍ୟ କରୁଛି ଏବଂ ଓଡ଼ିଶାବାସୀଙ୍କୁ ଏକ ନିର୍ମଳ, ସ୍ୱଚ୍ଛ ଶାସନ ଦେବା ପାଇଁ ପ୍ରସ୍ତୁତ ରହିଛି । ବିଶ୍ୱାସଭାଜନ ହୋଇପାରିଛି । ଥରୁଟିଏ ସୁଯୋଗ ଦେଲେ ୫ ବର୍ଷ ଭିତରେ ଅପାର ସମ୍ଭାବନା ଥିବା ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବୁ ବୋଲି କହିଛନ୍ତି ମନମୋହନ ସାମଲ ।

ସେ ଆହୁରି କହିଛନ୍ତି, କଂଗ୍ରେସ ଦଳର ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧରେ ଲଢିବାକୁ ଯାଇ ବିଜୁ ଜନତା ଦଳର ପ୍ରତିଷ୍ଠା ହୋଇଥିଲା । ଆଜି ତାଠୁ ବହୁ ଅଧିକ ଗୁଣା ଭୟାନକ ଓ ବିସ୍ଫୋରକ ସ୍ଥିତି ବିଜେଡି ଶାସନରେ ଦେଖାଯାଇଛି । ବିଜେଡି, କଂଗ୍ରେସ ଦଳକୁ ବଳିଗଲାଣି । ଓଡ଼ିଶାରେ ସବୁକିଛି ଥାଇ ସୁଦ୍ଧା ଓଡ଼ିଆ ଆଜି ଗରିବ । ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି । ଗଣତନ୍ତ୍ର ବିପଦରେ । ବର୍ତ୍ତମାନ ବିଜେଡି ସରକାରକୁ ତଡ଼ିବାର ସମୟ ଆସିଯାଇଛି । ଜନବିରୋଧୀ, ବିକାଶବିରୋଧୀ ବିଜେଡି ସରକାରକୁ ହଟାଇବା ହେଉଛି ଆମର ଏକ ମାତ୍ର ଲକ୍ଷ୍ୟ ।

୨୦୦୦ ମସିହାରେ କଂଗ୍ରେସ ଦଳକୁ ହଟାଇବା ପାଇଁ ଶପଥ ନେଇଥିଲୁ, ଏବେ ବିଜେଡିକୁ ହଟାଇବା ପାଇଁ ଶପଥ ନେଉଛୁ । ଦୀର୍ଘ ୨୩ ବର୍ଷର ଦୁର୍ନୀତିଖୋର, ଭ୍ରଷ୍ଟାଚାରୀ ବିଜେଡି ସରକାର ବିରୋଧ ରେ ଲଢିବା, ଜିତିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା । ସାଢେ ଚାରି କୋଟି ଓଡିଆଙ୍କ ସ୍ୱର ପାଲଟିବ ବିଜେପି । ଓଡିଶାରେ ଆମକୁ ଅନ୍ୟ ରାଜନୈତିକ ଦଳ ଅତୀତରେ ସାଇନବୋର୍ଡ ପାର୍ଟି ବୋଲି କହିଥିବାବେଳେ ବିଜେପିର ଭୋଟ ଆଜି ୩୯ ପ୍ରତିଶତରେ ପହଞ୍ଚିଛି । ସଂଘର୍ଷରୁ ଆମ ଦଳ ଏହି ସ୍ଥାନରେ ପହଞ୍ଚି ପାରିଛେ । ବର୍ତ୍ତମାନ ସମୟ ବଦଳି ଯାଇଛି । ସାଧାରଣ ଲୋକ ଏଥର ନିର୍ବାଚନ ଲଢିବେ ଏବଂ ସେମାନେ ସରକାର ଗଠନ କରିବେ । ଆମ ଦଳର ପୋଷ୍ଟର ମାରୁଥିବା ସାଧାରଣ କାର୍ଯ୍ୟକର୍ତାଟି ନବୀନ ପଟ୍ଟନାୟକଙ୍କଠାରୁ ଭଲ ଶାସନ ଦେବାକୁ ସକ୍ଷମ ବୋଲି ଶ୍ରୀ ସାମଲ କହିଛନ୍ତି ।

ରାଜ୍ୟରେ ରାଜନୈତିକ ସିଷ୍ଟମକୁ ବିଜେଡି ନଷ୍ଟ କରିଦେଇଛି । ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଚିବଙ୍କ ଦେଖା ମିଳୁ ନାହିଁ । କୃଷି, ଶିଳ୍ପ, ପର୍ଯ୍ୟଟନ, ଜଳସେଚନ ଆଦି କ୍ଷେତ୍ରରେ ଓଡିଶା ଆଜି ବହୁ ପଛରେ ପଡିଯାଇଛି । ଦାଦନ, କଟନୀ-ଛଟନୀରେ ଶିକାର ଆଜି ରାଜ୍ୟବାସୀ । ବିରୋଧୀଙ୍କୁ ପୋଲିସ ପ୍ରଶାସନର ଅପବ୍ୟବହାର କରି ମିଛ କେସରେ ଜେଲରେ ଭର୍ତି କରାଯାଉଛି । ୨୩ ଜଣ ଯୁବ କାର୍ଯ୍ୟକର୍ତାଙ୍କୁ ମିଛ କେସରେ ଜେଲରେ ଭର୍ତ୍ତି କରି ଦିଆଯାଇଛି । ଲଢେଇ ଆରମ୍ଭ ହୋଇସାରିଛି । ରାଜ୍ୟବାସୀ ବିକଳ୍ପ ସରକାର ଖୋଜୁଛନ୍ତି । ରାଜ୍ୟର ସାମୁହିକ ବିକାଶ ପାଇଁ ଆମ ପାଖରେ ସୁଦୃଢ ନକ୍ସା ପ୍ରସ୍ତୁତ ଅଛି । ଆମେ ଶୋଇବୁ ନାହିଁ କି ରାଜ୍ୟ ସରକାରଙ୍କୁ ଶୋଇବାକୁ ଦେବୁ ନାହିଁ ।

ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନବନିଯୁକ୍ତ ରାଜ୍ୟ ସଭାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ, ରାଜ୍ୟ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, କେ.ଭି.ସିଂହଦେଓ, ସାଂସଦ ପ୍ରତାପ ଷଡଙ୍ଗୀ, ସଂଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପ୍ରମୁଖ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅପାରଗ ଓ ର୍ଭ୍ରଷ୍ଟାଚାରୀ ବିଜେଡି ସରକାର ବିରୁଦ୍ଧରେ ଲଢେଇକୁ ଶାଣିତ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ।

Comments are closed.