Latest Odisha News

BREAKING NEWS

ସରିଲା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର : ଲୋକଙ୍କ ନିକଟକୁ ଯିବ ବିଜେପି

ପୁରୀ: ପୁରୀ ଠାରେ ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି । ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱୟଂସମ୍ପନ୍ନ ଭାରତର ଲକ୍ଷ୍ୟ ରଖିଛି ଦଳ । ଶେଷ ଦିନରେ ରାଜ୍ୟ ନେତୃତ୍ୱଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଷ୍ଟ୍ରୀୟ ଉପାଧକ୍ଷ ରାଧାମୋହନ ସିଂହଂ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଓ ଯୋଜନା ବିଷୟରେ ଆଲୋକପାତ କରିଛନ୍ତି । 2024 ନିର୍ବାଚନ ପାଇଁ ପଲିଟିକାଲ ରୁଟ୍ ମ୍ୟାପ ପ୍ରସ୍ତୁତ  ହୋଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଦଳ କିପରି ଘେରିବ ସେନେଇ ରଣନୀତି ପ୍ରସ୍ତୁତ କରିଛି । ସଂଗଠନକୁ ସୁଦୃଢ଼ କରିବା ସହ 2024 ରେ ସରକାର ଗଠନ କରିବାକୁ ବିଜେପି ଲକ୍ଷ୍ୟ ରଖିଛି ।

ପୁରୀଠାରେ ରାଜ୍ୟ ନେତୃତ୍ବକୁ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର ନେତୃତ୍ୱ । ପାଖେଇ ଆସୁଛି 2024 ନିର୍ବାଚନ  । ଆଉ ତାପୂର୍ବରୁ ଦଳ ସମରସଜା କରିଛି । ପ୍ରସ୍ତୁତ ହୋଇଛି  ନୂଆ ରଣନୀତି । ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନର ତ୍ରୁଟିକୁ ସୁଧାରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କ୍ଷେତ୍ର ପ୍ରସ୍ତୁତ କରିବ ବିଜେପି । ପ୍ରଭାରୀ,ସାଂଗଠନିକ ନେତୃତ୍ୱ,ଜିଲା ସଭାପତି,ସମ୍ପାଦକ,ରାଜ୍ୟ ନେତୃତ୍ୱ,ଏବଂ 2019 ନିର୍ବାଚନରେ ଲଢ଼ିଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ନେଇ ସରିଛି ତିନି ଦିନର ପ୍ରଶିକ୍ଷଣ । ଆଜି ଶେଷ ଦିନରେ ଦଳକୁ ମହାମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ସାଂଗଠନିକ ମହାମନ୍ତ୍ରୀ ବି ଏଲ ସନ୍ତୋଷ । ରାଷ୍ଟ୍ର ଗଠନରେ ବିଜେପିର ଅବଦାନକୁ ନେଇ ରାଜ୍ୟ ନେତୃତ୍ୱଙ୍କୁ  ସେ ମାର୍ଗଦର୍ଶନ ଦେଇଛନ୍ତି । ରାଜନୀତିରେ କିପିର ଆଗକୁ ଯାଇ ସରକାର ଗଠନ ହୁଏ ସେ ବିଷୟରେ କହିଛନ୍ତି । ନେତାମାନେ କିପରି ପରିଶ୍ରମ କରିବା ଦରକାର ଏବଂ ଲୋକଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ କିପରି ପହଁଚାଇବା ଦରକାର ତା ବିଷୟରେ କହିଛନ୍ତି ।

ଶେଷ ଦିନରେ  ଆଜି 4 ଟି ସେସନରେ ସରିଛି ପ୍ରଶିକ୍ଷଣର ତୃତୀୟ ତଥା ଅନ୍ତିମ ଦିନ । ପ୍ରଥମ ସେସନରେ ରାଜ୍ୟ ସଭାପତି ସମୀର ମହାନ୍ତି ପଲିଟିକାଲ ରୋଡ ମ୍ୟାପ ବିଷୟରେ ଆଲୋଚନା କରିଥିବା ବେଳେ ଦ୍ଵିତୀୟ ସେସନରେ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଇଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତୃତୀୟ ସେସନରେ କୃଷି ପ୍ରସଙ୍ଗ  ଉପରେ ଆଲୋକପାତ କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଧାମୋହନ ସିଂହ । ଶେଷ ତଥା ଅନ୍ତିମ ସେସନରେ ରାଷ୍ଟ୍ରୀୟ ଗଠନରେ ଦଳର ଆଭିମୁଖ୍ୟ ଓ ଅବଦାନ ନେଇ ଅବଲୋକନ କରିଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ । ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ପ୍ରସ୍ତୁତ କରିଛି ରଣନୀତି ।

ଦଳ ନେତୃତ୍ବ କହିଛନ୍ତି ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟମାରଣା କରାଯାଉଛି । ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ  କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା । ବିଭିନ୍ନ ଯୋଜନାରେ ମିଳୁଥିବା ଅର୍ଥକୁ ହରିଲୁଟ କରାଯାଉଛି।ଏଭଳି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ ରାଜ୍ୟ ବିଜେପି  । ରାଜରାସ୍ତାକୁ ଓହ୍ଲାଇ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ଦଳ ଆନ୍ଦୋଳନ କରିବ  । ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖପାତ୍ର ଗୋଲକ ମହାପାତ୍ର । ସେ କହିଛନ୍ତି 2014 ନିର୍ବାଚନ ଅପେକ୍ଷା 2019 ନିର୍ବାଚନ ରେ ବିଜେପିର ଭୋଟ ପ୍ରତିଶତ ବଢିଥିବା ବେଳେ ବିଜେଡିର ଭୋଟ ପ୍ରତିଶତ କମିଛି । ଗତ ସାଧାରଣ ନିର୍ବାଚନରେ ଦଳର ଅନେକ ପ୍ରାର୍ଥୀ 10 ହଜାରରୁ କମ ବ୍ୟବଧାନରେ ହାରିଥିବା ବେଳେ ଅଧିକାଂଶ ପ୍ରାର୍ଥୀ 10ରୁ 15000 ଭୋଟ ବ୍ୟବଧାନରେ ହାରିଛନ୍ତି । ଏଇ ବ୍ୟବଧାନ ହ୍ରାସ କରି ବିଜୟ ଲାଭ କରିବା ପାଇଁ ଲୋକଙ୍କ ପାଖରେ ପହଁଞ୍ଚିବ ବିଜେପି ।

ରାଜ୍ୟକୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ଆଗାମୀ ନିର୍ବାଚନ ପାଇଁ ଦଳର ଭିଜନ ସ୍ପଷ୍ଟ କରିଥିଲା ।  ଆଗାମୀ 29 ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଦଳର ସଭାପତି ଜେ ପି ନଡ୍ଡା । ଭୁବନେଶ୍ୱରରେ ରାଜ୍ୟ  ପ୍ରଭାରୀ ସୁନିଲ ବଂଶଲଙ୍କ ସମେତ  8000 କର୍ମୀ ମାନଙ୍କୁ  ନେଇ ହେବ ଅଲୋଚନା।  ତେବେ ଓଡିଶା ଉପରେ ସ୍ୱତନ୍ତ୍ର ଫୋକସ ରଖିଥିବା ବିଜେପି ଦଳ ଏହି ପ୍ରଶିକ୍ଷଣ ଶିବିର ପରେ କେତେ ସଂଗଠିତ ହେବ ତାହା ସମୟ କହିବ ।

Leave A Reply

Your email address will not be published.