ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ବର୍ତ୍ତମାନ ରୋଚକ ମୋଡ଼କୁ ଆସିଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ସରକାର ପରିବର୍ତ୍ତନ ହୁଏ। ତେଣୁ ବର୍ତ୍ତମାନ କଂଗ୍ରେସ ସରକାର ଥିବାରୁ ଆଗକୁ ବିଜେପି ଶାସନକୁ ଫେରିବା ପାଇଁ ସବୁ ଉଦ୍ୟମ କରୁଛି।
ରାଜସ୍ଥାନ ବିଜେପି ପକ୍ଷରୁ ଚଳିତ ମାସ ୧୩ ତାରିଖରୁ ରାଜ୍ୟରେ ଜନ ଆକ୍ରୋଶ ଯାତ୍ରା ଆରମ୍ଭ ହେବ। ରାଜ୍ୟର କଂଗ୍ରେସ ସରକାର ବିରୋଧରେ ଏହି ଯାତ୍ରା ଆରମ୍ଭ କରାଯିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଦଳ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି।
ଗୋଟିଏ ପଟେ ମୋଦିଙ୍କ ଶାସନର ନଅ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ମହା ଜନସମ୍ପର୍କ ଯାତ୍ରା ଚାଲିଛି। ଏହି ଆଧାରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଜସ୍ଥାନରେ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ତେଣୁ ଏ ଭିତରେ ଜନ ଆକ୍ରୋଶ ଯାତ୍ରାର ପ୍ରସ୍ତୁତି କରିଛି ଦଳ।
ରାଜସ୍ଥାନ ଗସ୍ତରେ ଯାଇ ମୋଦି ଗେହଲଟ ସରକାର ଉପରେ ବର୍ଷିଥିଲେ। ତେଣୁ ଏବେ ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପି ଜନ ଆକ୍ରୋଶ ଯାତ୍ରା କରିବ।
ସେପଟେ ଖୋଦ ନିଜ ଦଳର ନେତା ସଚିନ ପାଇଲଟ ମଧ୍ୟ ଗେହଲଟ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ପଦଯାତ୍ରା ଓ ଅନଶନ କରିଛନ୍ତି। କିଛି ଦିନ ତଳେ ଗେହଲଟ ପାଇଲଟଙ୍କୁ ବସାଇ କେନ୍ଦ୍ରୀୟ ନେତୃତ୍ୱ ସମାଧନର ରାସ୍ତା ବାହାର କରିଥିଲେ ମଧ୍ୟ ଏହା ସଫଳ ହେଲା ଭଳି ଲାଗୁ ନାହିଁ।
ଚଳିତ ମାସ ୧୧ ତାରିଖରେ ସଚିନ ପାଇଲଟ ନିଜର ନୂଆ ଦଳ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ତେଣୁ ଏହା କଂଗ୍ରେସର ଅଡୁଆ ଆହୁରି ବଢ଼ାଇ ଦେଇଛି।
କିନ୍ତୁ ଏସବୁ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କିନ୍ତୁ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି। ମହଂଗାଇ ରାହତ କ୍ୟାମ୍ପ ମାଧ୍ୟମରେ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରି ଚର୍ଚ୍ଚାରେ ଗେହଲଟ।
୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଓ ମାସିକ ୧୦୦ ୟୁନିଟ ବିଜୁଳି ମାଗଣା ଓ ଅନ୍ୟ ସବୁ ସୁବିଧା ଯୋଗାଇ ବିରୋଧୀଙ୍କ ସବୁ ଯୋଜନାକୁ ମାତ ଦେବାକୁ ବଡ଼ ଯୋଜନା କରିଛନ୍ତି ଗେହଲଟ।
ଏପରିକି ଏହାଦ୍ୱାରା ରାଜସ୍ଥାନରେ ଦୀର୍ଘ ବର୍ଷର ସରକାର ବଦଳିବାର ପରମ୍ପରା ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ମଧ୍ୟ ରାଜସ୍ଥାନରେ ଜିତିବା ପାଇଁ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ତେଣୁ ଏସବୁ ଭିତରେ ରାଜସ୍ଥାନ ଜନତା କାହା ପକ୍ଷ ନେଉଛନ୍ତି ତା ଉପରେ ନଜର।
Comments are closed.