Latest Odisha News

BREAKING NEWS

ବିଜେପି ଆସନ୍ତା ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବ: ଅରୁଣ ସିଂହ

ଭୁବନେଶ୍ୱର: ଆସନ୍ତା ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାକୁ ଆସିବ ବୋଲି ଶନିବାର ଦିନ ବରିଷ୍ଠ ବିଜେପି ନେତା ତଥା ବିଜେପିର ଓଡ଼ିଶା ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଗଣମାଧ୍ୟମକୁ କହିଛନ୍ତି ।

ଓଡ଼ିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ସିଂହ କହିଛନ୍ତି, ଓଡ଼ିଶାରେ ବିଜେପିର ଯଥେଷ୍ଟ ସାଂଗଠନିକ ଅଭିବୃଦ୍ଧି ଘଟିଛି ।

“ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଦ୍ଭୁତପୂର୍ବ ଲୋକପ୍ରିୟତା ରହିଛି । ରାଜ୍ୟରେ କ୍ଷମତାସୀନ ନବୀନ ସରକାରଙ୍କ ବିଫଳତା ଯୋଗୁଁ ବିଜେପି ୧୨୦ରୁ ଅଧିକ ଆସନ ହାସଲ କରି କ୍ଷମତାକୁ ଆସିବ,”ବୋଲି କହିଛନ୍ତି ବିଜେପି ଓଡ଼ିଶା ରାଜ୍ୟ ପ୍ରଭାରୀ ଅରୁଣ ସିଂହ ।

ବିଜେପିକୁ ଓଡ଼ିଶାରେ ୨୧ଟି ଆସନରୁ ୧୩ଟି ଲୋକସଭା ଆସନ ଜିତିବା ନେଇ ଗଣମାଧ୍ୟମ ସଂସ୍ଥା ଏବିପି ଏବଂ ରିପବ୍ଲିକ ଟିଭି କରିଥିବା ଆକଳନ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, “ତାଙ୍କ ଦଳ ଏହି ଆକଳନଠାରୁ ଅଧିକ ଆସନ ହାସଲ କରିବ” ।

ପୁରୀରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଲଢିବା ନେଇ ପ୍ରସ୍ତାବ ସମ୍ପର୍କରେ ସେ କହିଛନ୍ତି, ଏହା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ତଥା ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ଼ ହିଁ ଯାହା ସ୍ଥିର କରିବ ।

ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ଏହି ବକ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡ଼ି ମୁଖପାତ୍ର ଅମର ପ୍ରସାଦ ଶତପଥି ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପରେ ଅନୁଷ୍ଠିତ ହୋଇଥିବା ପ୍ରାୟ ସମସ୍ତ ନିର୍ବାଚନରେ ବିଜେପି ପରାସ୍ତ ହୋଇଛି ।

ବିଜେଡ଼ି ମୁଖପାତ୍ର ଶ୍ରୀଯୁକ୍ତ ଶତପଥି କହିଛନ୍ତି, “ଖୋଦ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ଗୋରଖପୁର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ହାରିବା ପରେ ଉତ୍ତରପ୍ରଦେଶରେ ବିଜେପିର ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି” ।

ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢିବା ନେଇ ପ୍ରସ୍ତାବ ସମ୍ପର୍କରେ ସେ କହିଛନ୍ତି, “ଏସମ୍ପର୍କରେ ବିଜେପି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଣଣା ହେଲା ପରେ ବିଜେଡ଼ି ଏହାର ଉତ୍ତର ଦେବ । ବିଜେପି ରାଜ୍ୟ ପ୍ରଭାରୀ ଯାହାସବୁ କହିଛନ୍ତି ତାହା କେବଳ ବିଜେପି କର୍ମୀ ମାନଙ୍କୁ ଉତ୍ସାହିତ କରିବ”, ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଅମର କୁମାର ଶତପଥି ।

“ପୁରୀରୁ ପ୍ରଧାନମନ୍ତ୍ରୀ ଲୋକସଭା ନିର୍ବାଚନ ଲଢିଲେ ବିଜେଡ଼ିର କୌଣସି ଅସୁବିଧା ଉପୁଜିବ ନାହିଁ” ବୋଲି କହିଛନ୍ତି ପୁରୀ ବିଧାୟକ ତଥା ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, “ଜଣେ ବ୍ୟକ୍ତି କେଉଁ ନିର୍ବାଚନ ମଣ୍ଡଳୀରୁ ଲଢିବ ଏହା ତାଙ୍କର ନିଜସ୍ୱ ପସନ୍ଦ ତଥା ବ୍ୟକ୍ତିଗତ ନିଷ୍ପତ୍ତି ।

ତୃଣମୂଳସ୍ତରରେ ବିଜେଡ଼ି ବେଶ୍ ଶକ୍ତିଶାଳୀ, ପ୍ରଧାନମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢିଲେ ମଧ୍ୟ

 

କିଛି ଅସୁବିଧା ନାହିଁ ବରଂ ଆଞ୍ଚଳିକ ଦଳ ଭାବେ ବିଜେଡ଼ି ଯଥେଷ୍ଟ ଜନ ସମର୍ଥନ ହାସଲ କରିପାରିବ” ।

Comments are closed.