Latest Odisha News

BREAKING NEWS

ଦିଲ୍ଲୀପ ରାୟ ରିଟର୍ଣ୍ଣସ୍

ଭୁବନେଶ୍ୱର: ଆସିଲା ବିଜେପି ପ୍ରାର୍ଥୀ ତାଲିକା । ୨୧ଜଣିଆ ତାଲିକାରେ ଅନେକ ସରପ୍ରାଇଜ । ରାଉରକେଲା ରାଜନୀତିକୁ ଫେରିଲେ ଦିଲ୍ଲୀପ ରାୟ । ବଦଳିଲେ ରଣପୁର, ପଟାଙ୍ଗୀ ପ୍ରାର୍ଥୀ । ତୁଟିଲା ଚୈତନ୍ୟ ଦ୍ୱନ୍ଦ୍ୱ । ଭେଟେରାନଙ୍କୁ ଭରସା, ଆମଦାନୀ ନେତାଙ୍କୁ ଟିକେଟ୍ । ଚବିଶ ରାଜନୀତିରେ କେତେ ସଫଳ ହେବ ବିଜେପିର ରଣନୀତି ? ରାୟଗଡାରୁ ରଣପୁର କଣ ରହିଛି ବିଜେପିର ବିଜୟ ଷ୍ଟ୍ରାଟେଜି ?

ରାଉରକେଲାରେ ଦିଲ୍ଲୀପ ରିଟର୍ଣ୍ଣସ୍
ରାଉରକେଲା ବିଧାନସଭା ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାମ ନେଇ ଭୋଟରଙ୍କ ପାଖକୁ ଯିବେ ଦିଲ୍ଲୀପ । ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସାରଦା ନାୟକଙ୍କ ସହ ଦିଲ୍ଲୀପଙ୍କର ଟକ୍କର ହେବ । ପୂର୍ବରୁ ଦିଲ୍ଲୀପ ପ୍ରାର୍ଥୀ ହେବା ନେଇ ସଂକେତ ଦେଇଥିଲେ ଜୁଏଲ ଓରାମ । ସୁନ୍ଦରଗଡ ଲୋକସଭାରେ ମଧ୍ୟ ଦିଲ୍ଲୀପ ଫ୍ୟାକ୍ଟର ବେଶ ଗୁରୁତ୍ୱ ରଖିବ ବୋଲି କୁହାଯାଉଛି । ରାଉରକେଲାରୁ ୨୦୧୪ରେ ବିଜେପି ଟିକେଟରେ ଲଢି ବିଧାୟକ ନିର୍ବାଚିତ ହୋଇଥିଲେ ଦିଲ୍ଲୀପ ରାୟ । ୨୦୧୯ ନିର୍ବାଚନ ଲଢିନଥିଲେ ଦିଲ୍ଲୀପ ।

୨ଟି ଆସନରେ ବଦଳିଲେ ପ୍ରାର୍ଥୀ
ରଣପୁର ଓ ପଟାଙ୍ଗୀ ଆସନରେ ପ୍ରାର୍ଥୀ ବଦଳାଇଛି ବିଜେପି । ରଣପୁରରେ ତାପସ ମାର୍ଥାଙ୍କ ଜାଗାରେ ଭେଟେରାନ୍ ସୁରମା ପାଢୀଙ୍କୁ ଟିକେଟ୍ ଦେଇଛି ଦଳ । ରଣପୁରରେ ପ୍ରାର୍ଥୀ ଚୟନକୁ ନେଇ ଦଳ ମଧ୍ୟରେ କନ୍ଦଳ ଲାଗି ରହିଥିଲା । ଏହାପରେ ସୁରମାଙ୍କୁ ଟିକେଟ୍ ଦେଇଛି ବିଜେପି । ସେହିପରି ପଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ ପ୍ରାର୍ଥୀ କରିଛି ବିଜେପି । ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ବେଳେ ବିଜେପି ଅନୁସୂଚିତ ଜାତି ବର୍ଗର ନେତାଙ୍କୁ ଟିକେଟ ଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପ୍ରାର୍ଥୀ ବଦଳାଇଛି ବିଜେପି ।

ବରିଷ୍ଠଙ୍କୁ ଟିକେଟ୍
ଦିଲ୍ଲୀପ ରାୟ ହୁଅନ୍ତୁ କି ସୁରମା ପାଢୀ, କିମ୍ବା ପଦ୍ମଚରଣ ହାଇବ୍ରୁ, ବାଇଧର ମଲ୍ଲିକ, ଭେଟେରାନ୍ ନେତାଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି । ଚବିଶ ମୁକାବିଲାରେ ବିଜୟ ପାଇଁ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିଛି ଦଳ । କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁଙ୍କୁ ଟିକେଟ୍ ଦେଇଛି ତ କାକଟପୁରରୁ ପ୍ରାର୍ଥୀ ହୋଇଛନ୍ତି ବାଇଧର ମଲ୍ଲିକ । ବିଜେଡି ସହ ଚବିଶରେ ବିଜେପିର ଅଧିକାଂଶ ସିଟରେ ସିଧା ଟକ୍କର ହେବ କୁହାଯାଉଛି । ତେଣୁ ବରିଷ୍ଠଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେପିା

ଆମଦାନୀ ନେତାଙ୍କୁ ଭରସା
ଦଳବଦଳ କରି ଆସିଥିବା ନେତାଙ୍କୁ ଭରସା ଦେଖାଇଛି ବିଜେପି । ଜଗତସିଂହପୁରରୁ ଅମରେନ୍ଦ୍ର ଦାସଙ୍କୁ ଟିକେଟ୍ ଦେଇଛି ଦଳ । ଟିକେଟ୍ ନମିଳିବାରୁ ବିଜେଡି ଛାଡି ବିଜେପିକୁ ଆସିଥିଲେ ଅମରେନ୍ଦ୍ର । ସେହିପରି ବିଜେଡିରୁ ନିରାଶ ହେବା ପରେ ବିଜେପିକୁ ଆସିଥିଲେ କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ବିଜେପି ତାଙ୍କୁ ଲକ୍ଷ୍ମୀପୁରରୁ ପ୍ରାର୍ଥୀ କରିଛି । ସାରସକଣାରୁ ଭାଦବ ହାଁସଦା ଓ ଚିତ୍ରକୋଣ୍ଡାରୁ ଡମ୍ବୁରୁ ଶିଶାଙ୍କୁ ଟିକେଟ୍ ମିଳିଛି । ଉଭୟ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ଟିକେଟ୍ ଦେଇନି ବିଜେପି ।

ଭୁବନେଶ୍ୱରରୁ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.