Latest Odisha News

କାହିଁକି ଜଣେ ସିଏମ୍ ଦୁଇ ଡେପୁଟି ସିଏମ୍ ?

ଭୁବନେଶ୍ବର: ଓଡିଶାରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତ କେଭି ସିଂହଦେଓ ଓ ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ବିଜେପିର ଜଣେ ମୁଖ୍ୟମନ୍ତ୍ରୀ, ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ନୂଆ ନୁହେଁ । ଓଡିଶା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ପରେ ବି ସମାନ ଫର୍ମୂଲା ଲାଗୁ କରିଥିଲା ବିଜେପି । ତେବେ ଏଭଳି ଫର୍ମୂଲା ପଛରେ କଣ ରହିଛି କାରଣ?

କାହିଁକି ଦୁଇ ଡେପୁଟି ସିଏମ୍ ମଡେଲ୍ ?

ରାଜ୍ୟରେ ସାମୁହିକ ନେତୃତ୍ବ ପାଇଁ ଏପରି ମଡେଲ୍ ଲାଗୁ କରିଆସୁଛି ବିଜେପି । ଆଉ ସେଥିପାଇଁ ବଡ଼ ରାଜ୍ୟଗୁଡିକରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛି ଦଳ। ଏହାଦ୍ବାରା ଜାତିଗତ ସମୀକରଣ ସନ୍ତୁଳନ କରିବାରେ ବିଜେପି ସଫଳ ହୋଇଛି । ପ୍ରଥମେ ଉତ୍ତରପ୍ରଦେଶରେ ଏହି ମଡେଲ୍ ଲାଗୁ କରିଥିଲା ବିଜେପି । ତେବେ ଗତବର୍ଷର ନିର୍ବାଚନ ପରେ ବଡ ରାଜ୍ୟ ପାଇଁ ଏହା ବିଜେପିର ପାଟର୍ଣ୍ଣରେ ପରିଣତ ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ଭଳି ରାଜ୍ୟରେ ଭିନ୍ନ ଭିନ୍ନ ଜାତିର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ଯାହାଦ୍ବାରା ରାଜ୍ୟ କ୍ଷମତାର ତିନିଟି କେନ୍ଦ୍ର ସ୍ଥାପିତ ହୋଇଥିଲା ।

ଓଡିଶାରେ ୧+୨ ଫର୍ମୁଲା

ଓଡିଶାରେ ବିଜେପି ଆଦିବାସୀ ଚେହେରାଙ୍କୁ ସିଏମ୍ ପଦରେ ବସାଇଥିବା ବେଳେ ପଶ୍ଚିମ ଓ ଉପକୂଳ ଓଡିଶାରୁ ଉପମୁଖ୍ୟମନ୍ତ୍ରୀ କରିଛି । ପଶ୍ଚିମ ଓଡିଶାର ଟାଣୁଆ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ କରିଛି। ଆଞ୍ଚଳିକ ପ୍ରତିନିଧିତ୍ବ ସାଙ୍ଗକୁ ଜାତିଗତ ସମୀକରଣକୁ ବି ନଜରରେ ରଖି ସିଏମ୍, ଡେପୁଟି ସିଏମ୍ ବାଛିଛି ବିଜେପି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଦିବାସୀ, କନକ ବର୍ଦ୍ଧନ ସିଂହଦେଓ ରାଜପରିବାରର ତ ଓବିସି ମହିଳା ଭାବେ ପ୍ରଭାତୀ ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି। ଆର୍ଥିକ ବର୍ଗ କଥା ଦେଖିଲେ ମୋହନ ମାଝୀ ଗରିବ ପରିବାରରୁ ଆସିଥିବା ବେଳେ ପ୍ରଭାତୀ ମଧ୍ୟବିତ୍ତ ଓ କେଭି ରାଜପରିବାରରୁ ଆସିଛନ୍ତି । ତେଣୁ ବିଜେପି ନିଜର ବହୁ ପରୀକ୍ଷିତ ମଡେଲକୁ ଓଡିଶାରେ ବି ଲାଗୁ କରିଛି ।

୨୦୧୭ରେ ପ୍ରଥମେ ଲାଗୁ

୨୦୧୭ମସିହାରେ ଉତ୍ତରପ୍ରଦେଶରେ ବମ୍ପର ବିଜୟ ପରେ ଏହି ମଡେଲକୁ ଲାଗୁ କରିଥିଲା ବିଜେପି । ୮୦ ଲୋକସଭା ସିଟ୍ ବିଶିଷ୍ଟ ୟୁପିରେ ଜାତିଗତ ସମୀକରଣରେ ସନ୍ତୁଳନ ରକ୍ଷା କରିବାକୁ ମଡେଲ୍ ବାଛିଥିଲା ଦଳ। ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ ତ କେଶବ ପ୍ରସାଦ ମୌର୍ଯ୍ୟ ଓ ଦିନେଶ ଶର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିଜ ରାଜ୍ୟ ଗୁଜରାଟରେ ଏହି ମଡେଲ୍ ଲାଗୁ କରିନି ବିଜେପି ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକାଧିକ ନାଁ ଚର୍ଚ୍ଚାରେ ରହିଥିବା ବେଳେ, ଆଦିବାସୀ ଚେହେରା ମୋହନ ମାଝୀଙ୍କ ନାଁ ଘୋଷଣା କରିଥିଲା ବିଜେପି। ତେବେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ରଖି ବରିଷ୍ଠ ନେତାଙ୍କୁ ଖୁସି କରିବା ସହ ଆଞ୍ଚଳିକ ଓ ଜାତିଗତ ସନ୍ତୁଳନ ରକ୍ଷା କରିଛି। ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ଭବିଷ୍ୟତକୁ ନଜରରେ ରଖି ସବୁ ଅଞ୍ଚଳ ଓ ବର୍ଗଙ୍କୁ ସମାନ ଗୁରୁତ୍ବ ଦେବାକୁ ଗଣିତ କଷୁଛି । ଆଉ ସେଥିପାଇଁ ଅନ୍ୟ ରାଜ୍ୟ ଭଳି ଓଡିଶାରେ ବି ଦୁଇ ଉପମୁଖ୍ୟମନ୍ତ୍ରୀ ମଡେଲ୍ ଲାଗୁ କରିଛି ।

Comments are closed.