Latest Odisha News

BREAKING NEWS

ଦିନେ ବିଧାନସଭାରୁ ତଡା ଖାଇଥିଲେ, ଆଉ ଆଜି ବାଚସ୍ପତି ଚୌକି ସମ୍ଭାଳିବେ ବିଜେନ୍ଦର

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷର ଅପେକ୍ଷା ପରେ ପୁଣି ଦିଲ୍ଲୀ କ୍ଷମତା ନଜ ହାତକୁ ନେଇଛି ବିଜେପି । ଆଜିଠୁ ଦିଲ୍ଲୀରେ ପୁଣି ବିଜେପି ସରକାର ଗଠନ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେଇଥିବା ବେଳେ ତାଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।  ଏଥିସହିତ ଦିଲ୍ଲୀ ବିଧାନସଭାର ବାଚସ୍ପତି ଭାବେ ବିଜେନ୍ଦର ଗୁପ୍ତା ନାଁ ଚୟନ କରିଛି ବିଜେପି । ଉପାଧ୍ୟକ୍ଷ ଭାବେ ମୋହନ ସିଂ ବିଷ୍ଟ ଚୟନ ହୋଇପାରନ୍ତି ।  କୁହାଯାଉଛି ଶପଥ ଗ୍ରହଣ ପରେ ଚୟନ ହୋଇଥିବା ବାଚସ୍ପତି ବିଜେନ୍ଦରଙ୍କ ସହ ବୈଠକରେ ସାମିଲ ହୋଇପାରନ୍ତି ଦିଲ୍ଲୀ ମନ୍ତ୍ରୀମଣ୍ଡଳ ।

ଏହାରି ଭିତରେ ଏବେ ବିଜେନ୍ଦରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଛି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ, ଦିନ ଥିଲା ଦିଲ୍ଲୀ ବିଧାନସଭାର ସୁରକ୍ଷା କର୍ମୀ ତାଙ୍କୁ ଟେକି ଟେକି ଆଣି ବାହାରେ ଛାଡିଥିଲେ । ଆଉ ଆଜି ସେହି ଦିଲ୍ଲୀ ବିଧାନସଭାର ବାଚସ୍ପତି ପଦ ମଣ୍ଡନ କରିବେ ବିଜେପି ବିଧାୟକ ବିଜେନ୍ଦର ଗୁପ୍ତା ।

ଦଶ ବର୍ଷ ପୂର୍ବେ ବିଜେପିର ବିଜେନ୍ଦର ଗୁପ୍ତାଙ୍କୁ ଦିଲ୍ଲୀ ବିଧାନସଭାରୁ ବାହାର କରିଦିଆଯାଇଥିଲା, କହିବାକୁ ଗଲେ ମାର୍ଶାଲ କର୍ମାଚାରୀ ତାଙ୍କୁ ଟେକିକି ଆଣି ଫିଙ୍ଗି ଦେଇଥିଲେ । ବିଜେନ୍ଦର ଚିଲ୍ଲାଉ ଥିଲେ, ପାଖରେ ଥିବା ଅନ୍ୟ ଗୃହର ସଦସ୍ୟ ଠୋ ଠୋ କରୁ ହସୁଥିଲେ, ବଉ ବିଜେନ୍ଦର ପ୍ରାଣପଣେ ଚେଷ୍ଟା କରିଥିଲେ, କେତେବେଳେ ଗୃହ ଭିତରେ ଥିବା ଆସବାବ ପତ୍ରକୁ ଧରି ତ ଆଉ କେତେବେଳେ ମାର୍ଶାଲ କର୍ମୀଙ୍କୁ ମାଡି ବସି, ପ୍ରତିରୋଧ କରିଚାଲିଥିଲେ । ହେଲେ ପାଖାପାଖି ଅଧା ଡଜନରୁ ଅଧିକ ସୁରକ୍ଷା କର୍ମୀ ତାଙ୍କୁ ଟେକି ନେଇ ବାହାରେ ଛାଡିଥିଲେ । ଆଉ ଏବେ ତାଙ୍କୁ ସେହି ବିଧାନସଭାକୁ ସମ୍ମାନଜନକ ଭାବେ ବାଚସ୍ପତି ହୋଇ ଫେରିବେ ବିଜେନ୍ଦର ।

ସେଦିନ ଥିଲା, ୩୦ ନଭେମ୍ବର ୨୦୧୫ । ଦିଲ୍ଲୀ ବିଧାନସଭା ଚାଲିଥିଲା । ଏହାରି ଭିତରେ ବିଜେପି ନେତା ବିଜେନ୍ଦର ଗୁପ୍ତା ଏବଂ ତାଙ୍କର ଜଣେ ଦଳୀୟ ସହଯୋଗୀ ଓପି ଶର୍ମା ତତ୍କାଳୀନ ଆପ ବିଧାୟକ ଅଳକା ଲାମ୍ବାଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଗୃହରେ ମୁହାଁମୁହିଁ ହୋଇଥିଲେ ବିଜେପି ଏବଂ ଆପ୍ ବିଧାୟକ । ଏହାପରେ ସେତେବେଳର ବାଚସ୍ପତି, ରାମ ନିଓ୍ବାସ ଗୋଏଲ, ବିଜେନ୍ଦର ଗୁପ୍ତାଙ୍କୁ ଅପରାହ୍ଣ ୪ ଟା ଯାଏଁ ଗୃହ ବାହାରେ ରହିବାକୁ ଆଦେଶ ଦେଇଥିଲେ । ହେଲେ ସେ ଏହାକୁ ଅବଜ୍ଞା କରିବା ପରେ ମାର୍ଶାଲ କର୍ମୀ ଆସି ତାଙ୍କୁ ଟେକି ଟେକି ବାହାରେ ଛାଡିଥିଲେ । ଆଉ ସେତେବେଳେ ବାଚସ୍ପତି ଆପ୍(ସେତେବେଳର ଶାସକ)ର ପକ୍ଷ ନେଇ ବିଜେପି ପ୍ରତି ପକ୍ଷପାତୀତା କରୁଥିଲେ ବୋଲି ଅଭିଯୋଗ ଆଣିଥିଲେ ଗୁପ୍ତା ।

ତେବେ ଏବେ ୨୦୨୫ ଦିଲ୍ଲୀ ନିର୍ବାଚନରେ ​​ବିଜେପି ଅପ୍ରତ୍ୟାଶିତ ବିଜୟ ହାସଲ କରିବା ପରେ, ବିଜେନ୍ଦର ଗୁପ୍ତାଙ୍କୁ ସେହି ବିଧାନସଭାର ବାଚସ୍ପତି ଭାବରେ ବାଛିଛି । ସେ ୨୦୧୫ ଠାରୁ ରୋହିଣୀ ଆସନରୁ ସବୁବେଳେ ବିଜୟ ବଜାୟ ରଖିଛନ୍ତି ।ଏନେଇ ବିଜେନ୍ଦର କହିଛନ୍ତି, ଦିଲ୍ଲୀ ବିଧାନସଭାର ବାଚସ୍ପତି ହେବା ପାଇଁ ଦାୟିତ୍ୱ ଦେଇଥିବାରୁ ମୁଁ ଦଳ ପ୍ରତି କୃତଜ୍ଞ । ମୁଁ ମୋର ଦାୟିତ୍ୱ ପୂରଣ କରିବି। ମୁଁ ଆଶା କରୁଛି ଯେ ଆମେ ଗୃହରେ ସୁସ୍ଥ ବାତାବରଣ ମଧ୍ୟରେ ଆଲୋଚନା କରିବୁ ।

Comments are closed.