ନୂଆଦିଲ୍ଲୀ: ବାଲୁଚ୍ ଲିବରେସନ୍ ଆର୍ମି(BLA) ବେଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଛି। ଗ୍ୟାସ ପାଇପଲାଇନ ମଧ୍ୟ ଉଡ଼ାଇ ଦିଆଯାଇଛି ବୋଲି ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟାରେ ଜମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନରେ ପାକିସ୍ତାନର ବାୟୁସେନା ଆକ୍ରମଣ ପରେ, ଭାରତ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ, ଭାରତ ଲାହୋରରେ ଅବସ୍ଥିତ ପାକିସ୍ତାନର AWACS (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ)କୁ ଧ୍ୱଂସ କରିଦେଇଛି।
ଏହି ସମୟରେ ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ପାକିସ୍ତାନୀ ସେନା ଶିବିର ଉପରେ ସିରିଜ ଆକ୍ରମଣ ହୋଇଛି। ପାକିସ୍ତାନ ସେନାର ଫ୍ରଣ୍ଟିୟର୍ କର୍ପସ୍ ମୁଖ୍ୟାଳୟକୁ ବନ୍ଧୁକଧାରୀମାନେ ଟାର୍ଗେଟ କରିଥିଲେ। ଗୁଳିଚାଳନା ପରେ ଅନେକ ବିସ୍ଫୋରଣ ହୋଇଥିଲା।
ସୂଚନାଥାଉକି, ଗୁରୁବାର ଜମ୍ମୁ, ପଠାନକୋଟ ଏବଂ ଉଧମପୁରରେ ସାମରିକ ଘାଟି ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବାରେ ବିଫଳ ହୋଇଛି । ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆକାଶରେ ସମସ୍ତ ପାକିସ୍ତାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ଧ୍ୱଂସ କରିଦେଇଥିଲା । ଭାରତ ନିଜ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ଗୁରୁବାର ସକାଳେ ଏକ ଖବର ଆସିଥିଲା ଯେ, ବାଲୁଚ୍ ଲିବରେସନ ଆର୍ମି ଏକ IED ସାହାଯ୍ୟରେ ପାକିସ୍ତାନୀ ସେନାର ଗାଡ଼ି ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ୧୨ ଜଣ ପାକ୍ ସେନାଙ୍କ ମୃତ୍ୟୁ ହୋଇଛି ।
ବାଲୁଚ୍ ଲିବରେସନ ଆର୍ମିର ସ୍ପେଶାଲ୍ ଟାକ୍ଟିକାଲ୍ ଅପରେସନ୍ସ ସ୍କ୍ୱାଡ୍ (STOS) ବୋଲାନର ମାଚ୍ କୁଣ୍ଡ ଅଞ୍ଚଳରେ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ସାହାଯ୍ୟରେ ଏକ ବଡ଼ ବିସ୍ଫୋରଣ କରିଥିଲା । ଏହି ବିସ୍ଫୋରଣ ମାଧ୍ୟମରେ ସେମାନେ ପାକିସ୍ତାନୀ ସେନାର ଗାଡ଼ିକୁ ଟାର୍ଗେଟ କରିଥିଲେ, ଯେଉଁଥିରେ ୧୨ ଜଣ ସେନାଙ୍କ ମୃତ୍ୟୁ ହୋଇଛି । ଯବାନମାନେ ଏକ ସାମରିକ ଅଭିଯାନ ପାଇଁ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା ।
ଗତ କିଛି ମାସ ଧରି ବାଲୁଚ୍ ଲିବରେସନ୍ ଆର୍ମି (BLA) ଏବଂ ଅନ୍ୟ ବିଦ୍ରୋହୀ ଗୋଷ୍ଠୀ ପାକିସ୍ତାନର ସୁରକ୍ଷା ବାହିନୀ ଉପରେ କ୍ରମାଗତଭାବେ ଆକ୍ରମଣ କରୁଛନ୍ତି।
Comments are closed.