Latest Odisha News

BREAKING NEWS

ନିର୍ବାଚନ ପାଖେଇ ଆସିଲେ ସିବିଆଇ ଚଳଚଞ୍ଚଳ ହୋଇ ଉଠେ: ନିରଞ୍ଜନ

ଭୁବନେଶ୍ୱର: ସିସୋର୍ ଚିଟଫଣ୍ଡ ସ୍କାମ ମାମଲାରେ ୨ ଜଣ ବରିଷ୍ଠ ବିଜେଡ଼ି ନେତାଙ୍କୁ ସିବିଆଇ ନୋଟିସ ଜାରି କରିବା ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସ କହିଛି ଯେ, ଯେତେବେଳେ ନିର୍ବାଚନ ପାଖେଇ ଆସେ ସେତେବେଳେ ସାଧାରଣତଃ ସିବିଆଇ ଚଳଚଞ୍ଚଳ ହେବାର ଦେଖାଯାଇଥାଏ ।

“ଚିଟଫଣ୍ଡ କମ୍ପାନୀମାନଙ୍କର ଠକାମିରେ ପଡ଼ି ଓଡ଼ିଶାର ହଜାର ହଜାର ଲୋକ ସର୍ବସ୍ୱାନ୍ତ ହୋଇପଡ଼ିଛନ୍ତି । ଦୁର୍ଭାଗ୍ୟଜନକ ଭାବେ ସିବିଆଇ ଏହି ଠକ ଅର୍ଥ ଲଗାଣକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନଥିବା ବେଳେ ଏଯାଏଁ ଠିକ୍ ରୂପେ ତଦନ୍ତ ମଧ୍ୟ କରୁନାହାନ୍ତି । ମାତ୍ର ”
ଶାସକ ଦଳ ବିଜେଡ଼ିର ଅନେକ ନେତା ଏହି ସ୍କାମରେ ଜଡ଼ିତ ଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହିସବୁ କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ସିବିଆଇକୁ ନିଜ ସ୍ୱାର୍ଥ ଲାଗି ଦୁରୁପଯୋଗ କରୁଛନ୍ତି,” ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ନିରଞ୍ଜନ ଆହୁରି ମଧ୍ୟ କହିଛନ୍ତି, ପୋଲିସ ଓ ସରକାରୀ ପଦାଧିକାରୀମାନେ ବିଜୁ ଜନତା ଦଳର ନିର୍ଦ୍ଦେଶରେ ହିଁ ପରିଚାଳିତ ହେଉଛନ୍ତି, ସେ କହିଛନ୍ତି ସମସ୍ତ ଥାନା ଓ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ିକ ଶାସକ ଦଳର କାର୍ଯ୍ୟାଳୟ ପରି ଲାଗୁଛି ଏବଂ ଜିଲ୍ଲାପାଳମାନେ ଦଳୀୟ ନେତା ଭଳି ବ୍ୟବହାର କରୁଛନ୍ତି ।

“ଚିଟଫଣ୍ଡ ସ୍କାମରେ ସଂଶ୍ଳିଷ୍ଟ ରହିଥିବା ବିଜେଡ଼ିର ସାଂସଦ ଓ ବିଧାୟକମାନେ ସିବିଆଇର କାଠଗଡ଼ା ମଧ୍ୟରେ ରହିଛନ୍ତି । ସେହି କାରଣରୁ ମୁଖ୍ୟମନ୍ତ୍ରୀ ବିଜେପି ବିରୋଧରେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି । ଏବେ ନିର୍ବାଚନ ପାଖେଇ ଆସୁଥିବା ଯୋଗୁଁ ଏହି ଅସୁବିଧା ଦୂର କରିବା ବ୍ୟତୀତ ଦଳ ପାଖରେ ଅନ୍ୟ କିଛି ବିକଳ୍ପ ହିଁ ନାହିଁ,” ବୋଲି କଂଗ୍ରେସ ମୁଖପାତ୍ର ଶରତ ରାଉତ କହିଛନ୍ତି ।

ଏହି ମାମଲାରେ ମୁହଁ ଖୋଲିବା ସହିତ ଗଣମାଧ୍ୟମରେ ପ୍ରକାଶ କରି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡ଼ିର କିଛି ବିଧାୟକ ଏବଂ ଜଣେ ସାଂସଦଙ୍କୁ ଗିରଫ କରି ଜେଲକୁ ପଠାଇଦିଆଯାଇଛି । ସେହିପରି ଏହି ଚିଟଫଣ୍ଡ ପରି ଆର୍ଥୀକ ସ୍କିମରେ ପୁଞ୍ଜି ହରାଇଥିବା କିଛି ଅସହାୟ ଲୋକ ବିଜେଡ଼ି ପ୍ରତିନିଧିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ସେ କହିଛନ୍ତି, “ଆଇନ ତା’ ବାଟରେ ଯିବ ।”

ଅନ୍ୟପକ୍ଷରେ ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ପରେ ସିବିଆଇ ଉପରେ ସନ୍ଦେହ ପ୍ରକାଶ କରିଛି ବିଜେଡ଼ି ।

“ବିଜେଡ଼ିର ଯେଉଁ ନେତାଙ୍କୁ ସିବିଆଇ ଦ୍ୱାରା ନୋଟିସ ଜାରି ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ହେଉଛି, ପ୍ରକୃତ କଥାହେଲା ସେମାନେ ସିବିଆଇ ନିକଟରୁ ସେପରି କିଛି ନୋଟିସ ପାଇନାହାନ୍ତି । ଯେତେବେଳେ ଏହି ୨ ଜଣ ନେତା କୌଣସି ନୋଟିସ ପାଇନାହାନ୍ତି, ସେତେବେଳେ ଗଣମାଧ୍ୟମ କିପରି ଏସମ୍ପର୍କରେ ଜାଣିପାରିଲା । ସିବିଆଇ ଏହି ମାମଲାଟିକୁ ରାଜନୈତୀକିକରଣ କରିବା ବ୍ୟତୀତ ଆଉ କିଛି ନୁହେଁ,” ବୋଲି ବୁଧବାର ଦିନ ଗଣମାଧ୍ୟମ ଆଗରେ କହିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ।

Leave A Reply

Your email address will not be published.