Latest Odisha News

ବାହାରିଲାନି ମାଟ୍ରିକ ରେଜଲ୍ଟ , ଅନ୍ଧାରରେ ଭବିଷ୍ୟତ

ଭୁବନେଶ୍ବର : ପାଠ ପଢିବି , ଚାକିରୀ କରିବି । ପରିବାରର ଦୁଖକୁ ଦୂର କରିବି । ବହୁ କମ ବୟସରୁ ହିଁ ଏ  ସ୍ବପ୍ନ ଦେଖିଥିଲେ ବଲାଙ୍ଗୀରର ରାଜା ସାହୁ । ମାଟ୍ରିକ ସାରି ଉଚ୍ଚ ଶିକ୍ଷା କରି କ୍ୟାରିଅର ଗଢିଥାନ୍ତେ । କିନ୍ତୁ ଅଧାରେ ଅଟକିଗଲା ସବୁ ସ୍ବପ୍ନ ।  ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଲା କିନ୍ତୁ ପ୍ରକାଶ ପାଇନି ରାଜାଙ୍କ ପରୀକ୍ଷାଫଳ । କେବଳ ରାଜା କାହିଁକି ରାଜ୍ୟର ୮ ସ୍ପେଶାଲ ସ୍କୁଲର ୧୩୯ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇନି । ତେବେ କେଉଁଠି ରହିଲା ସମସ୍ୟା ? କାହିଁକି ପ୍ରକାଶ ପାଇଲାନି ପରୀକ୍ଷା ଫଳ ? ସବୁ ବେସରକାରୀ ହୋଇଥିଲେ ବି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଅନୁଦାନ ପାଉଥିଲେ । ହେଲେ କେଉଁ କାରଣରୁ ସେମାନଙ୍କ ରେଜଲ୍ଟ ସବୁ ରୋକି ଦିଆଯାଇଛି । ତାହା ସ୍ପଷ୍ଟ ହୋଇନି

ଭୁବନେଶ୍ବରର ଲୁଇସ ବ୍ରେଲ ଦୃଷ୍ଟହୀନ ବିଦ୍ୟାଳୟ । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଅନୁଦାନ ପାଉଥିବାବେଳେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଯୋଗ୍ୟ ଭାବେ ଗ୍ରହଣ କରିନି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ । ସେହିପରି ବାଲେଶ୍ବରର ଦି ଓ୍ବେଲଫେୟାର ଅନୁଷ୍ଠାନ , ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନୁଦାନ ପାଉଥିଲାବେଳେ ଗତ ପାଞ୍ଚ ବର୍ଷ ହେବ ଏନ ଓ ସି ପାଇଁ ଆବେଦନ କରିଥିଲେ ବି ଆଶାରେ ରହିଛି । ସମସ୍ୟା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଦାୟୀ କରିଛନ୍ତି ଅନୁଷ୍ଠାନର କର୍ତ୍ତୃପକ୍ଷ । ହାଇକୋର୍ଟର ଦ୍ବାରସ୍ଥ ହେବାକୁ ଏବେ ମନ ବଳାଇଲେଣି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ ହୋଇଥିବା ଭିନ୍ନକ୍ଷମ ସଂଘ କହିଛି ।

ଏହି ଛାତ୍ରଛାତ୍ରୀଙ୍କର ବିଳମ୍ବରେ ପରୀକ୍ଷାଫଳ ପ୍ରକାଶ ପାଇଲେ ଏମାନଙ୍କ କ୍ୟାରିଅର ନଷ୍ଟ ହୋଇଯିବ । ସରକାରଙ୍କ ଗୋଟିଏ ବିଭାଗ ଏଭଳି ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ସରକାରୀ ଅନୁଦାନ ଯୋଗାଉଥିବାବେଳେ ଅନ୍ୟ ଏକ ବିଭାଗ ଏହି ଅନୁଷ୍ଠାନକୁ କିଭଳି ଅଯୋଗ୍ୟ ଭାବୁଛନ୍ତି ବୋଲି ସଂଘ ପ୍ରଶ୍ନ ଉଠାଇଛି । ଏହି ଛାତ୍ରଛାତ୍ରୀଙ୍କ ପ୍ରତି ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ସଂଘ ଦାବି କରିଛି ।

Leave A Reply

Your email address will not be published.