ଭୁବନେଶ୍ୱର:ଓଡ଼ିଶା ପାଳୁଛି ଓଡ଼ିଆ ପକ୍ଷ। ଏଥିପାଇଁ ପଲ୍ଲୀଠାରୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ପକ୍ଷକୁ ବଡ଼ ଧୁମଧାମ୍ରେ ପାଳନ କରାଯାଉଛି। ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଆଜି ରକ୍ତଦାନ ଦିବସ ପାଳନ କରାଯାଇଛି ।
ସଦର ମହକୁମାରେ ଅବସ୍ଥିତ ମହାବିଦ୍ୟାଳୟ ଏବଂ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ / ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ / କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ଵର ଅଧୀନରେ ଥିବା ରକ୍ତ ଭଣ୍ଡାର ଗୁଡିକରେ ଏବଂ ରାଜଧାନୀର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପରିସରରେ ଶିକ୍ଷାର୍ଥୀ ଓ ସ୍ଥାନୀୟ ଯୁବାବର୍ଗ ଏବଂ ଅନ୍ୟାନ୍ୟ ସ୍ଵେଚ୍ଛାକୃତ ରକ୍ତଦାତା ମାନଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା ।
ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ / ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ / କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ଵରରେ ଅନୁଷ୍ଠିତ ୮୮ଟି ରକ୍ତଦାନ ଶିବିର ଗୁଡିକରେ ସମୁଦାୟ ୩୭୬୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଭୁବନେଶ୍ଵର ରେଡ କ୍ରସ ବ୍ଲଡ଼ ବ୍ୟାଙ୍କ ଦ୍ଵାରା ରାଜଧାନୀ ମହାବିଦ୍ୟାଳୟରୁ ୪୩ ୟୁନିଟ୍, ସାକ୍ଷୀଗୋପାଳ ମହାବିଦ୍ୟାଳୟରୁ ୨୫ ୟୁନିଟ୍, ଭୁବନେଶ୍ଵର ରେଡ କ୍ରସ ବ୍ଲଡ଼ ବ୍ୟାଙ୍କରୁ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି ସେଣ୍ଟ୍ରାଲ ରେଡକ୍ରସ ବ୍ଲଡ଼ ବ୍ୟାଙ୍କ ଦ୍ଵାରା ଅଡଶପୁର ମହାବିଦ୍ୟାଳୟରୁ ୮୫ ୟୁନିଟ୍, କୁଆଁପାଳ ମହାବିଦ୍ୟାଳୟରୁ ୫୩ ୟୁନିଟ୍, ସେଣ୍ଟ୍ରାଲ ରେଡ କ୍ରସ ବ୍ଲଡ଼ ବ୍ୟାଙ୍କରୁ ୬୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ମୋଟ ରେଡକ୍ରସ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ମୋଟ ୩୧୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।
ଓଡିଆ ପକ୍ଷ ପାଳନ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଲୋକ ମାନଙ୍କୁ ସଚେତନ କରିବା ସହିତ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଵେଚ୍ଛାକୃତ ରକ୍ତଦାନ ନିମନ୍ତେ ଶିକ୍ଷାର୍ଥୀ ଏବଂ ଆଗ୍ରହୀ ବ୍ୟକ୍ତିମାନଙ୍କୁ ଆହ୍ଵାନ କରାଯାଇଥିଲା । ଏହି ଆହ୍ୱାନକୁ ସ୍ୱୀକାର କରି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀମାନେ ବହୁ ମାତ୍ରାରେ ଯୋଗ ଦେଇ ରକ୍ତଦାନ କରିଛନ୍ତି । ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇବା ସହ ଜଣାଶୁଣା ଲୋକଙ୍କୁ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ଅବଗତ କରି ତାଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା ପାଇଁ ଅନୁରୋଧ କରିଛନ୍ତି।
Comments are closed.