Latest Odisha News

ବାଲି ମାଫିଆଙ୍କ ବେଆଇନ୍ ଇଟାଭାଟିରେ ବୁଲିଲା ବୁଲଡୋଜର

ବାଲେଶ୍ୱର: ବାଲି ମାଫିଆଙ୍କ ଦ୍ୱାରା ଉପଜିଲ୍ଲାପାଳ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହେବା ପରେ ଆକ୍ସନ ମୋଡରେ ବାଲେଶ୍ୱର ପ୍ରଶାସନ। ଏହି ଆକ୍ରମଣ ଘଟଣାରେ ପୋଲିସ ୧୧ ଜଣଙ୍କୁ ଗିରଫ କରିବା ପରେ ବେଆଇନ୍ ଇଟା ଭାଟିରେ ଚଢାଉ କରି ଇଟାଭାଟିର ଚିମିନି ଭାଙ୍ଗି ଦେଇଛି ପ୍ରଶାସନ। ଜିଲ୍ଲାରେ ବଢୁଥିବା ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ କଡା ଜବାବ ଦେବାକୁ ଯାଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ।

ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡାଠାରେ ବାଲି ମାଫିଆମାନେ ମାଡ଼ ମାରିଥିବା ଅଭିଯୋଗର ମାତ୍ର ଗୋଟିଏ ଦିନ ପରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗତକାଲି ଆକ୍ରମଣରେ ଆହତ ହୋଇଥିବା କୁନାଲ ମୋତିରାମ ଚୌହାନ୍‌ ବେଆଇନ ଇଟାଭାଟି ଉପରେ ଚଢ଼ଉ କରି ୩ଟି ବୁଲଡୋଜର ଲଗାଇ ଏହାକୁ ଭାଙ୍ଗି ଦେଇଥିଲେ। ସେ କହିଛନ୍ତି,ଆଗରୁ ବିନା ଅନୁମତିରେ ଇଟାଭାଟି ଚଳାଇଥିବାରୁ ଆମେ ଗତ ମାସରେ ଇଟାଭାଟି ମାଲିକଙ୍କୁ ନୋଟିସ୍ ଦେଇଥିଲୁ। ନା ଅଛି ପରିବେଶ ମଞ୍ଜୁରୀ, ନା ଜିଲ୍ଲାପାଳଙ୍କ ଅଫିସରୁ ଅନୁମତି। ଖୁବ୍ ଶୀଘ୍ର ଅନ୍ୟ ବେଆଇନ ଇଟାଭାଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚୌହ୍ୱାନ କହିଛନ୍ତି।

ଅନ୍ୟପଟେ ବାଲେଶ୍ୱର ପୋଲିସ ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ତିନି ଜଣ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ଅପରେସନ୍ ସ୍ୟାଣ୍ଡ ଷ୍ଟ୍ରମ୍ ଜରିଆରେ ବାଲେଶ୍ୱର ପୁଲିସ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ଚିହ୍ନଟ କରିବା ପାଇଁ ଦାୟିତ୍ୱ ଦିଆଯାଇଛି, ଯେଉଁଠାରେ ଏନଜିଟି କଟକଣା ସତ୍ତ୍ୱେ ବେଧଡ଼କ ଭାବେ ବାଲି ଉତ୍ତୋଳନ କରାଯାଉଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେଆଇନ ଖଣି ଖନନ ବିରୋଧରେ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅପରାଧୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ଆର୍ଥିକ ଦିଗରେ ତଦନ୍ତ ଆରମ୍ଭ କରିବା ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବାଲେଶ୍ୱର ପୁଲିସ। ଏହି ପଦକ୍ଷେପ ଅନ୍ତର୍ଗତ ନୀଳଗିରି ପୋଲିସ ବେଆଇନ ବାଲି ଉତ୍ତୋଳନ ଅଭିଯୋଗରେ ସାତ ଜଣଙ୍କୁ ଗିରଫ କରିବା ସହ ସୋନୋ ନଦୀ ବାଲି ପଠାରୁ ଛଅଟି ଟ୍ରାକ୍ଟର ଓ ଗୋଟିଏ ଟିପ୍ପରକୁ ଅଟକ ରଖିଛି। ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

 

 

Leave A Reply

Your email address will not be published.